Spread the love

ଭୁବନେଶ୍ୱର: ରାଜ୍ୟରେ କରୋନା ତାଣ୍ଡବ ଅବ୍ୟାହତ ରହିଛି । ରବିବାର ଗୋଟିଏ ଦିନରେ ରାଜ୍ୟରେ ୫୮ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଗଞ୍ଜାମ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ରବିବାର ୨୯ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ମୋଟ ୧୧୮ ଜଣ କରୋନା ପଜିଟିଭ ରୋଗୀ ଅଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରେ ରବିବାର ୧୫ ଜଣ ଓ ଅନୁଗୁଳରେ ୧୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧୩ ଜଣ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଅନୁଗୁଳରେ ରେଡଜୋନ ପରି କଟକଣା ଜାରି କରିଛନ୍ତି ।
ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିବାର ୪ ଦିନ ପରେ ରାଜ୍ୟରେ ୩ୟ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ସେ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗଞ୍ଜାମରେ ରବିବାର ପୁଣି ୨୯ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ଏବେ ଜିଲ୍ଲାରେ ମୋଟ ୧୧୭ ଜଣ ରୋଗୀ ଚିକିତ୍ସିତ ହେଉଥିଲା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା। ଏବେ ଜିଲ୍ଲାରେ ୨୯୮୩ ସଙ୍ଗରୋଧ କେନ୍ଦ୍ରରେ ୪୦ହଜାର ଲୋକ ସଙ୍ଗରୋଧରେ ରହିଛନ୍ତି । ସେହିପରି ରବିବାର ବାଲେଶର ଜିଲ୍ଲାରେ ରବିବାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି । ୯ଜଣ ସୁସ୍ଥ ହୋଇଥିଲା ବେଳେ ୩୩ ସକ୍ରୀୟ ରୋଗୀ ଚିକିତ୍ସିତ ହେଉଛନ୍ତି । ଅନୁଗୁଳ ଜିଲ୍ଲାରେ ପ୍ରଥମ କରି ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ରେଡ ଜୋନ ପରିକଟକଣା ଜାରି କରାଯାଇଛି । ତେବେ ସରକାରୀ ଭାବେ ଅନୁଗୁଳକୁ ରେଡ ଜୋନ ଘୋଷଣା କରାଯାଇନାହିଁ ।
ରବିବାର ସୁଦ୍ଧା ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି । ୬୮ଜଣ ସୁସ୍ଥ ହୋଇଥିଲା ବେଳେ ୨୮୧ ସକ୍ରୀୟ ରୋଗୀ ଅଛନ୍ତି । ୩ ଜଣଙ୍କର ମୃତୁ୍ୟ ହୋଇଛି । ଏପ୍ରିଲ ୬ରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା । ମେ ୫ରେ ରାଜ୍ୟରେ ଦ୍ଵିତୀୟ କରୋନା ମୃତ୍ୟୁ ହୋଇଥିଲା।
ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧାରୁ ୫୦, ବାଲେଶ୍ୱରରୁ ୪୨, ଭଦ୍ରକରୁ ୨୫, ସୁନ୍ଦରଗଡ଼ରୁ ୧୩, ଅନୁଗୁଳରୁ ୧୩, କେନ୍ଦ୍ରାପଡ଼ାରୁ ୮, ଜଗତସିଂହପୁରରୁ ୫, ମୟୂରଭଞ୍ଜରୁ ୮, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟ.କ, କଳାହାଣ୍ଡିରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here