Spread the love

ନୂଆଦିଲ୍ଲୀ
ଭାରତରେ ମହାମାରୀ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାର କହୁୁଛନ୍ତି । କିନ୍ତୁ ଏହାକୁ ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି ।ଇଣ୍ଡିଆନ ଆସୋସିଏସନ ଅଫ ଏପିଡେମିଓେଲୋଜିଷ୍ଟ, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ(ଆଇପିଏଚଏ) ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପ୍ରିଭେନଟିଭ ଆଣ୍ଡ ସୋସିଆଲ ମେଡିସିନ(ଆଇଏପିଏସଏମ)ର ବିଶେଷଜ୍ଞମାନେ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି । ସେମାନେ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଦେଶର ବଡ ଭାଗରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବାବେଳେ ଏହି ପର୍ଯ୍ୟାୟରେ କରୋନା ଭାଇରସ ଦୂର ହେବ ବୋଲି ଆଶା କରିବା ଅବାସ୍ତବ । କିନ୍ତୁ ସରକାର ବାରମ୍ବାର ଏହାକୁ ଖଣ୍ଡନ କରି ଚାଲିଛନ୍ତି । ଦେଶରେ ଶନିବାର କରୋନା ମୃତକଙ୍କ ସଂଖ୍ୟା ୫ ହଜାର ପାର କରିଛି । ଏହା ସହିତ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁହୁ ହୋଇ ବଢିବାରେ ଲାଗିଛି । ଏପରିସ୍ଥିତିରେ ସରକାର ଜନ ୧ରୁ ଲକଡାଉନ ପ୍ରତ୍ୟାହାରର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି । ଦେଶରେ ମାର୍ଚ୍ଚ ୨୫ରୁ ମେ ୩୦ ଯାଏଁ ଲକଡାଉନକୁ କଡାକଡି ଭାବେ ପାଳନ କରାଯାଇଥିଲା । ଏହି ପର୍ଯ୍ୟାୟରେ କରୋନା ମାମଲା ମଧ୍ୟ ବଢି ବଢି ଚାଲିଥିଲା । ଏହି ଡ୍ରାକୋନିଆନ ଲକଡାଉନ ସମ୍ଭବତଃ ଏକ ପ୍ରଭାବଶାଳୀ ପ୍ରତିଷ୍ଠାନର ମଡେଲିଂ ଏକ୍ସରସାଇଜ ଥିଲା ଯାହା ସବୁଠାରୁ ଖରାପ ସ୍ଥିତିର ଅନୁକରଣ କରିଥିଲା । ଏହି ମିଳିତ ବିବୃତ୍ତିରେ ଏମ୍ସ ସେଣ୍ଟର ଫର କମ୍ୟୁନିଟି ମେଡିସିନର ପ୍ରଫେସର ତଥା ମୁଖ୍ୟ ଡାକ୍ତର ଶଶୀକାନ୍ତ, ବିଏଚୟୁର ପୂର୍ବତନ ପ୍ରଫେସର ଡାକ୍ତର ଡିସିଏସ ରେଡ୍ଡୀଙ୍କ ସ୍ୱାକ୍ଷର ରହିଛି । ଏହି ଦୁଇ ଜଣ କରୋନା ଭାଇରସ ବିଷୟରେ ନିରୀକ୍ଷଣ କରିବା ଲାଗି ଏପ୍ରିଲ ୬ରେ ଆଇସିଏମଆର ଦ୍ୱାରା ଗଠନ କରାଯାଇଥିବା ଟିମର ସଦସ୍ୟ ଥିଲେ । ଡାକ୍ତର ରେଡ୍ଡୀ ଏହି ଗ୍ରୁପର ଅଧକ୍ଷତା କରୁଥିଲେ । ବିବୃତ୍ତିରେ କୁହାଯାଇଛି ଯେ ପରବର୍ତ୍ତୀ ଘଟଣା ଗୁଡିକରୁ ପ୍ରମାଣିତ ହୋଇଯାଇଛି ଯେ ମାର୍କ ଠାରୁ ମଡେଲ ଦୂରେଇ ଯାଇଛି । ଯଦି ସରକାର ମହାମାରୀ ସରଞ୍ଚନା ବିଷୟରେ ଜାଣିଥିବା ମହାମାରୀ ବୈଜ୍ଞାନିକଙ୍କ ପରମାର୍ଶ ନେଇଥାଆନ୍ତେ ତେବେ ସ୍ଥିତି ଏପରି ହୋଇନଥାନ୍ତା । ପୁଣି ବିବୃତ୍ତିରେ କୁହାଯାଇଛି ଯେ ଦେଶରେ ପ୍ରବାସୀ ଶ୍ରମିକଙ୍କ ସଙ୍କଟକୁ ଯେଉଁଭଳି ମୁକାବିଲା କରାଯାଉଛି ତାହା କରୋନା ନିୟନ୍ତ୍ରଣରେ ଚାଲେଞ୍ଜ ସୃଷ୍ଟି କରିଛି । ଜନସ୍ୱାସ୍ଥ୍ୟ ଏବଂ ମାନବୀୟ ସଙ୍କଟର ସମାଧାନ ଲାଗି ଜିଲ୍ଲା, ରାଜ୍ୟ ଏବଂ କେନ୍ଦ୍ରସ୍ତରରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କର ଏକ କମିଟି ଗଠନ କରିବାକୁ ବିବୃତ୍ତିରେ ପ୍ରସ୍ତାବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here