Spread the love

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ଏବେ ବି ସମୁଦ୍ରରେ ରହିଛି, ଶକ୍ତି ସଂଗ୍ରହ କରୁଛି ଓ ମହାବାତ୍ୟାରେ ପରିଣତ ହୋଇଛି । ତେବେ ମହାବାତ୍ୟାର ପ୍ରକୋପ ସମୁଦ୍ରରେ ସୀମିତ ରହିବ । ‘ଅମ୍ଫାନ’ଏବେ ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଗତି କରୁଛି । ଓଡ଼ିଶାର ପାରାଦ୍ୱୀପ ଠାରୁ ଦକ୍ଷିଣକୁ ୭୯୦ କିଲୋମିଟର, ପଶ୍ଚିମବଙ୍ଗର ଦୀଘାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୯୪୦ ଓ ବାଂଲାଦେଶର ଖେପୁପୁରାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୧୦୬୦ କିଲୋମିଟର ଦୁରରେ ଅଛି ।
‘ଅମ୍ଫାନ’ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ମଇ ୨୦ ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ ଓ ପବନର ଧକ୍କା ୧୮୫ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି । ‘ଅମ୍ଫାନ’ ସ୍ଥଳଭାଗ ଛୁଇଁଲା ବେଳକୁ ଶକ୍ତି କ୍ଷୟ ହୋଇଥିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଓଡ଼ିଶାର ଉତ୍ତର ଉପକୂଳ ‘ଅମ୍ଫାନ’ ଦ୍ୱାରା ବିଶେଷ ପ୍ରଭାବିତ ହେବ । ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ମଇ ୧୯ ଓ ୨୦ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ପବନ ବୋହିବାର ସମ୍ଭାବନା ଅଛି । ରାଜ୍ୟରେ ପବନର ସର୍ବାଧିକ ବେଗ ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି । ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉକ୍ତ ୪ ଜିଲ୍ଲାରେ ଯୋଗାଯୋଗ, ବିଦୁ୍ୟତ, ପାନୀୟ ଜଳ, ଡାକ୍ତରଖାନାରେ ୨ଘଣ୍ଟିଆ ବିଦୁ୍ୟତ ଯୋଗାଣ ପ୍ରତି ଗୁରୁତ୍ୱାରୋପ କରାଯାଇଛି । ଏନଡିଆରଏଫର ୧୦ଟି ଟିମକୁ ରାଜ୍ୟର ୭ ଜିଲ୍ଲାକୁ ପଠାଯାଇଛି ଓ ୧୦ଟିକୁ ସତର୍କ କରି ରଖାଯାଇଛି ।
ରାଜ୍ୟରେ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ସୁଚନା ସେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଆବଶ୍ୟକ ହେଲେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ୫୬୭ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଥିଲା ବେଳେ ଅତିରିକ୍ତ ୭,୦୯୨ଟି ଘର ମଧ୍ୟ ଚିହ୍ନଟ ହୋଇଛି । ରାଜ୍ୟର ୧୨ଟି ଉପକୂଳ ଜିଲ୍ଲାରେ ମୋଟ ୮୦୯ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୨୪୨ଟି ବ୍ୟବହାର ହେଉଛି । ପୂର୍ବରୁ ବାତ୍ୟା ସମୟରେ ଅନେକ ଲୋକ ଗୋଟିଏ ସ୍ଥାନରେ ରହିପାରୁଥିଲେ । ମାତ୍ର କରୋନା ସଂକ୍ରମଣ ଭୟ ଯୋଗୁ ବାତ୍ୟା ବିସ୍ଥାପିତଙ୍କ ପାଇଁ ସାମାଜିକ ଦୁରତ୍ୱକୁ ଲକ୍ଷ୍ୟ ରଖି ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି । ୨୧ ତାରିଖ ଯାଏ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି କରୋନା ସଂକ୍ରମଣ ପାଇଁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନର ଗତିପଥକୁ ସୋମବାରଠାରୁ ୪ଦିନ ପାଇଁ ବଦଳାଯାଇଛି । ଏହି ଟ୍ରେନ ଗୁଡ଼ିକ ଭଦ୍ରକ-ବାଲେଶ୍ୱର-ହିଜଲି ରୁଟକୁ ଛାଡ଼ି ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁରସିଟି-ଝାରସୁଗୁଡ଼ା-ରାଉରକେଲା-ଟାଟା ରୁଟରେ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here