Spread the love

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହେବାକୁ ଯାଉଛି । ଦୀର୍ଘ ଦୁଇ ମାସର ତପସ୍ୟା ଶୁଖୁଆ ପୋଡ଼ାରେ ଯିବା ଭଳି ସ୍ଥିତି ଓଡ଼ିଶାରେ ସୃଷ୍ଟି ହୋଇଛି । କରୋନା ସଂକ୍ରମଣ ମୁକାବିଲା କ୍ଷେତ୍ରରେ ମଇ ୪ ତାରିଖ ଯାଏ ଉନ୍ନତ ସ୍ଥିତିରେ ଥିବା ଓଡ଼ିଶା କ୍ରମେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଥିବା ସୁଚନା ମିଳୁଛି ।
ରାଜ୍ୟରେ ଗତ ୩ଦିନ ମଧ୍ୟରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଉକ୍ତ ଦୁଇ ଜଣ ଏବେ ରାଜ୍ୟବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଜଣେ ହେଲେ ୮ବର୍ଷର ଶିଶୁ ଓ ଅନ୍ୟ ଜଣେ ହେଲେ ପୁରୀ ସହରର ଜଣେ ଅଭିଯୁକ୍ତ । ଖୋର୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରଙ୍ଗ ପଂଚାୟତ କେଶପୁର ଗ୍ରାମର ଜଣେ ୮ ବର୍ଷୀୟ ବାଳକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଉକ୍ତ ବାଳକ କେବେବି ଘର ଛାଡ଼ି କୁଆଡ଼େ ଯାଇନଥିଲା ବେଳେ ସେ କିପରି କରୋନା ସଂକ୍ରମିତ ହେଲେ ତାହା ଚିନ୍ତାର କାରଣ ହୋଇଛି । ଉକ୍ତ ବାଳକ ରହୁଥିବା ଗ୍ରାମରେ ଅନ୍ୟ ଜଣେ ସୁରତ ଫେରନ୍ତା କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜଣେ ହେଲେ ପୁରୀ ସହର କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳର । ତାଙ୍କୁ କୁମ୍ଭାରପଡ଼ା ଥାନା ପକ୍ଷରୁ ଏକ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ମଧ୍ୟ କେବେ ପୁରୀ ସହର ବାହାରକୁ ଯାଇନଥିଲା ବେଳେ କିପରି କରୋନା ସଂକ୍ରମିତ ହେଲେ ତାହାର ଉତ୍ତର କାହା ପାଖରେ ନାହିଁ ।
ଏହି ଦୁଇ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏମାନେ ନିଜ ନିଜ ଘର ଛାଡ଼ି ବାହାରକୁ ଯାଇନଥିଲା ବେଳେ ନିଶ୍ଚିତ ଭାବେ ବାହାରୁ ଆସିଥିବା କରୋନା ସଂକ୍ରମିତଙ୍କ ସଂଶ୍ପର୍ଷରେ ଆସି ସଂକ୍ରମିତ ହୋଇଛନ୍ତି । କାରଣ କରୋନା ସଂକ୍ରମିତ ହେବା ପାଇଁ ଅନ୍ୟ କିଛି ବାଟ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ବାହାରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖଯାଉଛି ଓ ତାହା କଡ଼ାକଡ଼ି ଭାବେ ପାଳନ କରାଯାଉଛି ବୋଲି ସରକାର ଘୋଷଣା କରୁଥିଲା ବେଳେ ଖୋର୍ଦ୍ଧ ଓ ପୁରୀର ଉକ୍ତ ଦୁଇଜଣ କିପରି ସଂକ୍ରମିତ ହେଲେ? ଏହି ଦୁଇ ଜଣଙ୍କ ସଂ୍କ୍ରମଣ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣର ଆରମ୍ଭ ବୋଲି ବିଶେଷଜ୍ଞ ମାନେ ଆଶଙ୍କା କରୁଛନ୍ତି । ଏପରିକି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ୩ ଦିନ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଓଡ଼ିଶା ଗୋଷ୍ଠୀ ସଂକ୍ରମଣର ଦ୍ୱାର ଦେଶରେ ବୋଲି ମତ ଦେଇଥିଲେ । ଏବେ ପୁରୀ ଓ ଖୋର୍ଦ୍ଧା ମାମଲା ଏହି ଆଶଙ୍କାକୁ ଦ୍ୱିଗୁଣିତ କରୁଛି । କାରଣ ଏବେ ଯାଏ ରାଜ୍ୟ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ କୌଣସି କାର୍ଯ୍ୟ ଠିକ ଭାବେ ହେଉନାହିଁ । ସଙ୍ଗରୋଧ କେନ୍ଦ୍ରରେ ମଦ, ଗଞ୍ଜେଇ ପରି ନିଶା ଦ୍ରବ୍ୟ ଅନାୟାସରେ ମିଳୁଥିବା ବେଳେ ଅନ୍ତେବାସୀମାନେ ମନଇଛା ବାହାରକୁ ଯିବାଆସିବା କରୁଛନ୍ତି । ଏହା ସାଙ୍ଗକୁ ଲକଡାଉନ କଟକଣା ସବୁ ଧିରେ ଧିରେ ହଟାଯାଉଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ପ୍ରବାସୀ ଶ୍ରମିକ ଗରକୁ ଫେରିଥିଲା ବେଳେ ସେଠାରେ ମଧ୍ୟ ସର୍ବାଧିକ କରୋନା ସଂକ୍ରମିତ ଅଛନ୍ତି । ଏହି ଜିଲ୍ଲାର ସଙ୍ଗରୋଧ କେନ୍ଦ୍ର ଗୁଡ଼ିକର ବିକଳ ଅବସ୍ଥା ଦେଖିଲେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବକି ନାହିଁ ତାହା ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here