Spread the love

ନୁଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଦେଶ ମଧ୍ୟରେ ବିମାନ ଚଳାଚଳ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଗୁରୁବାର ‘ଏୟାର୍ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ’ (ଏଏଆଇ) ବିମାନବନ୍ଦରଗୁଡ଼ିକ ନିମନ୍ତେ ‘ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରସିଜ୍ୟୁର୍ସ’ (ଏସ୍ଓପି) ଜାରି କରିଛି। କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବା ଉଦ୍ଦେଶ୍ୟରେ ଲକ୍ଡାଉନ୍ ଜାରି ହେବାରୁ ଦୁଇ ମାସ ପୂର୍ବରୁ ବିମାନ ଚଳାଚଳ ବନ୍ଦ ରହିଥିଲା।
ବିମାନ ଯାତ୍ରା ନିମନ୍ତେ ୧୪ ବର୍ଷୀୟ ପିଲାଙ୍କ ପାଇଁ ଆରୋଗ୍ୟ ସେତୁ ଡାଉନ୍ଲୋଡ୍ କରିବା ବାଧ୍ୟତାମୂଳକ ନୁହେଁ ବୋଲି ‘ଏସ୍ଓପି’ରେ ଉଲ୍ଲେଖ କରାଯାଇଛି। ଅନ୍ୟ ଯାତ୍ରୀମାନେ ସେମାନଙ୍କ ଫୋନ୍ରେ ଏହି ଆପ୍ ଡାଉନ୍ଲୋଡ୍ କରିବେ। ବିମାନ ବନ୍ଦର ଫାଟକରେ ଥିବା ବିମାନ ବନ୍ଦର କର୍ମଚାରୀ କିଂବା ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିୟାଲ୍ ସିକ୍ୟୁରିଟି ଫୋର୍ସ ଏହାକୁ ଯାଞ୍ଚ କରିବେ। ଆପ୍ରେ ଯେଉଁମାନେ ଗ୍ରିନ୍ ଦେଖାଯିବେ ନାହିଁ ସେମାନଙ୍କୁ ବିମାନ ବନ୍ଦରକୁ ଛଡ଼ାଯିବ ନାହିଁ।
ଯାତ୍ରୀମାନେ ମାସ୍କ ଓ ଗ୍ଲୋଭ୍ସ୍ ପିନ୍ଧିବେ। ଏହାଛଡ଼ା, ଏୟାରପୋର୍ଟ ଟର୍ମିନାଲ୍ ବିଲ୍ଡିଙ୍ଗ୍ ମଧ୍ୟକୁ ପ୍ରବେଶ କରିବା ଆଗରୁ ଯାତ୍ରୀ ସହର ପଟେ ଥିବା ଥର୍ମାଲ୍ ସ୍କ୍ରିନିଙ୍ଗ୍ ଜୋନ୍ ଦେଇ ଚାଲି ଚାଲି ଆସିବା ବାଧ୍ୟତାମୂଳକ। ଟର୍ମିନାଲ୍ ବିଲ୍ଡିଙ୍ଗ୍ ମଧ୍ୟକୁ ପଶିବା ପୂର୍ବରୁ ଯାତ୍ରୀମାନଙ୍କର ବ୍ୟାଗେଜ୍ ସାନିଟାଇଜ୍ କରିବାକୁ ବିମାନ ବନ୍ଦର ପରିଚାଳକମାନେ ଉପଯୁକ୍ତ ବନ୍ଦୋବସ୍ତ କରିବେ । ପାର୍କିଙ୍ଗ୍ ଏବଂ ଫୁଟଫାଥରେ ଗହଳି ନ କରାଇ ସାମାଜିକ ଦୂରତା ବଜାୟ ରଖିବାକୁ ସିଆଇଏସ୍ଏଫ୍ ଏବଂ ଟ୍ରାଫିକ୍ ପୁଲିସ ସହାୟତାରେ ତୀବ୍ର ଦୃଷ୍ଟି ରଖିବାକୁ ‘ଏସ୍ଓପି’ରେ ନିର୍ଦେଶ ଦିଆଯାଇଛି। ବିମାନ ବନ୍ଦରକୁ ଯିବା ଆସିବା କରିବା ନିମନ୍ତେ ଯାତ୍ରୀ ଏବଂ ଏୟାର୍ଲାଇନ୍ର କର୍ମଚାରୀଙ୍କ ନିମନ୍ତେ ରାଜ୍ୟ ସରକାର ଏବଂ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ସର୍ବସାଧାରଣ ପରିବହନ ଓ ଟ୍ୟାକ୍ସି ବନ୍ଦୋବସ୍ତ କରିବାକୁ ଏଏଆଇ କହିଛି। ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here