Spread the love

କଟକ: ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସକାଳେ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୧୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ଯାଜପୁରର ବୋଲି ଜଣାପଡ଼ିଛି । ଚିହ୍ନଟ ହୋଇଥିବା ସମସ୍ତ ୧୭ ଜଣ ଯାକ ଯାଜପୁରର କଟିକଟା ଅଂଚଳର ବୋଲି ଜଣାପଡ଼ିଛି । ଫଳରେ ରାଜ୍ୟରେ କୋଭିଡ଼ ରୋଗୀଙ୍କ ସଂଖ୍ୟା ମୋଟ ୧୪୨କୁ ବୃଦ୍ଧି ପାଇଛି । ତେବେ ଇତିମଧ୍ୟରେ ୩୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଯାଜପୁରରୁ ଏ ଯାବତ ମୋଟ ୩୬ ଜଣ ରୋଗୀ ଚିହ୍ନଟ ହେବା ପରେ ଏହା ଖୋର୍ଦ୍ଦା ପରେ ଦ୍ୱିତୀୟ ସ୍ଥାନରେ ରହିଛି ।
ସକାଳେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟଜଣେ ୧୮ ବର୍ଷର ଯୁବକ ରହିଛନ୍ତି । ସେହିଭଳି ଅନ୍ୟଜଣେ ୫୬ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଏହି ସମସ୍ତ ରୋଗୀଙ୍କର କଲିକତା ଫେରନ୍ତାଙ୍କ ସହ ସଂପର୍କ ରହିଛି । ସମସ୍ତଙ୍କୁ କୋଭିଡ ହାସପାତାଳକୁ ପଠାଯାଇଛି ।
ଯାଜପୁର ଜିଲ୍ଲାରେ ଏଭଳି କୋଭିଡ଼ ବ୍ୟାପିବା ପଛରେ ଜିଲ୍ଲା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି । ସରକାରୀସ୍ତରରେ ଅନୁପ୍ରବେଶକୁ ରୋକାଯିବା ପାଇଁ ଏକାଧିକ ଉଦ୍ୟମ କଥା କୁହାଯାଉଥିବା ବେଳେ କିଭଳି ଭାବେ କଲିକତା ଫେରନ୍ତାମାନେ ଗାଁକୁ ଆସିଲେ ଓ ସେମାନଙ୍କୁ ଆରମ୍ଭରୁ ପଂଚାୟତ ସ୍ତରରେ ହୋଇଥିବା ସଂଗରୋଧ କେନ୍ଦ୍ରରେ ସେମାନଙ୍କୁ କାହିଁକି ରଖାଯାଇନଥିଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।
କୋଭିଡ଼କୁ ରୋକିବା ଲାଗି ନବୀନ ସରକାର ଯେଉଁ ସବୁ କାର୍ଯ୍ୟ ହାତକୁ ନେଇଛନ୍ତି ତାହା ସମଗ୍ର ଦେଶରେ ବିରଳ । ତେବେ ଯାଜପୁର, ବାଲେଶ୍ୱର ଓ ଭଦ୍ରକର ପ୍ରଶାସନ ଏଥିରେ ପାଣି ଫିଙ୍ଗି ଦେଉଥିବା ନଜର ଆସୁଛି । ଏପରିକି ଏହି ୩ ଜିଲ୍ଲାର ଗୁଇନ୍ଦା ସଂସ୍ଥା ଯେ ସଂପୂର୍ଣ୍ଣ ନିରବ ହୋଇ ଯାଇଛି ତାହା ନୂଆ କରି ବାହାରୁଥିବା ରୋଗୀଙ୍କ ଚିହ୍ନଟ ପକ୍ରିୟାରୁ ହିଁ ସ୍ଫଷ୍ଟ ହୋଇ ଯାଇଛି । ନୂଆ ଚିହ୍ନଟ ୧୪ ଜଣଙ୍କ ସଂପର୍କରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟୁଇଟ୍ କରିଛି। ଟୁଇଟ୍ ଅନୁସାରେ ସମସ୍ତ ଆକ୍ରାନ୍ତ ଜିଲ୍ଲାର ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତର କଣ୍ଟେନମେଣ୍ଟ୍ ଜୋନର ଅଧିବାସୀ ଏବଂ ସମସ୍ତେ କୋଲକାତା ଲିଙ୍କରୁ ହିଁ ସଂକ୍ରମିତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ସୂଚନା ମିଳିଛି। ଏହି ତିନି ଶିଶୁଙ୍କ ମଧ୍ୟରେ ଜଣେ ୩ ବର୍ଷର ବାଳିକା ଥିବା ବେଳେ ଅନ୍ୟ ଦୁଇ ଜଣ ଯଥାକ୍ରମେ ୩ ବର୍ଷ ଓ ୧୨ ବର୍ଷ ବୟସର ବାଳକ । ଏହି ୩ ଶିଶୁ କୋଲକାତା ଫେରନ୍ତା ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଆକଳନ କରାଯାଉଛି। ଅନ୍ୟ ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ଅବଶିଷ୍ଟ ୭ ଜଣ ପୁରୁଷ ବୋଲି ସୂଚନା ଦେଇଛନ୍ତି ସରକାର। ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୦, ୨୦, ୮୫, ୩୬ ଓ ୫୨ ବର୍ଷ ରହିଛି। ସେହିପରି ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୯,୩୮,୩୫ ,୨୯,୩୪,୧୨ ଓ ୬୨ ବର୍ଷ । ନୂଆ ୧୪ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଞ୍ଜୟ ସିଂ କହିଛନ୍ତି, ଯାଜପୁରରୁ ଏକାବେଳେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। କାରଣ ସମସ୍ତ ଆକ୍ରାନ୍ତ କଟିକଟା କଣ୍ଟେନମେଣ୍ଟ୍ ଜୋନର ବାସିନ୍ଦା ଏବଂ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇ ନମୁନା ସଂଗ୍ରହ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here