Spread the love

ମୁମ୍ବାଇ: ଋଷି କପୁର ଆଉ ନାହାନ୍ତି । ୬୭ ବର୍ଷ ବୟସରେ ଋଷିଙ୍କର କର୍କଟ ରୋଗରେ ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ ହୋଇଛି । ସମଗ୍ର ଚଳଚ୍ଚିତ୍ର ଜଗତ ଋଷିଙ୍କର ଅଚାନକ ପରଲୋକରେ ହତଚକିତ ହୋଇଯାଇଛି । କୋଟି କୋଟି ଜନତାଙ୍କ ମନ ଜିତିଥିବା ଋଷିଙ୍କର କରୋନା ସଂକ୍ରମଣ ସମୟରେ ପରଲୋକ ଘଟିବା ଘଟଣା ତାଙ୍କ ଫ୍ୟାନମାନଙ୍କୁ ଗଭୀର ଶୋକ ମଧ୍ୟକୁ ଠେଲି ଦେଇଛି । ଏ ନେଇ ସର୍ବପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନ ଟୁଇଟ ଯୋଗେ ଲୋକଙ୍କୁ ଜଣାଇଥିଲେ । ସେ ନିଜେ ଏଭଳି ଖବରକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ମୁମ୍ବାଇର କପୁର ଖାନଦାନର ସୁପରଷ୍ଟାର ଋଷିଙ୍କ କଳାକାର ଜୀବନ ଆରମ୍ଭ ହୋଇଥିଲା ତାଙ୍କ ପିତାଙ୍କ ଚଳଚ୍ଚିତ୍ର ରାଜ କପୁରଙ୍କ ନିର୍ମିତ ମେରାନାମ ଜୋକରରୁ । ମାତ୍ର ୨୦ ବର୍ଷ ବୟସରେ ୧୯୭୩ ମସିହାରେ ବବି ସିନେମାରେ ଋଷି ଅଭିନୟ କରି ରାତାରାତି କୋଟିକୋଟି ଦର୍ଶକଙ୍କ ପସନ୍ଦର ହିରୋ ପାଲଟିଥିଲେ । ୧୯୫୨ ମହିହାରେ ଋଷିଙ୍କ ଜନ୍ମ । ସୋ ମ୍ୟାନ ରାଜ କପୁରଙ୍କ ସବା ସାନ ପୁଅ ଥିଲେ ଋଷି କପୁର । ବବିର ସଫଳତା ପରେ ଋଷି କେବେ ପଛକୁ ଫେରି ଚାହିଁ ନାହାନ୍ତି । ବବି ଛଡ଼ା ଋଷିଙ୍କ ଅଭିନୀତ ଚାନ୍ଦିନି, ଦିୱାନା, ନାଗିନା, ପ୍ରେମ ରୋଗ, ଅମର-ଆକବର- ଆନ୍ଥୋନି, ହୀନା, ଲୈଲା ମଜୁନ, ବଞ୍ଜାରନ୍, ପ୍ରେମଗନ୍ଥ, ନସିବ, କୁଲି ଓ ବୋଲ ରାଧା ବୋଲ ସହ ମୋଟ ୧ଶହ ସିନେମାରେ ସେ ଅଭିନୟ କରିଥିଲେ । ଶେଷ ଥର ଲାଗି ଦି ବଡ଼ି ୧୯୧୯ ରେ ସେ ଅଭିନୟ କରିଥିଲେ । ଅନେକ ବିବାଦରେ ଋଷି ରହିଥିବା ବେଳେ ଟୁଇଟରରେ କଂଗ୍ରେସ ଦଳକୁ ସେ ଏକାଧିକ ବାର ଆକ୍ଷେପ କରୁଥିବା ଗତ କିଛି ଦିନ ଧରି ବିଭିନ୍ନ ମହଲରେ ଆଲୋଚନାର ବିଷୟ ବସ୍ତୁ ପାଲଟିଥିଲା । ପ୍ରଖ୍ୟାତ ଅଭିନେତ୍ରୀ ନୀତୁ ସିଂହଙ୍କୁ ସେ ବିବାହ କରିଥିଲେ ।
ସୂଚାନଯୋଗ୍ୟ ଯେ ଦୁଇଦିନ ତଳେ ହସ୍ପିଟାଲ ଭର୍ତ୍ତିହୋଇଥିବା ବେଳେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଡାକ୍ତରମାନଙ୍କ ସହ ଥଟ୍ଟା ତାମସା କରୁଥିଲେ । ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ତାଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି । ମୃତଦେହ ଅପରାହ୍ନ ୩.୪୫ରେ ଶ୍ମଶାନରେ ପହଞ୍ଚିଥିଲା । ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ପରିବାର ସଦସ୍ୟଙ୍କ ବ୍ୟତୀତ ନିର୍ଦ୍ଦେଶକ ରାହୁଲ ରାୱେଲ, ଆୟାନ ମୁଖାର୍ଜୀ , ଅଭିଷେକ ବଚ୍ଚନ, ସୈଫ ଅଲି ଖାନ, କରୀନା କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ୨୦ ଜଣ ଲୋକଙ୍କୁ ଯୋଗଦେବାକୁ ଅନୁମତି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here