Spread the love

ନୂଆଦିଲ୍ଲୀ: କୋଡ଼ିଏ ବର୍ଷ ତଳେ ଜେସିକା ଲାଲ ହତ୍ୟାକାଣ୍ଡ ସମଗ୍ର ଦେଶର ହୃତକମ୍ପନ ବଢ଼ାଇ ଦେଇଥିଲା । ଏହି ହାଇ ପ୍ରୋଫାଇଲ ମର୍ଡ଼ରର ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ଅପରାଧୀ ପୁତ୍ର ମନୁ ଶର୍ମା ୧୪ ବର୍ଷ ଜେଲରେ ରହିବା ପରେ ଦିଲ୍ଲୀ ଉପ ରାଜ୍ୟପାଳ ତାଙ୍କ ଜେଲ ମୁକୁଳିବା ଫାଇଲରେ ସ୍ୱୀକୃତି ପ୍ରଦାନ କରିଛନ୍ତି । କୋଭିଡ଼-୧୯ ପରିପ୍ରେକ୍ଷୀରେ ଜେଲ ମଧ୍ୟରେ ସାମାଜିକ ଦୂରତ୍ୱକୁ ଦୃଷ୍ଟି ରଖିବା ସହ ମନୁ ଶର୍ମାଙ୍କ ଆଚାରରେ ପରିବର୍ତ୍ତନ ହୋଇଥିବା ଏକ ଉଚ୍ଚସ୍ତରୀୟ କମିଟି ପକ୍ଷରୁ କରାଯାଇଥିବା ସୁପାରିଶରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ୧୯୯୯ ମସିହା ଅପ୍ରେଲ ୩୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । କ୍ଷମତା ଓ ଅର୍ଥ ନିଶାରେ ଅନ୍ଧ ହୋଇ ନୂଆଦିଲ୍ଲୀର ମେହେରୋଲି ଠାରେ ଥିବା ଏକ ହୋଟେଲ ବାରରେ ସେହିଦିନ ମଧ୍ୟରାତ୍ରୀରେ ମନୁ ଶର୍ମା ନିଜ ସାଙ୍ଗମାନଙ୍କ ସହ ପହଞ୍ଚି ବାର ବନ୍ଦ ହେବା ପରେ ଜେସିକାଙ୍କୁ ମଦ ମାଗିଥିଲେ । ତେବେ ବାର ବନ୍ଦ ହେବା ପରେ ମଦ ଦିଆ ଯାଇ ପାରିବ ନାହିଁ ବୋଲି ଜେସିକା କହିଥିଲେ । ଏଥିରେ ରାଗିଯାଇ ମନୁ ଶର୍ମା ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଜଣେ ରାଜନେତାଙ୍କ ପୁଅ ହୋଇଥିବାରୁ ପୋଲିସ ଏହି ଘଟଣାର ତଦନ୍ତରେ ଅବହେଳା କରିଥିଲା । ପରେ ଗଣମାଧ୍ୟମରେ ଏହି ଘଟଣା ପ୍ରଚାର ହେବାପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା । ପରେ ଘଟଣାର ବିଚାର ହୋଇ ମନୁ ଶର୍ମାଙ୍କୁ ୨୦୦୬ ମସିହାରେ ଆଜୀବନ କାରାଦାଣ୍ଡ ହୋଇଥିଲା । ଏ ଯାବତ ମନୁ ଜେଲରେ ୧୪ ବର୍ଷ ରହିଥିବା ବେଳେ ତାଙ୍କୁ ମୁକ୍ତ କରିବା ପାଇଁ ବାରମ୍ବାର ତାଙ୍କ ଓକିଲ ଆବେଦନ କରୁଥିଲେ । ୨୦୧୭ ମସିହାରେ ତାଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ଜେଲ କର୍ତ୍ତୃପକ୍ଷ ନାକଚ କରିଥିଲେ । ତେବେ ଜେସିକାଙ୍କ ଭଉଣୀ ନିକଟରେ ମନୁ ଶର୍ମାଙ୍କୁ ମୁକ୍ତ କରାଗଲେ ତାଙ୍କର କିଛି ଆପତ୍ତି ନାହିଁ ବୋଲି ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଲିଖିତ ଭାବେ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here