Spread the love

ଭୁବନେଶ୍ୱର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ଏକ ସପ୍ତାହ ତଳେ ଯାହା ଥିଲା ଏବେ ତା’ର ଦେଢ଼ ଗୁଣ ବଢ଼ିବା ସମସ୍ତଙ୍କୁ ଆତଙ୍କିତ କରିଛି । ସହରଠୁ ଗାଁ ଗହଳି ଯାଏ ସବୁଠି ଆତଙ୍କ । ତେବେ ଏଥି ପାଇଁ ଦାୟୀ କିଏ ? ସରକାର ନା ଲୋକେ ନା କେବଳ ମିଛରେ ରେଟିଂ ଲାଗି ୨୪ ଘଣ୍ଟା ଲୋକଙ୍କୁ ମନଇଚ୍ଛା ଖବର ଦେଖାଉଥିବା ତଥାକଥିତ ନ୍ୟୁଜ୍ ଚ୍ୟାନେଲ୍ ।
ଏଭଳି ଏକ ସ୍ପର୍ଶକାତର ଘଟଣାର ଡିଏନ୍ଏ ସମୀକ୍ଷା କରିବାର ବେଳ ଆସିଛି । ମିଡ଼ିଆ ଟ୍ରାଏଲକୁ ମୂଳରୁ କୋଭିଡ଼-୧୯ ଲାଗି ରାଜ୍ୟ ସରକାରଙ୍କ ନିଯୁକ୍ତ ଅବୈତନିକ ମୁଖପାତ୍ର ସୁବ୍ରତ ବାଗଚୀ ବାରଣ କରିଥିଲେ । ବ୍ରେକିଂର ସମୟ ଏହା ନୁହେଁ ବୋଲି ସେ ପ୍ରଥମ ଦିନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ତେବେ ୪୦ ଦିନ ଧରି ରାତିଦିନ ଟିଭି ଚ୍ୟାନେଲ୍ମାନେ କେବଳ କରୋନା କରୋନା ଘୋଷି ହେଲେ । ଯେଉଁଥିରେ କିଛି ନୂଆ କଥା ନଥିଲା ମାତ୍ର ହଠାତ୍ କିଛି ହ୍ୱାଟସ୍ ଅପ୍ ଭିଡିଓ ଭାଇରାଲ୍ ହେଲା ଓ ଏହା ଟିଭି ଚ୍ୟାନେଲ୍ ଗୁଡ଼ିକ ଲାଗି ଗରମ ମସଲା ହୋଇଗଲା । ବାହାର ରାଜ୍ୟରେ ରହି କାର୍ୟ୍ୟ କରୁଥିବା ସବୁ ଲୋକଙ୍କୁ ଶ୍ରମିକ ବୋଲି ଏମାନେ ଘୋଷଣା କଲେ । ଆଉ ପ୍ରତି ଭିଡ଼ିଓରେ ଦେଖାଗଲା ଆକୂଳ ନିବେଦନ । ସରକାର ଆମକୁ ରକ୍ଷାକର । ଖାଇବାକୁ ନାହିଁ କି ପିଇବାକୁ ନାହିଁ । ଚାଲିଲା ଘଣ୍ଟା ଘଣ୍ଟା ଡିବେଟ୍ । ଚ୍ୟାନେଲଗୁଡ଼ିକରେ ତଥାକଥିତ ସାମାଜିକ କର୍ମୀମାନେ କହି ଚାଲିଲେ ସରକାର ତୁରନ୍ତ ସେମାନଙ୍କୁ ଘରକୁ ଫେରାଇ ଆଣନ୍ତୁ । ସରକାରଙ୍କ ଉପରେ ବଢିଚାଲିଲା ଚାପ । ଶ୍ରମିକମାନଙ୍କ ଆକୂଳ ନିବେଦନରେ କାହାକୁ ଅଣାଯିବ କାହାକୁ ଅଣାଯିବନି ସେଥିଲାଗି କେହି କିଛି ଯୋଜନା କରିବା ଆଗରୁ ସରକାରୀ ଘୋଷଣା କରାଗଲା । ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଘରକୁ ଅଣାଯିବ ଓ ସରକାରୀ ସଙ୍ଗରୋଧରେ ରଖାଯିବ । କେବଳ ସେତିକି ନୁହେଁ ଘୋଷଣା କରାଗଲାଳ ଯେ ପ୍ରତି ଶ୍ରମିକଙ୍କ ପାଇଁ କେତେ ବ୍ୟୟ ହେବ ଓ କେତେ ପ୍ରୋତ୍ସାହନ ରାଶି ଦିଆଯିବ । ବାହା, ବ୍ରତଘର ପାଇଁ ଗୁଆ ଦିଆଯାଇ ଘରକୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କଲା ଭଳି ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଅଣାଯିବା ବ୍ୟବସ୍ଥା କରାଗଲା । ଶ୍ରମିକମାନଙ୍କ ଆସିବା ଆରମ୍ଭ ହେଲା ଅପ୍ରେଲ୍ ୨୯ ତାରିଖରୁ । ଯେମିତି ତଥାକଥିତ ଶ୍ରମିକମାନେ ଓଡିଶାରେ ପାଦ ଦେଲେ ସେମାନଙ୍କ ପ୍ରକୃତ ସ୍ୱରୂପ ଦେଖାଇବା ଆରମ୍ଭ କରିଦେଲେ । ସଙ୍ଗରୋଧରେ ଖାଇବା ପିଇବା ଅବ୍ୟବସ୍ଥା ଥିବା ଦେଖାଇ ଲୁଚିଲୁଚି ୨ଶହରୁ ଉଦ୍ଧ୍ୱର୍ କୁଆଡ଼େ ପାର ହୋଇଗଲେ । ଆଉ କେତେକ କୋଳାକୋଳି ହୋଇ ଟିକ୍ ଟକ୍ ଭିଡିଓ ଛାଡ଼ିଲେ । ଏହା ମଧ୍ୟ ଗଣମାଧ୍ୟମକୁ ୨ ଦିନ ଚର୍ଚ୍ଚା କରିବାକୁ ଖୋରକ ଯୋଗାଇଲା । ଆଉ ଇତିମଧ୍ୟରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର ହୋଇଗଲା । ନବୀନ ସରକାର ଏକ ଦୃଢ଼ମନା ସରକାର ହୋଇଥିବା ବେଳେ କାହିଁକି ଓ କିଏ ଏଭଳି ସ୍ଥିତି ଉପୁଜାଇବା ଲାଗି ସୁଯୋଗ ଦେଲେ ତାହା ବୁଝା ପଡୁନାହିଁ । ଲକ୍ ଡାଉନ ଏବେ ବଳ ବତ୍ତର ଥିବା ବେଳେ ଅର୍ଥନୈତିକ ଗତିକୁ ଗଡାଇବା ଲାଗି ସକାଳ ୭ରୁ ସଂନ୍ଧ୍ୟା ୭ ଯାଏ ଅନେକ କୋହଳ କରାଯାଇଛି । ଆମ ଲୋକେ ପିଲାବେଳୁ ବାପା ମାଆଙ୍କ କଥାକୁ ଅମାନ୍ୟ କରି ମନଇଚ୍ଛା କାର୍ୟ୍ୟ କରୁଛନ୍ତି । ସ୍କୁଲରେ ଶିକ୍ଷକମାନଙ୍କ କଥାକୁ କେତେ ଶୁଣୁଛନ୍ତି ତାହା ସମସ୍ତଙ୍କୁ ଜଣା । ଆଉ କଲେଜ ଗଲା ପରେ ତ କଥା ସରିଯାଉଛି । ନୈତିକ ଅଧଃପତନ ହୋଇଥିବା ଦେଶରେ ଗଣମାଧ୍ୟମ ଗୁଡ଼ିକ ଟିଆରପି ଲାଗି ତଥାକଥିତ ସାମାଜିକ କର୍ମୀଙ୍କ ମାଧ୍ୟମରେ କୋର୍ଟ କଚେରୀରେ ଜନସ୍ୱାର୍ଥ ମାମଲା ଦାୟର କରି ତେତେ ନୀତିବାନ ଲୋକଙ୍କ ମୁହଁ ବନ୍ଦ କରାଇ ଦେଇଛନ୍ତି ତାହାର ଉଦାହରଣ ଦେବା ମଧ୍ୟ ଅନାବଶ୍ୟକ । ଏଭଳି ସ୍ଥିତିରେ ସରକାର ଏ ଟିଭି ଚ୍ୟାନେଲ ମାନଙ୍କ ତଥାକଥିତ ଭିଡ଼ିଓରେ ଭଳି ନଯାଇ ୪ କୋଟି ଲୋକଙ୍କ ଜୀବନ ବଞ୍ଚାଇବା ଭଳି ପଦକ୍ଷେପ ନେବା ଉଚିତ ବୋଲି ବରିଷ୍ଠ ସାମ୍ବାଦିକ ସମରେନ୍ଦୁ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here