Spread the love

ବେଙ୍ଗାଲୁରୁ: ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ପାଇଁ ପ୍ରତିଷେଧକ ଟୀକା ବାହାର କରିବାକୁ ସାରା ବିଶ୍ୱର ବୈଜ୍ଞାନିକ, ଡାକ୍ତର, ବିଶେଷଜ୍ଞ ରାତିଦିନ ଏକ କରିଦେଇଥିଲା ବେଳେ ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଦେଶର ୮ଟି ସହରରେ କରୋନା ଟୀକା ଉଦ୍ଭାବନ କରିବାକୁ ୧୪ ପ୍ରକଳ୍ପ ଚାଲିଛି ବୋଲି ଜଣାପଡ଼ିଛି । ଉଭୟ ଘରୋଇ ଓ ସରକାରୀ କ୍ଷେତ୍ର ଏଥିପାଇଁ କାର୍ଯ୍ୟ କରୁଥିଲା ବେଳେ ଗୋଟିଏ ଟୀକା ପ୍ରୟୋଗାତ୍ମକ ପରୀକ୍ଷାା ସ୍ତରରେ ପହଞ୍ଚିଥିଲା ବେଳେ ୪ଟି ଅନେକ ପର୍ଯ୍ୟାୟ ଆଗେଇ ସାରିଛି ବୋଲି ଜୈବିକ ଜ୍ଞାନ ବିଭାଗ(ଡିବିଟି) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ(ଡିଏସଟି) ପକ୍ଷରୁ ମିଳିଥିବା ସୁଚନାରୁ ଜଣାପଡ଼ିଛି ।
୧୪ଟି ପ୍ରକଳ୍ପ ମଧ୍ୟରୁ କେବଳ ଦୁଇଟି ସହରରେ ୭ଟି ପ୍ରକଳ୍ପ ଚାଲିଛି । ମହାରାଷ୍ଟ୍ରର ପୁନେରେ ୪ଟି ଓ ତେଲେଙ୍ଗାନାର ହାଇଦ୍ରାବାଦରେ ୩ଟି ଚାଲିଛି । ଅନ୍ୟ ଗୁଡ଼ିକ ଗୁଜୁରାଟର ଅହମ୍ମଦାବାଦ, ତାମିଲନାଡ଼ୁର ଭେଲୋର, ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ଇନେ୍ଦାର, କେରଳର ଥିରୁବନନ୍ତପୁରମ ଓ ପଞ୍ଜାବର ମୋହାଲିରେ ଚାଲିଛି । ବର୍ତ୍ତମାନ ୩୦ ଭ୍ୟାକ୍ସିନ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଭାରତ ଏଥିପାଇଁ ବିଶ୍ୱରେ ଚାଲିଥିବା ପ୍ରକଳ୍ପରେ ଅଂଶିଦାର ମଧ୍ୟ ହୋଇଛି । ୬ଟି ଭାରତୀୟ କମ୍ପାନୀ ଭ୍ୟାକ୍ସିନ ଉଦ୍ଭାବନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏକାଧିକ ଗବେଷଣା କେନ୍ଦ୍ର ଓ ଗବେଷକ ମଧ୍ୟ ବିଭିନ୍ନ ଦେଶର ଦଳରେ ସାମିଲ ହୋଇ ଏଥିପାଇଁ ଗବେଷଣା ଚଳାଇଛନ୍ତି ଓ ସେଥିମଧ୍ୟରୁ ୧୦ଟି ପ୍ରକଳ୍ପକୁ ଭାରତ ସରକାର ଆର୍ଥିକ ସହାୟତା ଦେଉଛନ୍ତି ବୋଲି ଡିବିଟିର ସଚିବ ଡଃ ରେଣୁ ସ୍ୱରୁପ କହିଛନ୍ତି । ନାକ ଦ୍ୱାରା ନେଇ ହେଉଥିବା ଭ୍ୟାକ୍ସିନ ସମେତ ରିକମ୍ବିନାଣ୍ଟ ପ୍ରୋଟିନ ଥିବା ଓ ଡିଏନଏରୁ ଆରଏନଏ ଭ୍ୟାକ୍ସିନ କ୍ଷେତ୍ରରେ ଅଧିକ ଅଗ୍ରଗତି ମିଳିଛି ବୋଲି ସେ କହିଛନ୍ତି । ଡିବିଟି ୧୦ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଦେଉଥିଲା ବେଳେ ଡିଏସଟି ପୁନେର ଗୋଟିଏ ଭ୍ୟାକ୍ସିନ ଷ୍ଟାର୍ଟଅପକୁ ସହାୟତା ଦେଉଛି ।
ଭାରତ ବର୍ତ୍ତମାନ ବିଶ୍ୱର ଭ୍ୟାକ୍ସିନ ହବ ଭାବେ କାର୍ଯ୍ୟ କରୁଛି । ପ୍ରାୟ ୧୫୦ ରାଷ୍ଟ୍ର ଭାରତରୁ ବିଭିନ୍ନ ପ୍ରକାରର ଭ୍ୟାକ୍ସିନ ଆମଦାନୀ କରୁଛନ୍ତି । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(‘ହୁ’) ଭାରତକୁ ଅଧିକୃତ ଭ୍ୟାକ୍ସିନ ନିର୍ମାତା ଭାବେ ସ୍ୱିକୃତୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏମକେୟାରସ’ ପାଣ୍ଠିରୁ ବିଭିନ୍ନ ଭ୍ୟାକ୍ସିନର ବିକାଶ ପାଇଁ ୧୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତେବେ କରୋନା ଟୀକା ପାଇଁ ଚାଲିଥିବା ଗବେଷଣାରେ କେଉଁ ଅର୍ଥ ବ୍ୟୟ ହେଉଛି ତାହା ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here