Spread the love

କୋଲକାତା: ବୁଧବାର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ପ୍ରବାହିତ ସାମୁଦ୍ରିକ ବାତ୍ୟା ଅମ୍ଫାନ୍ ଯୋଗୁ ପଶ୍ଚିମବଙ୍ଗରେ ୧୨ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି । କୋଲକତା ବିମାନ ବନ୍ଦର ସମ୍ପୁର୍ଣ୍ଣ ପାଣିରେ ବୁଡ଼ି ରହିଛି । ଏଠାରେ ଘଣ୍ଟା ପ୍ରତି ୧୯୦ କିଲୋମିଟର ବେଗରେ ପବନ ଓ ପ୍ରବଳ ବର୍ଷା ଯୋଗୁ ଅନେକ ଘରଦ୍ବାର ଭାଙ୍ଗିଛି ଓ ଚାଷଜମି ବୁଡ଼ିଯାଇଛି।
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଗଛ ପଡ଼ିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନିକଟବର୍ତ୍ତୀ ହାଓଡ଼ା ଜିଲ୍ଲାରେ ମଧ୍ୟ ଗଛ ଭାଙ୍ଗି ଜଣେ ୧୩ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଛି। ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଦୁଇଟି ଜିଲ୍ଲାର ନନ୍ଦୀଗ୍ରାମ, ରାମନଗର ଧ୍ବଂସ ହୋଇଯାଇଛି। ପଥରପ୍ରତିମା, ନାମଖାନା, କାକଦ୍ବୀପ, କୁଳତାଳି, ବାରୁଇପୁର ଓ ସୋନପୁରରେ ପ୍ରଳୟର ଚିତ୍ର ଦେଖିବାକୁ ମିଳୁଛି। ରାଜାରହାଟ, ହାସନାବାଦ, ସନ୍ଦେଶଖାଲି, ଗୋସାବା, ହବ୍ରା ମଧ୍ୟ ବିପଦରେ ପଡ଼ିଛି। ବାତ୍ୟା ଯୋଗୁ କେନ୍ଦ୍ରୀୟ କୋଲକାତାର ଆଲିପୁରରେ ୨୨୨ ମିଲିମିଟର ଏବଂ ଦମଦମ ଠାରେ ୧୯୪ ମିଲିମିଟର ବର୍ଷା ହୋଇଯାଇଛି । ବୁଧବାର ରାତି ପ୍ରାୟ ୯ଟା ବେଳେ କୋଲକାତାର ଅଧିକାଂଶ ସ୍ଥାନରେ ବର୍ଷା ଥମି ଯାଇଥିଲେ ମଧ୍ୟ ପ୍ରବଳ ବେଗରେ ପବନ ବୋହିବା ବନ୍ଦ ହୋଇ ନ ଥିଲା। ବର୍ଷା ଓ ବତାସ ବିତ୍ପାତ ଯୋଗୁଁ ବିଜୁଳି ସଂଯୋଗ କାଟି ଦିଆଯିବାରୁ ସମଗ୍ର ସହର ଘନ ଅନ୍ଧାର ମଧ୍ୟରେ ବୁଡ଼ିଯାଇଥିଲା। ଅନେକ ସ୍ଥାନରେ ମୋବାଇଲ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here