Spread the love

ଭୁବନେଶ୍ୱର: ସର୍ବଗ୍ରାସୀ ପଙ୍ଗପାଳ ଓଡ଼ିଶା ପଡ଼ୋଶୀ ଛତିଶଗଡ଼ରେ ପହଞ୍ଚିସାରିଛନ୍ତି । ଏହି ଦୁର୍ଭିକ୍ଷ ସୃଷ୍ଟିକାରୀ ପତଙ୍ଗ ଏବେ ଛତିଶଗଡ଼ର କୋରିଆ ଜିଲ୍ଲାରେ ଥିବା ଭରତପୁର ଜଙ୍ଗଲରେ ଅଛନ୍ତି ଓ ଖୁବଶୀଘ୍ର ଗାଁ ମୁହାଁ ହେବେ ବୋଲି ଆକଳନ କରାଯାଉଛି । ସେଥିପାଇଁ ସେଠାରେ ଏବେ ଆତଙ୍କ ଖେଳି ଯାଇଛି । ପଙ୍ଗପାଳଙ୍କୁ ଦମନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବାଜା ଓ ବାଣର ଆଶ୍ରୟ ନେଇଥିଲା ବେଳେ ଦମକଳ ବାହିନୀ ପକ୍ଷରୁ କୀଟନାଶକ ସ୍ପ୍ରେ କରାଯାଉଛି । ଓଡ଼ିଶାର ପଶ୍ଚିମା ଜିଲ୍ଲା ବରଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ସର୍ବାଧିକ ବିପଦ ଥିବା ବେଳେ ପଡ଼ୋଶୀ କେନ୍ଦୁଝର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଚାଷୀ ଏଥିପାଇଁ ଆତଙ୍କିତ ହୋଇଛନ୍ତି । କେନ୍ଦ୍ର ପକ୍ଷରୁ ପଙ୍ଗପାଳ ସମ୍ପର୍କରେ ସୁଚନା ଦିଆଯିବା ପରେ ମଇ ୩୧ରେ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଏକ ସମୀକ୍ଷା ବୈଠକ କରାଯାଇଥିଲା । ଏଥିରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର କୀଟତତ୍ତ୍ୱବିତଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟିର ସୁପାରିଶକ୍ରମେ ରାଜ୍ୟ କୃଷି ବିଭାଗ କୃଷକଙ୍କ ନିମନ୍ତେ ଗାଇଡ଼ଲାଇନ ଜାରି କରିବା ସହ ପଙ୍ଗପାଳ ଦମନ ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି । ଜୁନରୁ ଜୁଲାଇ ୧୫ ମଧ୍ୟରେ ପଙ୍ଗପାଳ ଦଳ ରାଜ୍ୟରେ ପହଞ୍ଚିପାରନ୍ତି ବୋଲି କୁହାଯାଉଛି । ତେବେ ଉଷ୍ଣ ପାଣିପାଗରେ ବଢି ପାରୁଥିବା ଏହି ପତଙ୍ଗ ବର୍ଷା ମାଡ଼ ସହିପାରନ୍ତି ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେଣୁ ବର୍ତ୍ତମାନ ରାଜ୍ୟରେ ମୌସୁମୀ ଆସନ୍ନ ହୋଇଥିବାରୁ ଏହି ବିପଦ ବେଶି ସମୟ ତିଷ୍ଠି ପାରିବ ନାହିଁ ବୋଲି ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here