Spread the love

କଟକ: ଗରିବ ରାଜ୍ୟ ଭାବେ ଖ୍ୟାତ ଓଡ଼ିଶାର ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ଟଙ୍କିକିଆ ଚାଉଳ, ବିଭିନ୍ନ ଭତ୍ତା, କାଳିଆ ଯୋଜନା ଠାରୁ ଆରମ୍ଭ କରି ଜୋତା, ଛତା ଓ ସର୍ବୋପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଆଦି ଯୋଜନା ପ୍ରଚଳନ କରିଥିବା ଓଡ଼ିଶାରେ ବେସରକାରୀ ସଂସ୍ଥାଗୁଡ଼ିକରେ ଚାକିରି କରି ଗୁଜରାଣ ମେଣ୍ଟାଉଥିବା ଲୋକଙ୍କ ଉପରେ ଏବେ କୋରଡ଼ା ପଡ଼ିଛି । ବିଶେଷ କରି ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ନିଜ ଜୀବିକା ହରାଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୭୦ଭାଗ ଲୋକ କୌଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନଥିବା ଜଣାପଡ଼ିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି ଏମ୍.ଏସ୍.ଏମ୍.ଇ କ୍ଷେତ୍ର । ସେବା ଓ ଲଘୁ ଶିଳ୍ପୋଦ୍ୟୋଗ ଗୁଡ଼ିକ ସଂପୂର୍ଣ୍ଣ ବନ୍ଦ ହୋଇ ପଡ଼ିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସେବା କ୍ଷେତ୍ରରେ କାର୍ଯ୍ୟରତ ଯଥା ଟୁରିଷ୍ଟ ଗାଇଡ଼ , ଟ୍ରାଭେଲ ଏଜେନ୍ସି, ବିଜ୍ଞାପନ ଏଜେନ୍ସି, ହୋଟେଲ ମାଲିକ ଓ କର୍ମଚାରୀ ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ଏହି ସବୁ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିଜ ନିଜର ଜୀବିକା ହରାଇଛନ୍ତି । ସରକାରଙ୍କର ସବୁ ଯୋଜନା ଲୋକଙ୍କ ଟିକସ ପଇସାରେ ଚାଲିଥାଏ । ରାଜ୍ୟ ସରକାର ଗତ ଏପ୍ରିଲ ମାସରେ ମୋଟ ୧୨ ଶହ କୋଟିରୁ ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ତାହା ୪ ଶହ କୋଟି ମଧ୍ୟରେ ସୀମିତ ଥିଲା । ସରକାର ଏବେ ପ୍ରବାସୀ ଶ୍ରମିକମାନଙ୍କ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଟିକସଦାତାମାନେ କିଭଳି ଟିକସରୁ ଛାଡ଼ ପାଇବେ ଓ ସେମାନଙ୍କ କର୍ମଚାରୀଙ୍କୁ କିପରି ଦରମା ଦେବେ ସେ ବିଷୟରେ ସଂପୂର୍ଣ୍ଣ ଚୁପ୍ ବସିଛନ୍ତି । ଆୟକର ଓ ଜିଏସଟି ଉଭୟ କେନ୍ଦ୍ର ସରକାରଙ୍କ ଅଧିନରେ ରହିଥିଲେ ମଧ୍ୟ ଜିଏସଟିରେ ପ୍ରତି ରାଜ୍ୟର ଭାଗ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରତି ବର୍ଗର ଟିକସଦାତାଙ୍କ ଲାଗି ଟିକସ ରିହାତି, ବ୍ୟାଙ୍କ ଋଣ ଉପରେ ସୁଧ ଛାଡ଼ ଆଦି ସହ ସରକାରୀ କାର୍ଯ୍ୟ ସମସ୍ତଙ୍କୁ ସମାନଭାବେ ବାଣ୍ଟି କରିବା ଲାଗି ସୁଯୋଗ ଦେଲେ ସବୁ ବର୍ଗର ଲୋକେ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here