Spread the love

ଭୁବନେଶ୍ୱର: ଖୋର୍ଦ୍ଧାରୋଡ଼ରେ ପହଞ୍ଚିବ ତ୍ସ୍ୱତନ୍ତ୍ର ଶ୍ରମିକ ଟ୍ରେନ । ଏଥିରେ ଗୁଜୁରାଟ ଓ କେରଳରେ ଅଟକ ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିବେ । ୨ଟି ଟ୍ରେନ ଗୁଜୁରାଟର ସୁରତ ଓ ଅନ୍ୟଟି କେରଳର ଏର୍ଣ୍ଣାକୁଲମରୁ ଛାଡ଼ିବ । ସୁରତରୁ ପ୍ରଥମ ଟ୍ରେନ ଶନିବାର ୫ଟାରେ ଓ ଅନ୍ୟଟି ରାତି ୧୦ଟାରେ ଛାଡ଼ିବ । ସେହିପରି ଏର୍ଣ୍ଣାକୁଲମରୁ ଶନିବାର ସନ୍ଧ୍ୟା ୬ଟାରେ ଛାଡ଼ିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧାରୋଡ଼ରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରୁ ଶ୍ରମିକଙ୍କୁ ନିଜିନିଜ ଘରକୁ ପଠାଯିବ ବୋଲି ସରକାରୀ ଭାବେ କୁହାଯାଇଛି । ଅପରପକ୍ଷରେ ଶନିବାର ଭିଡ଼ିଓ କନଫରେନସିଙ୍ଗ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀଙ୍କ ସହିତ ଉଭୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଯୋଗ ଦେଇଥିଲେ । ଓଡିଶାକୁ ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକମାନେ ଯେପରି ସୁବିଧାରେ ଫେରି ଆସି ପାରିବେ ସେଥିରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଉଭୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ସେମାନଙ୍କ ସରକାର ଅନେକ କାର୍ୟ୍ୟ ଆରମ୍ଭ କରିଲେଣି । ତେଣୁ ଯେଉଁମାନେ ଚାହିଁବେ ସେମାନେ ସେଠାରେ ରହି କାମ କରିପାରିବେ । ଯେଉଁମାନେ ସେମାନଙ୍କ ରାଜ୍ୟକୁ ଫେରିବାକୁ ଚାହାନ୍ତି ସେମାନଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here