Spread the love

ନୁଆଦିଲ୍ଲୀ: ଭାରତରେ କରୋନା ଥମିବା ନାଁ ଧରୁନାହିଁ । ବୁଧବାର ଦେଶରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଥିଲା ବେଳେ ଗୁରୁବାର ଆକ୍ରାନ୍ତଙ୍କ ଗତ ୨୪ ଘଣ୍ଟାରେ ଦେଶରେ ୧୭୧୮ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ମୋଟ ସଂକ୍ରମିତ ସଂଖ୍ୟା ୩୩,୬୧୦ ରେ ପହଞ୍ଚିଛି । ତେବେ ଦେଶର ଆରୋଗ୍ୟ ହାର ନିୟମିତ ଭାବେ ବଢିଚାଲିଛି । ଗତ ୨୪ ଘଣ୍ଟାରେ ୬୩୦ ଜଣ ସୁସ୍ଥ ହୋଇଛନ୍ତି ଓ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮,୩୭୨ ରେ ପହଞ୍ଚିଛି । । ମାତ୍ର ୧୪ ଦିନ ପୂର୍ବେ ଦେଶର ଆରୋଗ୍ୟ ହାର ୧୩ ପ୍ରତିଶତ ଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ମୃତ୍ୟୁହାର ୩.୨ ପ୍ରତିଶତରେ ସ୍ଥିର ରହିଛି ଓ ଦେଶର ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ ଅନ୍ୟ ରୋଗଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ଦେଶର ଦ୍ୱିଗୁଣିତ ହାର ମଧ୍ୟ ୧୧ ଦିନକୁ ବୃଦ୍ଧି ପାଇଛି । ଦେଶରେ କେବଳ ଆରଟି-ପିସିଆର ଟେଷ୍ଟ କରାଯାଉଛି ।
ଏହି ଅବସରରେ ଉପସ୍ଥିତ ଥିବା କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଶ୍ରମିକ,ଛାତ୍ରଛାତ୍ରୀ, ପର୍ୟ୍ୟଟକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବା ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ । ଏବେ କେବଳ ବସରେ ସେମାନଙ୍କ ପରିବହନ କରିବା ଲାଗି ଗାଇଡଲାଇନ ଜାରି ହୋଇଛି ।

ବୁଧବାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର କରୋନା ଜନିତ ମୃତ୍ୟୁହାର ୩ ପ୍ରତିଶତ ଓ ଆରୋଗ୍ୟ ହାର ୨୫ ପ୍ରତିଶତ ରହିଛି । ଦେଶର ମୋଟ ୧୦୭୫ ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ ଅନ୍ୟ ରୋଗ ଥିଲା । ମୃତକଙ୍କ ମଧ୍ୟ ପ୍ରାୟ ୪୯ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ କମ ଓ ୫୧ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ ଅଧିକ । ୧୪ ପ୍ରତିଶତଙ୍କ ବୟସ ୪୫ ବର୍ଷରୁ କମ ବୋଲି ଜଣାପଡ଼ିଛି ।ମହାରାଷ୍ଟ୍ରରେ ମୋଟ ସଂକ୍ରମଣ ସଂଖ୍ୟା ୭୮୯୦ ଥିବାବେଳେ ମୃତ୍ୟୁସଂଖ୍ୟା ୪୩୨ ରହିଛି । ୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଗୁଜୁରାଟ ଓ ଦିଲ୍ଲୀ ରହିଛନ୍ତି । ଏହି ଦୁଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୩୩୫୮ ଓ ୨୨୯୧ ଓ ମୃତ୍ୟୁସଂଖ୍ୟା ଯଥାକ୍ରମେ ୧୯୫ ଓ ୫୬ ରହିଛି ।
ମୃତକଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୩୧ ଜଣ, ଆସାମର ୧, ବିହାରର ୨, ଦିଲ୍ଲୀର ୫୬, ଗୁଜରାଟର ୧୯୭, ହରିୟାଣାର ୩, ହିମାଚଳ ପ୍ରଦେଶର ୧, ଜମ୍ମୁ ଓ କଶ୍ମୀରର ୮, ଝାଡ଼ଖଣ୍ଡର ୩, କର୍ଣ୍ଣାଟକର ୨୧, କେରଳର ୪, ମଧ୍ୟପ୍ରଦେଶର ୧୨୯, ମହାରାଷ୍ଟ୍ରର ୪୩୨, ମେଘାଳୟର ୧, ଓଡ଼ିଶାର ୧, ପଞ୍ଜାବର ୧୯, ରାଜସ୍ଥାନର ୫୧, ତାମିଲନାଡୁରେ ୨୭, ତେଲେଙ୍ଗାନାର ୨୬, ଉତ୍ତରପ୍ରଦେଶର ୩୯ ଏବଂ ପଶ୍ଚମବଙ୍ଗର ୨୨ ଅଛନ୍ତି ।
ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୩୩, ଆନ୍ଧ୍ରପ୍ରଦେଶରେ ୧୩୩୨, ଅରୁଣାଚଳ ପ୍ରଦେଶରେ ୧, ଆସାମରେ ୩୮, ବିହାରରେ ୩୯୨, ଚଣ୍ଡିଗଡ଼ରେ ୫୬, ଛତିଶଗଡ଼ରେ ୩୮, ଦିଲ୍ଲୀରେ ୩୪୩୯, ଗୋଆରେ ୭, ଗୁଜରାଟରେ ୪୦୮୨, ହରିୟାଣାରେ ୩୧୦, ହିମାଚଳ ପ୍ରଦେଶରେ ୪୦, ଜମ୍ମୁ ଓ କଶ୍ମୀରରେ ୫୮୧, ଝାଡ଼ଖଣ୍ଡରେ ୧୦୭ କର୍ଣ୍ଣାଟକରେ ୫୩୫, କେରଳରେ ୪୯୫, ଲଦାଖରେ ୨୨, ମଧ୍ୟପ୍ରଦେଶରେ ୨୫୬୧, ମହାରାଷ୍ଟ୍ରରେ ୯୯୧୫, ମଣିପୁରରେ ୨, ମେଘାଳୟରେ ୧୨, ମିଜୋରାମରେ ୧, ଓଡ଼ିଶାରେ ୧୨୮, ପୁଦ୍ଦୁଚେରୀରେ ୮, ପଞ୍ଜାବରେ ୩୫୭, ରାଜସ୍ଥାନରେ ୨୪୩୮, ତାମିଲନାଡୁରେ ୨୧୬୨, ତେଲେଙ୍ଗାନାରେ ୧୦୧୨, ତ୍ରିପୁରାରେ ୨, ଉତ୍ତରାଖଣ୍ଡରେ ୫୫, ଉତ୍ତରପ୍ରଦେଶରେ ୨୧୩୫ ଓ ପଶ୍ଚିମବଙ୍ଗରେ ୭୫୮ ଜଣ ଆକ୍ରାନ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here