Spread the love

ଲକ୍ଡାଉନ ନିୟମ କୋହଳ ହେବାର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ବଢ଼ିଛି ସମସ୍ତଙ୍କୁ ଜଣା । ଓଡ଼ିଶା ଫେରୁଥିବା ସୁରତ ଓ ପଶ୍ଚିମବଙ୍ଗ ଶ୍ରମିକମାନଙ୍କ ସଂଖ୍ୟା ଆଉ କେତେ ଦିନରେ ପାଞ୍ଚଅଙ୍କ ସ୍ପର୍ଶ କରିବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ରବିବାର ରାତିରେ କେନ୍ଦ୍ର ସରକାର ପ୍ରବାସୀଙ୍କ ସ୍ୱଗୃହ ପ୍ରତ୍ୟାବର୍ତ୍ତନ ଲାଗି ମଙ୍ଗଳବାର ୧୫ଟି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଲେ । ରାଜ୍ୟମାନେ ମୁହଁ ମାଡ଼ି ଏ କଥାକୁ ସ୍ୱୀକାର କରିନେଲେ । କାରଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ଏ ନେଇ ରହିତାଦେଶ ଜାରି କରିବା ସହ ନିଜନିଜ ରାଜ୍ୟକୁ ଫେରିବାର ଅଧିକାର ସମସ୍ତଙ୍କର ରହିଛି ବୋଲି କହିଥିଲେ । ତେବେ ସୁୂପ୍ରିମକୋର୍ଟ ହାଇକୋର୍ଟ ଦେଇଥିବା ପରୀକ୍ଷା କରିବା କଥାକୁ ଭୁଲିଗଲେ । ଏହାର ସୁଯୋଗ ନେଲେ ଦେଶର ପ୍ରଧାନମନ୍ତ୍ରୀ ତଥା ଭାରତର ଅନ୍ୟତମ ଲୋକପ୍ରିୟ ନେତା ତଥା ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ଡାଉନରେ ଆମର କଣ ଲାଭ ହେଇଛି ତାହାର ସମୀକ୍ଷା ଆବଶ୍ୟକ । ଲକଡାଉନ ପୂର୍ବରୁ କିମ୍ବା ସଂପୂର୍ଣ୍ଣ ଲକ୍ଡାଉନ ଥିବା ବେଳେ ପ୍ରବାସୀମାନଙ୍କୁ ନିଜନିଜ ରାଜ୍ୟକୁ ପଠାଇବା ଲାଗି କାହିଁ କି ବ୍ୟବସ୍ଥା କରାନଗଲା? ତଥାକଥିତ ପଣ୍ଡିତ ଜ୍ଞାନୀଗୁଣୀଙ୍କ ମଧ୍ୟରେ ସେତେବେଳେ କାହିଁକି ଏ ବୁଦ୍ଧି ନ ଜୁଟିଲା । ବିଦ୍ୱାନଭାବେ ଟିଭିରେ ଡିଏନଏ ଟେଷ୍ଟ ସହ ପ୍ରଧାନମନ୍ତ୍ରୀ ତଥା ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଘଣ୍ଟା ଘଣ୍ଟା ଇଣ୍ଟରଭ୍ୟୁ ନେଉଥିବା ବଡ଼ ବଡ଼ ସାମ୍ବାଦିକମାନେ କେବେ ଏ ବିଷୟରେ ଚର୍ଚ୍ଚା ନକରି କେବଳ ବ୍ୟକ୍ତି କୈନ୍ଦ୍ରିକ ସମ୍ବାଦ ପରିବେଷଣ କରିବା ସହ ଲକଡାଉନକୁ ନେଇ ନେତାଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଲେ । ଯେତେବେଳେ ଶ୍ରମିକମାନେ ଏକାଠି ହୋଇ ଘର ବାହୁଡ଼ିବା ଲାଗି ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ସୃଷ୍ଟି କଲେ ଓ ସାମାଜିକ ଦୂରତ୍ୱ କଥା ଭୁଲି ଗଲେ ସେତେବେଳେ ଏ ତଥାକଥିତ ଗଣମାଧ୍ୟମର ଲୋକେ କେବଳ ସେମାନଙ୍କ ନିୟମ ଅବମାନନା ସଂପର୍କରେ ରିପୋର୍ଟ ଦେଖାଇଲେ । ଭୁଲିଗଲେ ଯେ ସରକାର ଯେଉଁମାନଙ୍କ କଥାରେ ଚାଲୁଛି ସେମାନେ ଏ ଗରିବ ଖଟିଖିଆଙ୍କ କଥା ଆଗରୁ ଚିନ୍ତା କଲେ ନାହିଁ କାହିଁକି ? ଲକ୍ଡାଉନର ୪୦ ଦିନ ପରେ ସମସ୍ତେ ଯେମିତି କାନ୍ଦିବା ଆରମ୍ଭ କଲେ ସେଥିରୁ କେବଳ ଭୋଟ ରାଜନୀତି ସ୍ପଷ୍ଟ ହେଉଛି କି ନାହିଁ ତାହା ସାଧାରଣ ଜନତା ବିଚାର କରନ୍ତୁ । ସବୁଠାରୁ ବଡ଼ କଥା ହେଲା ଦେଶର ଅର୍ଥନୀତି ସହ ଆମ ରାଜ୍ୟର ସାଂପ୍ରତିକ ସ୍ଥିତି । ଭାରତ ୫ ଟ୍ରିଲିୟନ ଅର୍ଥନୀତି ହେବ ବୋଲି କେନ୍ଦ୍ର ସରକାରଙ୍କର ପ୍ରତି ନେତା କହି ବୁଲୁଥିଲେ । ତେବେ ୪୦ ଦିନ ପରେ ଯଦି ଏ ପ୍ରଶ୍ନ ସେମାନଙ୍କୁ ପଚରାଯିବ ତେବେ ସବୁ କରୋନା ଦୋଷ ବୋଲି ସେମାନେ ସ୍ପଷ୍ଟ କହିବେ । ଦେଶରେ ହାତଗଣତି କେତେକ ଲୋକଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା କଣ ସମଗ୍ର ଦେଶର ପ୍ରଗତି ? ତେବେ ଯଦି ଉପରୋକ୍ତ ପ୍ରଶ୍ନର ଉତ୍ତର ନା ହୁଏ ତେବେ କିଭିଳ ଭାରତ ୫ ଟ୍ରିଲିୟନ ଅର୍ଥନୈତିକ ପ୍ରଗତି ହାସଲ କରିବାକୁ ଯାଉଛି ତାହା କେବଳ ଦେଶର ମହାନ ଅର୍ଥମନ୍ତ୍ରୀଙ୍କୁ ଜଣାଥିବ । ସେହିଭଳି ରାଜ୍ୟରେ କି ପ୍ରଗତି ହେଉଥିଲା ତାହା ମଧ୍ୟ ନ କହିବା ଭଲ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୋମବାର କେତେକ ମୁଖ୍ୟମନ୍ତ୍ରୀ ରେଳ ଓ ବିମାନ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି । ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ କହିଛନ୍ତି । ସାଧାରଣ ଜନତାଙ୍କ ଜୀବନକୁ ବିପନ୍ନ କରି ସରକାର ରେଳ ଓ ବିମାନ ଚଳାଚଳ କରିବାକୁ କିଭଳି ଭାବି ପାରୁଛନ୍ତି ? ଏଭଳି ପ୍ରଶ୍ନ ଲୋକଙ୍କ ମନରେ ଆସିବା ସ୍ୱାଭାବିକ । ଯଦି ଦେଶର ୧୩୦ କୋଟି ଲୋକ ତାଳି ମାରି ଶଙ୍ଖ ଫୁଙ୍କି ଭୋକରେ ୪୦ ଦିନ ରହିପାରିଲେ ଆଉ ୨୦/୨୫ ଦିନ ଲକ୍ଡାଉନରେ ରହି ପାରିବେ ନାହିଁ? ସାଧାରଣରେ ଏଭଳି ପ୍ରଶ୍ନ ହେବା ସ୍ୱାଭାବିକ ଓ ହେଲାଣି ମଧ୍ୟ । ସରକାର ଯଦି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚାଉଳ ଠାରୁ ଆରମ୍ଭ କରି ଗ୍ୟାସ ଚୁଲା ପର୍ଯ୍ୟନ୍ତ ସବୁ ମାହାଳିଆ ଯୋଗାଇ ଦେଉଛି ତେବେ ସେମାନଙ୍କ ଲାଗି ଏ ଲକଡାଉନ କି ସଟ୍ଡାଉନର ଅର୍ଥ କଣ ଅଛି । ଏଭଳି ପ୍ରଶ୍ନର ଉତ୍ତର ହୁଏତ ଅନେକ ରାଜନେତାଙ୍କ ପାଖରେ ନଥିବ । ତେବେ ସବୁଠାରୁ ହଇରାଣ ଅଧିକ ହେଉଛନ୍ତି ମଝିରେ ଥିବା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରର ଲୋକ । ନା ଏ କୁଳରେ ହେଲୁ ନା ସେ କୁଳର ନ୍ୟାୟରେ ନା ଏମାନେ ସରକାରୀ ସାହାଯ୍ୟ ପାଇବେ ନା ସରକାରଙ୍କୁ କିଛି କହିପାରିବେ । କାରଣ ଏମାନଙ୍କ ସଂଖ୍ୟା ୨୦ କୋଟି ପାଖାପାଖି ହେବ । ବିମୁଦ୍ରାକରଣ ବେଳେ ଏଇ ଲୋକ ହିଁ ସର୍ବାଧିକ କ୍ଷତିଗ୍ରସ୍ଥ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଉକ୍ତ ପଦକ୍ଷେପ ଦ୍ୱାରା ଦେଶର କଣ ଲାଭ ହେଲା ସେ ବିଷୟରେ ନା ବିରୋଧୀ ଦଳର କାର୍ଟୁନ ନେତାମାନେ କେବେ ସର୍ବସାଧାରଣରେ ଆଲୋଚନା କରିଛନ୍ତି ନା ସରକାରଙ୍କୁ ମୁହାଁମୁହିଁ ପ୍ରଶ୍ନ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ଭୋଟର କିଛି ମୂଲ୍ୟ ନାହିଁ । କାରଣ ଅଧା ଲୋକ ଏମାନଙ୍କ ମଧ୍ୟରୁ କେବଳ ଭାଷଣରେ ଭଳି ଭୋଟ ଦେଇଥାନ୍ତି ଓ ଆଉ ଅଧା ଜୀବନରେ କେବେ ଭୋଟ ଦେବାକୁ ଉଚିତ ମନେ କରି ନଥାନ୍ତି । ତେବେ ଏ କରୋନା ଯଦି ପ୍ରବାସୀଙ୍କ ଯୋଗୁ ବ୍ୟାପେ ତେବେ ଆଉ କେହି ବିପଦରେ ପଡୁନପଡୁ ଏମାନେ ହିଁ ପଡ଼ିବେ ଏଥିରେ ଦ୍ୱିମତ ହେବାର ନାହିଁ । ତେଣୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁକୁ ଆଲିଙ୍ଗନ କରିବା ପୂର୍ବରୁ ସ୍ୱର ଉତ୍ତୋଳନର ବେଳ ଆସିଛି କି ନା ତାହା ଲୋକେ ବିଚାର କରନ୍ତୁ

LEAVE A REPLY

Please enter your comment!
Please enter your name here