Spread the love

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଆର୍ଥିକ ପୁନରୁଦ୍ଧାର ପ୍ୟାକେଜ କେବଳ ଧର୍ମକୁ ଆଖିଠାର ଭଳି । ଏଥିରେ ପ୍ରକୃତ ହିତାଧିକାରୀ ସହାୟତା ପାଇବେ ନାହିଁ । କେବଳ ଲୋକ ଦେଖାଣିଆ ଭାବେ ଘୋଷଣା କରାଯାଇଛି ଓ ଗୁରୁବାର ସୂଚକାଙ୍କ ହ୍ରାସ ପାଇବା ଏହାର ପ୍ରମାଣ ବୋଲି ବଜାର ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।
ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ ଦୁଇଟି ଦିଗ ପ୍ରକୃତ ସତ୍ୟ ଉନ୍ମୋଚନ କରୁଛି । ପ୍ରଥମରେ ଏମଏସଏମଇର ସଂଜ୍ଞା ପରିବର୍ତ୍ତନ । ସରକାର ଅଣୁ ଶିଳ୍ପ ପାଇଁ ପୂର୍ବରୁ ବିନିଯୋଗ ସୀମା ୨୫ ଲକ୍ଷ ଥିଲା ବେଳେ ଏବେ ତାହାକୁ ୧କୋଟିକୁ ବୃଦ୍ଧି କରିଛନ୍ତି । ସେହିପରି କ୍ଷୁଦ୍ର ପାଇଁ ୫କୋଟିରୁ ୧୦କୋଟି ଓ ମଧ୍ୟମ ଶିଳ୍ପ ପାଇଁ ବିନିଯୋଗ ସୀମା ୧୦କୋଟିରୁ ୨୦କୋଟିକୁ ବୃଦ୍ଧି କରିଛନ୍ତି । ଏଥିସହ ଟର୍ଣ୍ଣଓଭର ନିୟମରେ ପରିବର୍ତ୍ତନ କରିବା ସହ ସେବା କ୍ଷେତ୍ରକୁ ଏଥିରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହାଦ୍ୱାରା ଯେଉଁମାନେ ୧କୋଟି ଟଙ୍କା ବିନିଯୋଗ କରି କିଛି ଆରମ୍ଭ କରିଛନ୍ତି ସେମାନେ ଅଣୁ ଶିଳ୍ପୋଦ୍ୟୋଗୀ ଭାବେ ବିବେଚିତ ହେବେ । ମାତ୍ର ଟ୍ରାଭେଲ ଏଜେନ୍ସି, ବିଜ୍ଞାପନ ଏଜେନ୍ସି ପରି ସେବା ଯୋଗାଉଥିବା ସଂସ୍ଥା ଗୁଡ଼ିକର ବିନିଯୋଗ ମାତ୍ରା କମ ମାତ୍ର ଟର୍ଣ୍ଣଓଭର ଅଧିକ । ନୁଆ ନିୟମ ବଳରେ ଏମାନେ କୌଣସି ବର୍ଗରେ ସାମିଲ ହେବେ ନାହିଁ କି ସହାୟତା ପାଇବେ ନାହିଁ ।
ଏଥିସହ ଏମଏସଏମଇରେ ମାସିକ ୧୫ହଜାରରୁ କମ ଦରମା ପାଉଥିବା କର୍ମଚାରୀଙ୍କ ଇପିଏଫ ଦେୟ ସରକାର ପ୍ରଦାନ କରିବେ । ତେବେ ପ୍ରଶ୍ନ ଉଠୁଛି ଯେ ସରକାର ଘରୋଇ କ୍ଷେତ୍ର ପାଇଁ ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିଛନ୍ତି । ତଦନୁସାରେ କେତେ ଶ୍ରମିକ ଏହାଦ୍ୱାରା ଉପକୃତ ହେବେ ତାହା ଜଣାପଡ଼ୁନାହିଁ । କାରଣ ଏବେ କୌଣସି କାରଖାନାରେ କୁଶଳୀ ଓ ଅତିକୁଶଳୀ ବର୍ଗର ଶ୍ରମିକ ୧୫ହଜାର କିମ୍ବା ତା’ଠାରୁ କମ ପାଉନାହାନ୍ତି । ସେହିପରି ଯେଉଁ ଏମଏସଏମଇ ଋଣ ନେଇ ପରିଶୋଧ କରିନାହନ୍ତି ସେଗୁଡ଼ିକୁ ମଧ୍ୟ ନୂଆ ରିହାତି ଋଣ ଦେବା ପାଇଁ ଘୋଷଣା କରାଯାଇଛି । ତେବେ ଯେଉଁ ମାନେ ଅଭ୍ୟାସଗତ ଭାବେ ଋଣ ନେଇ ପରିଶୋଧ କରିନାହାନ୍ତି ସେମାନଙ୍କୁ ପୁଣି ଋଣ ଦେବାର ଯଥାର୍ଥତା କ’ଣ ବୋଲି ପ୍ରଶ୍ନ ଉଠିଲାଣି । ତେଣୁ ଯେଉଁ ମାନେ ନିକଟରେ ଋଣ ନେଇଛନ୍ତି ଓ ବ୍ୟବସାୟିକ କ୍ଷତି ଯୋଗୁ ଋଣ ପରିଶୋଧ କରିପାରିନାହାନ୍ତି ସେମାନଙ୍କୁ ଏହି ଯୋଜନାରେ କେବଳ ଅନ୍ତର୍ଭୂକ୍ତ କରାଯିବାର ଆବଶ୍ୟକତା ଅଛି ।
କେନ୍ଦ୍ର ସରକାରଙ୍କ ଏହି ତୃଟିପୂର୍ଣ୍ଣ ପ୍ୟାକେଜ ଘୋଷଣା ଯୋଗୁ ଗୁରୁବାର ଷ୍ଟକ ବଜାର ମଧ୍ୟ ପ୍ରଭାବିତ ହୋଇଛି । ମୋଦିଙ୍କ ଘୋଷଣା ପରେ ଯେଉଁ ଫଟକା ବଜାର ଉପରକୁ ଉଠିଥିଲା ତାହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବାଖ୍ୟା ପରେ ନିମ୍ନଗାମୀ ହୋଇଛି । ଗୁରୁବାର କାରବାର ଆରମ୍ଭରେ ବିଏସଇ ୬୨୭ ପଏଣ୍ଟ ହ୍ରାସ ପାଇଥିଲା ବେଳେ ଏନଏସଇ ୧୮୨ପଏଣ୍ଟ ହ୍ରାସ ପାଇ ୯,୨୦୧ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here