Spread the love

ଭୁବନେଶ୍ୱର: ବିନା ପାସରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଆସୁଥିବା ଶ୍ରମିକଙ୍କୁ ରାଜ୍ୟ ମଧ୍ୟରେ ପୁରାଇ ଦିଆଯିବ ନାହିଁ । ସେହିପରି ଆସିବା ପରେ ସଙ୍ଗରୋଧ ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଶୁଣାଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ।
ମୁଖ୍ୟ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଦୁଇ ମାସ ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ନିରାପତ୍ତା ଆଣି ପାରିଛି। ବାହାରେ ଥିବା ଓଡ଼ିଆ ଭାଇଭଉଣୀଙ୍କୁ ସୁରୁଖୁରରେ ଫେରାଇ ଆଣିବାକୁ ମୁଖ୍ୟ ମନ୍ତ୍ରୀ ଚାରି ଚାରିଟା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଯୋଜନା କରିଛନ୍ତି। ପ୍ରଶାସନ ତରଫରୁ ସୁନ୍ଦର ଭାବେ ଏସ୍ଓପି ଜାରି କରାଯାଇଛି। ପଞ୍ଚାୟତ ଓ ନଗରାଞ୍ଚଳରେ ଥିବା କ୍ବାରେଣ୍ଟିନ୍ ସେଣ୍ଟର୍ ଭିତ୍ତିଭୂମିର ଉନ୍ନତି କରାଯାଇଛି। ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ରାଜ୍ୟ ବାହାରେ ଅଟକି ଯାଇଥିବା ଓଡ଼ିଆମାନେ ଆସିପାରୁଛନ୍ତି। ସ୍ପେସାଲ ଟ୍ରେନ୍ କେରଳରୁ ଆଜି ସକାଳେ ଗଞ୍ଜାମର ଜଗନ୍ନାଥପୁର ଏବଂ ଖୋର୍ଦ୍ଧା ରୋଡ୍ରେ ଅଟକିଲା। ହଜାରେରୁ ଅଧିକ ଲୋକ ଓହ୍ଲାଇଲେ। ରେଳବାଇ ଅଧୀକାରୀ, ଜିଲ୍ଲା ପ୍ରଶାସନ, ପୁଲିସ ଓ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସେମାନଙ୍କୁ ସ୍ବାଗତ କରାଯାଇ ଖାଦ୍ୟପାନୀୟ ଯୋଗାଇ ଦିଆଯାଇଗଲା। ବସ୍ ଯୋଗେ ନେଇ ସେମାନେ ପ୍ରବାସୀ ଓଡ଼ିଆମାନଙ୍କୁ ସେମାନଙ୍କ ପଞ୍ଚାୟତରେ ପହଞ୍ଚାଇ ସାରିଲେଣି।
ଯେବେଠୁ ଅନ୍ୟ ଗୋଟିଏ ପ୍ରଦେଶରୁ ଅନ୍ୟ ପ୍ରଦେଶକୁ ଆସିବାକୁ ଅନୁମତି ମିଳିଲା ସେବେ ଠାରୁ ବହୁ ପ୍ରବାସୀ ଓଡ଼ିଆ ଅନେକ ଗାଡ଼ିରେ ନିଜ ରାଜ୍ୟକୁ ଫେରିଲେଣି। ସେମାନଙ୍କୁ କ୍ବାରେଣ୍ଟିନ୍ରେ ରହିବା ବ୍ୟବସ୍ଥା କରାଯାଇଛି। ଏତେ ସବୁ ବ୍ୟବସ୍ଥା ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ପାଇଁ। ଆମ ପରିଶ୍ରମ ଓ ଯୋଜନା କିଛି ବିଶୃଙ୍ଖଳିତ ଲୋକଙ୍କ ପାଇଁ ନଷ୍ଟ ନହେଉ। ସୀମାନ୍ତରେ ସଡ଼କ ପାଇଁ ଯେଉଁ ଚେକ୍ ପଏଣ୍ଟ୍ ବିଭିନ୍ନ ପ୍ରକାର ଯାଞ୍ଚ୍ ବ୍ୟବସ୍ଥା କରାଯାଇଛି। ଆଗତ ପ୍ରବାସୀମାନେ ପୂର୍ବରୁ ପଞ୍ଜିକରଣ କରିଥିବେ ଏବଂ ସେମାନେ ଯେଉଁ ଗାଡ଼ିରେ ଆସୁଛନ୍ତି ତା’ର ବିସ୍ତୃତ ବିବରଣୀ ଦେବା ଉଚିତ। କେତେକ ପ୍ରବାସୀ ପ୍ରଶାସନ ନିର୍ଦ୍ଧାରିତ ରାସ୍ତାରେ ନ ଆସି ଅନ୍ୟ ରାସ୍ତାରେ ଆସୁଛନ୍ତି। ନିର୍ଦ୍ଧାରିତ ରୁଟ୍ରେ ନ ଗଲେ ଆସୁଥିବା ଗାଡ଼ି ଜବତ କରାଯିବ ଓ କ୍ବାରେଣ୍ଟିନ୍ ଅବଧି ବଢ଼ାଯିବ। କ୍ବାରେଣ୍ଟିନ୍ ଉଲ୍ଲଂଘନକାରୀ ସମସ୍ତଙ୍କୁ ବିପଦ୍ରେ ପକାଉଛନ୍ତି। ପ୍ରୋତ୍ସାହନ ଅର୍ଥ ଦିଆଯିବ ନାହିଁ। ନିଜ ଜିଲ୍ଲା ବାହାରେ କ୍ବାରେଣ୍ଟିନ୍ ଅବଧି ବଢ଼ାଇ ରଖାଯିବ। ଗିରଫ ମଧ୍ୟ କରାଯିବ। ବସ୍ ପାସ୍ ନ ନେଇ ଆସିଥିବା ପ୍ରବାସୀମାନଙ୍କୁ ଛଡ଼ାଯିବ ନାହିଁ। ନିର୍ଦ୍ଧାରିତ ସଂଖ୍ୟା ଠାରୁ କୌଣସି ଯାନରେ ଆସିଥିବା ବ୍ୟକ୍ତମାନଙ୍କୁ ରାଜ୍ୟ ମଧ୍ୟକୁ ଛଡ଼ାଯିବ ନାହିଁ। ଯେଉଁମାନେ ପାସ୍ ନ ନେଇ ଚାଲି ଆସିଛନ୍ତି ସେମାନଙ୍କୁ ବିରୋଧରେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କ୍ବାରେଣ୍ଟିନ୍ରେ ଥିବା ବ୍ୟକ୍ତିବିଶେଷଙ୍କ ଉପରେ ସରପଞ୍ଚମାନେ ଦୃଷ୍ଟି ରଖିବେ। ସରପଞ୍ଚମାନଙ୍କୁ କ୍ଷମତା ଦିଆଯାଇଥିବାରୁ ସେମାନେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହା ସେମାନଙ୍କର ଓ ପ୍ରଶାସନର ଦାୟିତ୍ବ। କ୍ବାରେଣ୍ଟିନ୍ରେ ରହିବାକୁ ସ୍ବେଚ୍ଛାକୃତ ଭାବେ ରାଜି ହୋଇ ପ୍ରବାସୀ ଓଡ଼ିଆମାନେ ନାମ ପଞ୍ଜିକରଣ କରିଛନ୍ତି। ତେଣୁ ଏହାକୁ ସେମାନଙ୍କୁ ମାନିବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here