Spread the love

ଭୁବନେଶ୍ୱର: କରୋନା ଦମନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଟାର୍ଗେଟ ଦେଇଛନ୍ତି । ସେହି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଛି । ଆଗାମୀ ଦିନରେ ରାଜ୍ୟରେ ଦିନକୁ ୧୫ହଜାର କରୋନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀ ଓ ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ।
ଶିଳ୍ପ ସଚିବ କହିଛନ୍ତି, ରାଜ୍ୟ ସରକାର ଏବେ ନମୁନା ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ଦିନକୁ ୧୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅଧିକ ନମୁନା ପରୀକ୍ଷଣ ଲାଗି ୩ଟି କୋଭାସ ମେସିନ ଅଣାଯିବ । ଏହି ମେସିନର ସଂଖ୍ୟା ବଢ଼ିବା ପରେ ନମୁନା ପରୀକ୍ଷା ଅଧିକ ହୋଇପାରିବ । ଆଗାମୀ ୬ ମାସ ପର୍ୟ୍ୟନ୍ତ କ’ଣ କରାଯିବ, ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ଔଷଧ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ଆଣିବା ଓ ଟେଷ୍ଟିଂ ପାଇଁ ଆବଶ୍ୟକ ହେଉଥିବା କିଟ୍ କ୍ରୟ କରିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଟେଷ୍ଟିଂ ସାମଗ୍ରୀ ଆଣିବା ପାଇଁ ଯୋଗାଣକାରୀଙ୍କ ସହ ଯୋଗାଯୋଗ ଚାଲିଛି । କୋଭିଡ-୧୯ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଓଡ଼ିଶାରେ ପ୍ରସ୍ତୁତ ହେଉ ନାହିଁ । କିଛି ସାମଗ୍ରୀ ଦେଶ ଭିତରେ ମିଳୁ ନ ଥିବାରୁ ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି । ବାହାର ରାଜ୍ୟ ଓ ଦେଶଗୁଡ଼ିକରେ ଥିବା ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରି ସେଗୁଡ଼ିକ ଅଣାଯାଉଛି । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପ୍ରତି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା କରିଛି । ରାଜ୍ୟରେ ଏ ପର୍ୟ୍ୟନ୍ତ ଦିନକୁ ୨୫୦୦ ନମୁନା ପରୀକ୍ଷା ହୋଇପାରୁଛି । କୋରାପୁଟ, ବଲାଙ୍ଗୀର ଓ ବାଲେଶ୍ୱରରେ ଆଗାମୀ ୨ ମାସ ମଧ୍ୟରେ କୋବାସ ମେସିନ ଲାଗିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here