Spread the love

ନୂଆଦିଲ୍ଲୀ: ମାର୍ଚ୍ଚ୨୫ ତାରିଖରୁ କରୋନା ସଂକ୍ରମଣର ମୁକାବିଲା ପାଇଁ ଆରମ୍ଭ ହୋଇଥିବା ଲକ୍ଡାଉନ୍ ମେ ୩ ତାରିଖରେ ଶେଷ ହେବ । ଏହା ପରେ ଅତିକମ୍ ରେ ସଡକ ଓ ରେଳ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ ହେବାର ଯଥେଷ୍ଟ ସମ୍ଭାବନା ଥିବା ଓ ବିଭିନ୍ନ ରାଜ୍ୟରେ ଅଟକିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିବା ନିଶ୍ଚିତ ହେବ । ଲକ୍ଡାଉନ୍ , ସଟ୍ଡାଉନ୍ , ସାଂଧ୍ୟ ଆଇନ୍ ବଳରେ ଆପାତତଃ ଦେଶରେ କରୋନା ସଂକ୍ରମଣକୁ ରୋକା ଯାଇ ପାରିଛି ବୋଲି ବିଶେଷଜ୍ଞ ମହଲ ମତ ଦେଉଛନ୍ତି । ପ୍ରବାସୀ ଶ୍ରମିକ ଘରକୁ ଫେରିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତାହାର କିପରି ମୁକାବିଲା କରାଯିବ ତାହା ନେଇ ପଞ୍ଚାୟତ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଚାଲିଛି ।
କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ପାଇଁ ସ୍ଥାପନ କରାଯାଇଥିବା ସଙ୍ଗରୋଧ ଗୃହରେ ପାଖାପାଖି ୧ଲକ୍ଷ ଶଯ୍ୟା ଅଛି । ଭାରତ ର ଜନସଂଖ୍ୟା ହେଉଛି ୧୩୦କୋଟି ଯଦି ଏକ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୁଅନ୍ତି, ତେବେ ୧୩ଲକ୍ଷ ଶଯ୍ୟା ଦରକାର ହେବ । ସେହିପରି ପ୍ରତି ୧୦୦୦ଜଣରେ ଜଣେ ନର୍ସ ଓ ୦.୫ ଡାକ୍ତର ଅଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମାନଦଣ୍ଡ ଅନୁଯାୟୀ ପ୍ରତି ୧୦୦୦ଜଣରେ ଅତିକମ୍ରେ ଜଣେ ଡାକ୍ତର ଓ ୩ ଜଣ ନର୍ସ ଆବଶ୍ୟକ । ଦେଶର ସର୍ବବୃହତ୍ ରାଜ୍ୟ ଉତ୍ତପ୍ରଦେଶ ସମେତ ବିହାର, ଝାଡଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରେ ସର୍ବାଧିକ ପ୍ରବାସୀ ଶ୍ରମିକ ଅଛନ୍ତି ।
ଲକ୍ଡାଉନ୍ ଆରମ୍ଭ ପରେ ଦିଲ୍ଲୀ, ମୁମ୍ବାଇ, ସୁରଟ୍ ଇତ୍ୟାଦି ସ୍ଥାନରେ ପ୍ରବାସୀ ଶ୍ରମିକ ମାନେ ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଆସି ଯେପରି ପରିସ୍ଥିତି ସୃଷ୍ଟି କଲେ ସେଥିରୁ ମେ ୩ ପରେ କଣ ହେବ ସେ ସଂପର୍କରେ କେହି ସ୍ପଷ୍ଟ ମତ ଦେଉ ନାହାନ୍ତି । ଉତ୍ତପ୍ରଦେଶ ଓ ବିହାର ର ପ୍ରବାସୀ ଶ୍ରମିକ ଦିଲ୍ଲୀ ଓ ମୁମ୍ବାଇ ପାଇଁ ଆତଙ୍କ ସାଜିଥିବା ବେଳେ ପଶ୍ଚିମବଙ୍ଗ ରୁ ଫେରୁଥିବା ଓଡିଆ ପ୍ରବାସୀ ଶ୍ରମିକ ଓଡିଶା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି । ସରକାର ସ୍ଥଳପଥ କୁ ଜଗିଥିବା ବେଳେ ପ୍ରବାସୀ ଶ୍ରମିକ ଜଳପଥ ରେ ଲୁଚି କରି ଆସିବା ସଂକଟକୁ ଦୁଇ ଗୁଣ କରିଛି । ଜୀବନ ଜୀବିକାର ସଂଘର୍ଷରେ ଅହରହ ଯିଉଁଥିବା ଏହି ଶ୍ରମିକ ମାନେ ନିଜ ଭିଟାମାଟି କୁ ଫେରିବା ପାଇଁ ଶହ ଶହ କିଲୋମିଟର ପାଦରେ ଚାଲିବା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଭାରତ ପରି ଏକ ଜନବହୁଳ ଦେଶରେ ଏହି ପ୍ରବାସୀ ଶ୍ରମିକଙ୍କୁ କିପରି ସଫଳତା ର ସହ ସଙ୍ଗରୋଧ ରେ ରଖାଯିବ ତାହା ସଂପୂର୍ଣ୍ଣ ଶାସନକଳକୁ ଅଡ଼ୁଆରେ ପକାଇଛି ।

LEAVE A REPLY

Please enter your comment!
Please enter your name here