Spread the love

ଆଲ୍ଲାହାବାଦ: ଆଜାନ ଇସଲାମର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରେ ମାତ୍ର ଲାଉଡ଼୍ସ୍ପିକର ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ମତ ଦେଇଛନ୍ତି । କୋଭିଡ଼-୧୯କଟକଣା ସମୟରେ ଉତ୍ତରପ୍ରଦେଶ ମସଜିଦରେ ଜଣେ ବ୍ୟକ୍ତି କୌଣସି ଲାଉଡ଼ସ୍ପିକର ବିନା ଆଜାନ (ପ୍ରାର୍ଥନା) କରିପାରିବେ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଏ ସମ୍ପର୍କରେ ଆଗତ ଏକ ମାମଲାର ଶୁଣାଣୀ କରି ବିଚାରପତି ଶଶିକାନ୍ତ ଗୁପ୍ତା ଓ ଅଜିତ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆଜାନ ଇସଲାମର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରେ କିନ୍ତୁ ଲାଉଡ ସ୍ପିକର କିମ୍ବା ଅନ୍ୟ ଧ୍ୱନି ବୃଦ୍ଧିକାରୀ ଉପକରଣ ମାଧ୍ୟମରେ ଏହାର ପଠନ ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କୁହାଯାଇପାରିବ ନାହିଁ।
ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ସଲମାନ ଖୁରସିଦ ଏବଂ ଗାଜିପୁରର ଲୋକସଭା ସଦସ୍ୟ ଅଫଜାଲ ଅନସାରୀଙ୍କ ଆବେଦନ ର ଶୁଣାଣୀ କରି ଖଣ୍ଡପୀଠ କହିଛନ୍ତି, ମସିଜିଦର ମୀନାରରୁ ମୁଏଜିନ ମାନେ ନିଜ କଣ୍ଠରେ ଆଜାନ କରୁଥିଲେ । କୌଣସି ଲାଉଡ ସ୍ପିକର କିମ୍ବା ଧ୍ୱନି ବୃଦ୍ଧିକାରୀ ଉପକରଣ ବ୍ୟବହାର କରୁନଥିଲେ । କୋଭିଡ଼-୧୯ କଟକଣା ନାମରେ ଖାଲି ପାଟିରେ ଜଣେ ଆଜାନ କରିବାକୁ ବନ୍ଦ କରିହେବନାହିଁ ଏବଂ ଏଥିରେ ବାଧା ସୃଷ୍ଟି ନକରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ସମ୍ବିଧାନର ଧାରା ୨୫ ଅନୁଯାୟୀ ନିଜ ଧର୍ମ ପାଳନ କରିବାର ଅଧିକାର ଅଛି ମାତ୍ର ଉକ୍ତ ଅଧିକାର ସମ୍ବିଧାନ ତୃତୀୟ ଭାଗର ପ୍ରଣୀତ ଅନ୍ୟାନ୍ୟ ନିୟମ ଅନୁଯାୟୀ ପରିଚାଳିତ ହେବ । ବିପର୍ଯ୍ୟୟ, ସ୍ୱାସ୍ଥ୍ୟ, ନୈତିକତା ଇତ୍ୟାଦିକୁ ବିଚାରକୁ ନେଇ ଧର୍ମ ପାଳନର ଅଧିକାରକୁ କାଟଛାଣ୍ଟ କରିହେବ । ଆବେଦନକାରୀ ଲାଉଡ ସ୍ପିକର ମାଧ୍ୟମରେ ମସଜିଦରେ ଆଜାନ ପାଠ କରିବା ପାଇଁ ପ୍ରାର୍ଥନା କରିନାହାନ୍ତି । ଏପରି ଅନୁମତି ବିନା ଲାଉଡ ସ୍ପିକରର ବ୍ୟବହାର ବେଆଇନ ହେବ । ଯଦି ଏପରି କୌଣସି ଆବେଦନ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଏ ତେବେ ଶବ୍ଦ ପ୍ରଦୂଷଣ ଆଇନ ଅନୁଯାୟୀ ବିଚାର କରାଯାଇପାରେ ବୋଲି ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here