Spread the love

ଭୁବନେଶ୍ୱର: ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ପଞ୍ଜିକରଣ ପାଇଁ ସୀମାରେ ଯେଉଁ ବ୍ୟବସ୍ଥା କରାଯାଇଥିଲା ତାହାକୁ ରାଜ୍ୟ ସରକାର ଗୁରୁବାର ବାତିଲ କରିଛନ୍ତି । ଏହାସହ ରାଜ୍ୟରେ କରୋନା ସଂକ୍ରମଣ ପରୀକ୍ଷା ପାଇଁ ଆଉ ୧୧ଟି ପରୀକ୍ଷାଗାରର ସ୍ଥାପନ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ପରୀକ୍ଷା କରାଯାଇଛି ।
କରୋନା ସଂକ୍ରମଣ ଆରମ୍ଭ ହେବା ବେଳକୁ ରାଜ୍ୟରେ ଏହି ପରୀକ୍ଷା ପାଇଁ ମାତ୍ର ଗୋଟିଏ ପରୀକ୍ଷାଗାର ଥିଲା । ସେତେବେଳେ ସପ୍ତାହକୁ ମାତ୍ର ୫୮ଟି ନମୁନାର ପରୀକ୍ଷା ସମ୍ଭବ ହେଉଥିଲା । ତେବେ ଗତ ଦୁଇ ମାସ ମଧ୍ୟରେ ରାଜ୍ୟରେ ୫୦ ହଜାରରୁ ଅଧିକ ପରୀକ୍ଷା ହୋଇପାରିଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ମିସନ(ଏନଏଚଏମ)ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ କହିଛନ୍ତି ।
ଏବେ ରାଜ୍ୟରେ ୮ଟି ପରୀକ୍ଷାଗାରରେ କରୋନା ନମୁନା ପରୀକ୍ଷା ହେଉଛି ବୋଲି ସୁଚନା ଦେଇ ସେ କହିଛନ୍ତି ଯେ ରାଜ୍ୟରେ ଦିନକୁ ହାରାହାରି ୩ହଜାର ପରୀକ୍ଷା କରାଯାଉଛି । ମଇ ୪ରେ ସର୍ବାଧିକ ୩୫୩୫ଟି ନମୁନା ପରୀକ୍ଷା କରାଯାଇଥିଲା ।
ସେ କହିଛନ୍ତି ଯେ ରାଜ୍ୟରେ ଦୈନିକ ୧୫ହଜାର ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ଟି ପରୀକ୍ଷାଗାର ସ୍ଥାପନ କରାଯିବ । ବ୍ରହ୍ମପୁର, ବଲାଙ୍ଗୀର, କୋରାପୁଟ, ବାରିପଦା ଓ ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ଆରଟିପିସିଆର ମେସିନ ସ୍ଥାପନ କରାଯିବ । ରାୟଗଡ଼ା ଓ କଳାହାଣ୍ଡିରେ ମଧ୍ୟ ଉକ୍ତ ମେସିନ ସ୍ଥାପନ କରାଯିବ ବୋଲି ସେ ସୁଚନା ଦେଇଛନ୍ତି ।
ଅପରପକ୍ଷରେ ସୀମାରେ ଅନ୍ୟ ରାଜ୍ୟରୁ ବିନା ପଞ୍ଜିକରଣରେ ଆସୁଥିବା ଶ୍ରମିକଙ୍କର ପଞ୍ଜିକରଣ ନକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସୀମାରେ ପଞ୍ଜିକରଣ ଦ୍ୱାରା ଭିଡ଼ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରମିକଙ୍କୁ ନେଇ ଆସୁଥିବା ବସ ସୀମାରେ ପ୍ରବେଶ କରିବା ପୂର୍ବରୁ ସେଥିରେ କେତେ ଯାତ୍ରୀ ଅଛନ୍ତି ତାହା ନିଶ୍ଚିତ କଲା ପରେ ବସର ଗନ୍ତବ୍ୟସ୍ଥଳୀ ଅନୁସାରେ ପାସ ଦିଆଯିବ । ଉକ୍ତ ପାସରେ ବସରେ କେତେ ଯାତ୍ରୀ ଅଛନ୍ତି ତାହା ଉଲ୍ଲେଖ ରହିବ । ଗନ୍ତବ୍ୟସ୍ଥଳୀରେଞ୍ଚପହଞ୍ଚିବା ପରେ ଡ୍ରାଇଭର ଉକ୍ତ ପାସକୁ ଅଧିକାରୀଙ୍କୁ ଦେଖାଇବେ ଓ ଅଧିକାରୀ ମାନେ ପାସରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ ଯାତ୍ରୀଙ୍କୁ ଯାଞ୍ଚ କରି ଡ୍ରାଇଭରଙ୍କୁ ଯିବାକୁ ଅନୁମତି ଦେବେ । ତଥ୍ୟ ଓ ଯାତ୍ରୀ ସଂଖ୍ୟାରେ ଅମେଳ ହେଲେ ଡ୍ରାଇଭର ଅଟକ ରହିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here