Spread the love

ଭୁବନେଶ୍ୱର: ଲକଡାଉନ ୨-୦ ଶେଷ ହେବା ପରେ ମଇ ୪ରୁ ଗ୍ରୀନ ଜୋନରେ ମଦ ବିକ୍ରୀ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଇତିମଧ୍ୟରେ ୯ଟି ରାଜ୍ୟରେ ମଦ ବିକ୍ରୀ ଆରମ୍ଭ ହୋଇଛି ଓ ଓଡ଼ିଶା ସରକାର ଦୋଦୁଲ୍ୟମାନ ଅବସ୍ଥାରେ ଅଛନ୍ତି । ତଥାକଥିତ ମଦ ବିରୋଧି ମାନେ ମଦ ବିକ୍ରୀକୁ ବିରୋଧ କରିବାକୁ ଯାଇ ଗଳା ଫଟାଇ ଚିକ୍ରାର କରୁଛନ୍ତି । କିଛି ଗଣମାଧ୍ୟମ ମଧ୍ୟ ମଦ ବିକ୍ରୀ କରିବା ସପକ୍ଷରେ ନାହାନ୍ତି । ମାତ୍ର କେହି ବାସ୍ତବ ସ୍ଥିତି ସମ୍ପର୍କରେ କିଛି କହୁ ନାହାନ୍ତି ।
ମାର୍ଚ୍ଚ ୨୨ରୁ ଓଡ଼ିଶାରେ ମଦ ବିକ୍ରୀ ବନ୍ଦ ହୋଇଛି । ଦୀର୍ଘ ୪୬ ଦିନ ଧରି ସରକାରୀ ଭାବେ ମଦ ବିକ୍ରୀ ବନ୍ଦ ହେବା ପରେ ରାଜ୍ୟରେ ମଦ ବିକ୍ରୀ ହେଉଛି କି ନାହିଁ ସେ ସମ୍ପର୍କରେ କେହି କିଛି ମତ ନଦେଇ କେବଳ ବନ୍ଦ ସପକ୍ଷରେ ଯୁକ୍ତି କରୁଛନ୍ତି । ତେବେ ବାସ୍ତବ ସ୍ଥିତି ହେଉଛି ଯେ ଦୀର୍ଘ ୪୬ ଦିନର ବନ୍ଦ ସତ୍ତ୍ୱେ ରାଜ୍ୟରେ ପ୍ରଚୁର ପରିମାଣର ମଦ ମିଳୁଛି । ତେବେ ସ୍ୱାଭାବିକ ସମୟଠାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି । ଦୋକାନ ଖୋଲା ସମୟରେ ୧୮୦ ମିଲିଲିଟର ଭାରତ ନିର୍ମିତ ବିଦେଶୀ ମଦ ବୋତଲର ସର୍ବନିମ୍ନ ମୂଲ୍ୟ ୧୨୦ଟଙ୍କା ଦେବାକୁ ପଡ଼ୁଥିଲା ବେଳେ ଲକଡାଉନ ସମୟରେ ଏହାର ସର୍ବନିମ୍ନ ମୂଲ୍ୟ ୫୦୦ଟଙ୍କା ରହିଛି । ବିଭିନ୍ନ ବ୍ରାଣ୍ଡ ନେଇ କଳାବଜାରରେ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି । ଏହା କେବଳ ଭାରତ ନିର୍ମିତ ବିଦେଶୀ ମଦ କ୍ଷେତ୍ରରେ ନୁହେଁ । ଦେଶୀ ମଦ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ରାଜ୍ୟରେ ଦୁଇ ପ୍ରକାରର ଦେଶୀ ମଦ ବିକ୍ରୀ ହେଉଛି । ଆସ୍କା ଚିନି କଳ ଦ୍ୱାରା ପ୍ରସ୍ତୁତ ଆସ୍କା-ଫର୍ଟି ଓ ପାଉଚରେ ମହୁଲୀ ମଦ । ଲକଡାଉନ ପୂର୍ବରୁ ଆସ୍କା-ଫର୍ଟି ବୋତଲ ୭୦-୭୫ ଟଙ୍କା ପଡ଼ୁଥିଲା ବେଳେ ମହୁଲି ପାଉଚ ୨୫ ଟଙ୍କାରେ ମିଳୁଥିଲା । ଲକଡାଉନ ବେଳେ ଆସ୍କା-ଫର୍ଟି ୨୦୦ରୁ ୨୨୦ ଟଙ୍କା ଓ ମହୁଲି ପାଉଚ ୧୦୦ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା ।
ତଥାକଥିତ ମଦ ବିରୋଧିଙ୍କ ଯୁକ୍ତି ମଧ୍ୟରେ ବଳିଷ୍ଠ ହେଉଛି ମଦ ଦ୍ୱାରା ଗରିବ ଶ୍ରେଣୀର ଲୋକଙ୍କର କ୍ଷତି ହେଉଛି ଓ ପାରିବାରିକ ହିଂସା ବଢୁଛି । ମାତ୍ର ଲକଡାଉନ ବେଳେ ଯେତିକି ଆସ୍କା-ଫର୍ଟି ଓ ମହୁଲି ବିକ୍ରୀ ହୋଇଛି ତାହା କେବଳ ଗରିବ ଲୋକଙ୍କ ପେଟକୁ ଯାଇଛି । ଏ କଥା ବୋଧ ହୁଏ ମଦ ବିରୋଧି ଜାଣିନାହାନ୍ତି କିମ୍ବା ଜାଣିଶୁଣି ଜାଣୁନାହାନ୍ତି ।
ଲକଡାଉନ ବେଳେ ଯଦି ଲୋକେ ୩-୪ ଗୁଣ ଅଧିକ ମୂଲ୍ୟ ଦେଇ ମଦ ପାଉଛନ୍ତି ଓ ସେଥିପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ତେବେ ସରକାରୀ ଭାବେ ମଦ ବନ୍ଦ କରି କ’ଣ ଲାଭ ମିଳିବ? ଏକ ହିସାବରୁ ଜଣାପଡ଼ିଛି ଯେ ୪ ତାରିଖ ସୋମବାରଠାରୁ କେତେକ ସ୍ଥାନରେ ମଦ ବିକ୍ରୀ ଆରମ୍ଭ ହୋଇଛି ଓ ଗୁରୁବାର ସୁଦ୍ଧା ମୋଟ ବ୍ୟବସାୟ ହଜାରେ କୋଟି ଟଙ୍କା ଟପିଯାଇଛି ଯାହାକି ଏକ ରେକର୍ଡ ବୋଲି କୁହାଯାଇଛି । ପ୍ରଥମ ଦିନରେ କର୍ଣ୍ଣାଟକରେ ୧୦୦ କୋଟି ଟଙ୍କାର ମଦ ବ୍ୟବସାୟ୍ର ହୋଇଥିଲା । ଏପରିକି ହରିୟାନା, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗପରି କେତେକ ରାଜ୍ୟ ଲକଡାଉନ ସମୟର ରାଜସ୍ୱ କ୍ଷତିକୁ ଭରଣା କରିବା ପାଇଁ ମଦର ମୂଲ୍ୟ ଦୁଇଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଯଦି ସବୁ ପ୍ରକାରର ପ୍ରତିକୁଳ ସ୍ଥିତି ସତ୍ତ୍ୱେ ଲୋକେ ମଦ ପିଇବାକୁ ବ୍ୟାକୁଳ ଓ ମନ ଇଛା ମୂଲ୍ୟ ଦେବାକୁ ପ୍ରସ୍ତୁତ ତେବେ ରାଜ୍ୟ ସରକାର ମଦ ବିକ୍ରୀ କରିବାରେ ବାଧା କେଉଁଠି ରହୁଛି ତାହା ବୁଝାପଡ଼ୁନାହିଁ । ସରକାରଙ୍କ କ୍ଷେତ୍ରରେ ଅସୁବିଧା ହେଉଛି ସାମାଜିକ ଦୁରତ୍ୱ । ଦିଲ୍ଲୀ ସମେତ କେତେକ ରାଜ୍ୟରେ ମଦ ବିକ୍ରୀ ବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ସେଥିରୁ ରାଜ୍ୟ ସରକାର କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ବୋଲି କୁହାଯାଉଛି । ଦୋକାନ ଖୋଲିଲେ ଏବଂ ଦୋକାନରେ ମଦ ବିକ୍ରୀ ହେଲେ ଭିଡ଼ ହୋଇ ସାମାଜିକ ଦୁରତ୍ୱ ରକ୍ଷା ହୋଇନପାରିବାର ସମ୍ଭାବନା ଅଛି । ଯଦି ଅନଲାଇନ ଓ ହୋମ ଡେଲିଭରୀ ଦ୍ୱାରା ମଦ ବିକ୍ରୀ କରାଯାଏ ତେବେ ସାମାଜିକ ଦୁରତ୍ୱ ପାଳିତ ନହେବାର ଆଶଙ୍କା ରହିବ ନାହିଁ । ତେଣୁ ମଦର ସର୍ବନିମ୍ନ ମୂଲ୍ୟ ଅତିକମରେ ଦୁଇଗୁଣ ବୃଦ୍ଧି କରି ମଦ ବିକ୍ରୀ କରିବା ବିଜ୍ଞତାର ପରିଚୟ ହେବ ।

LEAVE A REPLY

Please enter your comment!
Please enter your name here