Spread the love

ଭୁବନେଶ୍ୱର : ମହାମାରୀର କରାଳ ଗ୍ରାସରେ ସମଗ୍ର ଦେଶ ସ୍ଥାଣୁ ହୋଇ ଯାଇଥିବା ବେଳେ ଅର୍ଥ ବ୍ୟବସ୍ଥା ଭୂଷୁଡି ପଡ଼ିଛି । ଚାରି ଆଡ଼େ କେବଳ ଭୋକ ଓ ମହାମାରୀକୁ ନେଇ ଚର୍ଚ୍ଚା । ଏଭଳି ସ୍ଥିତିରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଲାଗି କିଛି ନାହିଁ । ବର୍ଷକ ମଧ୍ୟରେ ରାଜ୍ୟରେ କୌଣସି ନୂତନ ଶିଳ୍ପ ପ୍ରକଳ୍ପ କିମ୍ବା ସେଭଳି କିଛି ଆଖି ଦୃଶିଆ କାର୍ଯ୍ୟ ହୋଇ ନାହିଁ । ବରଂ ମହାମାରୀ ଯୋଗୁଁ କୋଟି କୋଟି ଓଡ଼ିଆ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇ ପଡ଼ିଛି । କୌଣସି ଗୋଟିଏ ବି ବ୍ୟବସାୟର ସ୍ଥିତି ଭଲ ନାହିଁ । ରାଜ୍ୟରେ ଲକ୍ଷ ଲକ୍ଷ ଉଠା ଦୋକାନୀ ଚାହା ବ୍ୟବସାୟୀ, ପାନ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି , ଫେରିବାଲା, ଲୁଗା ବ୍ୟବସାୟୀ, ଜରି ଗୋଟାଳି, କବାଡି ବାଲା, ଫ୍ୟାକ୍ଟ୍ରି ମାଲିକ ସମସ୍ତେ ନିରବରେ ହାତବାନ୍ଧି ବସିଛନ୍ତି । କାଁଭା କେଉଁଠି କିଛି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟର ୨ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ସେମାନଙ୍କ ଚାକିରି ହରାଇ ବସି ରହିଛନ୍ତି । ସେହିଭଳି ସେବା ବ୍ୟବସାୟ ଯଥା ବିଜ୍ଞାପନ ସଂସ୍ଥା, ହୋଟେଲ , ଗଣମାଧ୍ୟମ ଉପରେ ନିର୍ଭର କରୁଥିବା ବ୍ୟବସାୟୀମାନେ ମଧ୍ୟ ରାଜ ରାସ୍ତାକୁ ଆସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ସରକାର ଏ ଯାଏଁ କୌଣସି ସରକାରୀ ସାହାଯ୍ୟ ରାଜ୍ୟ ସ୍ତରରେ ଘୋଷଣା କରି ନାହାନ୍ତି । ମନେରଗାରେ ହେଉଥିବା କାର୍ଯ୍ୟରେ ଶ୍ରମିକମାନଙ୍କ ଅପେକ୍ଷା ମେସିନର ବ୍ୟବହାର ଅଧିକ କରାଯାଉଥିବା ଦେଖା ଯାଇଛି । ଲକ ଡାଉନର ଅବଧି ଆଗକୁ କଣ ହେବ ସେ ନେଇ ମଧ୍ୟ ଲୋକେ ସନେ୍ଦହରେ ରହୁଛନ୍ତି । କରୋନାକୁ ନେଇ ସରକାରଙ୍କ ସ୍ୱାସ୍ଥ୍ୟ ଆଡ଼ଭାଇଜର ଦେଇଥିବା ବିବୃତିକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଅନ୍ୟପକ୍ଷରେ ନିକଟରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଯେଉଁ ନୂଆ ନୀତି ଘୋଷଣା କରାଯାଇଛି ତାହା ବେଢ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଥିବା ଖବର କାଗଜ ମାଲିକମାନେ କହିଛନ୍ତି ।
ନବୀନ ସରକାର ଆଗକୁ କି ପଦକ୍ଷେପ ନେବେ ଓ ସବୁ ସ୍ତରରେ ଲୋକେ କିଭଳି ଆଶାନୁରୂପକ ଫଳ ପାଇବେ ଓ ଏଥିପାଇଁ ରାଜ୍ୟ ଏଥର କେଉଁ ମଡ଼େଲ ଆପଣାଇବ ସେ ଉପରେ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here