Spread the love

ପୁରୀ: ଶେଷରେ ସବୁ ଆଶଙ୍କା ଓ ଦ୍ୱନ୍ଦ୍ୱ ଦୁର ହୋଇଛି । ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ଶ୍ରୀ ମନ୍ଦିର ପରିଚାଳନା କମିଟି ସୋମବାର ନିଷ୍ପତ୍ତି ନେଇଛି । କରୋନା ଜନିତ ଲକଡାଉନ ପାଇଁ ଅକ୍ଷୟ ତୃତୀୟାରେ କେବଳ ରଥକାଠ ଅନୁକୂଳ କରାଯାଇଛି । ପରମ୍ପରା ରକ୍ଷା କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀ ମନ୍ଦିର ଭିତରେ ରଥ କାଠ ଅନୁକୂଳ କରାଯାଇଛି ମାତ୍ର ଏ ଯାବତ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । ବୈଠକ ସମ୍ପର୍କରେ ସୂଚନା ଦେଇ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ କରୋନା ଜନିତ ଲକଡାଉନ ପାଇଁ ରଥ ନିର୍ମାଣ ଆରମ୍ଭ ହୋଇନାହିଁ । ତେବେ ପୁରୀ ଗ୍ରୀନ ଜୋନରେ ଥିବାରୁ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଥିବାରୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ । କାରଣ ୩ୟ ପର୍ଯ୍ୟାୟ ଲକଡାଉନରେ ଧାର୍ମିକ କାର୍ଯ୍ୟକୁ ନିଷେଧ କରାଯାଇଛି, ନିର୍ମାଣ କାର୍ଯ୍ୟକୁ ନୁହେଁ । ରଥ ତିଆରି ଧାର୍ମିକ କାର୍ଯ୍ୟ ନୁହେଁ ବରଂ ନିର୍ମାଣ କାର୍ଯ୍ୟ । ତେଣୁ ରଥଖଳାରେ ରଥ ନିର୍ମାଣ ନେଇ କୌଣସି ଅସୁବିଧା ନାହିଁ । ତେବେ ସରକାର ଜାରି କରିଥିବା ସମସ୍ତ ନିୟମାବଳୀର ପାଳନ କରାଯାଇ ରଥ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here