Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାରୁ ଆଜି ପୁନର୍ବାର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦ୍ୱିଗୁଣୀତ ହୋଇଛି । ଫଳରେ ରାଜ୍ୟରେ କୋଭିଡ଼-୧୯ ସଂଖ୍ୟା ୧୦୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ମହିଳା ରହିଥିବା ବେଳେ ୫ମ ବ୍ୟକ୍ତି ଜଣକ ଯୁବକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ସମସ୍ତ ଆକ୍ରାନ୍ତ କଲିକତା ଫେରନ୍ତା ଶ୍ରମିକ ଓ ସେମାନଙ୍କ ସଂପର୍କରେ ଆସିଥିଲେ ବୋଲି ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି ।
ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷକରି କଲିକତାରୁ ଲୁଚିକି ଆସିଥିବା ପ୍ରାୟ ୪ଶହ ଶ୍ରମିକଙ୍କ ମଧ୍ୟରୁ ଅନେଶ ଏବେ କରୋନା ଆକ୍ରାନ୍ତ । ଏକାଧିକ ଉପାୟରେ ଯେନତେନ ଉପାୟରେ ଓଡ଼ିଶା ପଳାଇ ଆସୁଥିବା ପ୍ରବାସୀ ଶ୍ରମିକମାନେ ଏବେ କରୋନା ସଂକ୍ରମିତ ହେବା ପ୍ରତିଦିନ ପରୀକ୍ଷାରୁ ଜଣାପଡୁଛି । ଭୟ ଓ ଲୋକଲଜ୍ଜା ଏବଂ ଅଜ୍ଞତା ଏମାନଙ୍କ ଲାଗି କାଳ ହୋଇଛି । ଫଳରେ କୋଭିଡ଼-୧୯ କୁ ରୋକିବା ଲାଗି ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ଶକ୍ତ ଧକ୍କା ଲାଗିଛି ।
ଆଜି ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟା ମହିଳା ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ୨୨ ବର୍ଷୀୟା , ୨୩ ବର୍ଷୀୟା , ୨୯ବର୍ଷୀୟା ମହିଳାଙ୍କ ସହ ଜଣେ ୨୭ ବର୍ଷୀୟ ଯୁବକ ରହିଛନ୍ତି ।
ରାଜ୍ୟ ସରକାର ଇତିମଧ୍ୟରେ ଆଜି ଦିନ ୧୨ଠାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଅନେକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରି ସେଠାରେ ସମସ୍ତ ପ୍ରକାର କଟକଣା ଜାରି କରିଛନ୍ତି । କଟକଣାକୁ ଆସନ୍ତା ୨୯ ତାରିଖ ଯାଏଁ ବଳବତ୍ତର ରଖାଯିବ । ଏହି ସମୟ ମଧ୍ୟରେ ସେଠାରେ ସଂଖ୍ୟାଧିକ ଲୋକଙ୍କର କରୋନା ଭୂତାଣୁ ପରୀକ୍ଷା କରାଯିବା ଲାଗି ଲକ୍ଷ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here