Spread the love

ଭୁବନେଶ୍ୱର: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ସହ ଲଢେଇ କରୁଛି ଭାରତ ଓ ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କରୋନା ସଂକ୍ରମଣ ରୋକିବା ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ହେଲେ ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ଭଳି ରାଜ୍ୟ ସରକାର ଲକଡାଉନ ୩-୦ରେ ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡ଼ିକରେ ମଦ ବିକ୍ରୀ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଯାହାକୁ ପ୍ରାୟ ସବୁ ମହଲରେ ନାପସନ୍ଦ କରାଯାଇଛି ।
ଏବେ କରୋନା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟରେ ପ୍ରାୟ ହଜାର ହଜାର କୋଟି ଟଙ୍କା ବ୍ୟୟ କରିବାକୁ ସ୍ଥିର କରିଛନ୍ତି । ଏଥିରେ ରାଜ୍ୟର କୃଷକ, ପ୍ରବାସୀ ଶ୍ରମିକ, ଦାରିଦ୍ର୍ୟ ସୀମାରେଖା(ବିପିଏଲ) ତଳେ ଥିବା ଲୋକଙ୍କ କଲ୍ୟାଣ ପାଇଁ, କରୋନା ରୋଗୀଙ୍କ ଚିକିତ୍ସା ସମେତ ସଙ୍ଗରୋଧରେ ରହୁଥିବା ଲୋକଙ୍କ ପାଇଁ ବ୍ୟୟ ହେବ । ସରକାରଙ୍କ ଏହି ଯୋଜନାକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଯେଉଁମାନଙ୍କ ପାଇଁ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟ କରିବେ ସେମାନେ ବିପିଏଲ, ନିମ୍ନ ଆୟକାରୀ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ୍ ବର୍ଗର ନାଗରିକ ଅଟନ୍ତି । ଏବେ ଦେଖାଯାଇଛି ଯେ ଲକଡାଉନ ୩-୦ରେ ଯେଉଁ ସ୍ଥାନରେ ମଦ ଦୋକାନ ଖୋଲାଯାଇଛି ସେଠାରେ ଉପରବର୍ଣ୍ଣିତ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା ।
ଭାରତରେ ମୋଟ ଜନସଂଖ୍ୟାର ୨୭ ପ୍ରତିଶତ ପୁରୁଷ ଓ ୧.୭ ପ୍ରତିଶତ ମହିଳା ମଦ୍ୟପାନ କରୁଛନ୍ତି । ବିଶ୍ୱରେ ମଦ୍ୟପାନରେ ଆମେରିକା ନାଗରିକ ସର୍ବାଗ୍ରେ ଥିଲା ବେଳେ ଭାରତରେ ମଦ୍ୟପ ମାନେ ଦୈନିକ ହାରାହାରି ୫.୬ ଲିଟର ମଦ ପିଉଛନ୍ତି । ଏଥିରେ ଉଭୟ ଦେଶୀ ଓ ଭାରତ ନିର୍ମିତ ବିଦେଶୀ ମଦ ଅନ୍ତର୍ଭୁକ୍ତ । ମଦ୍ୟପାନ ଦ୍ୱାରା ଆମ ରାଜ୍ୟରେ ପାରିବାରିକ ଗଣ୍ଡଗୋଳ, ମହିଳାଙ୍କ ପ୍ରତି ଅତ୍ୟାଚାର ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଲକଡାଉନ ବେଳେ ଏ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ଏହା ସତ୍ୟ ଯେ ଲକଡାଉନ ଉଠିବା ପରେ ମଦ ବିକ୍ରୀ ଆରମ୍ଭ ହେବ । ମାତ୍ର କରୋନା ଜନିତ ଲକଡାଉନ ବେଳେ ମଦ ବିକ୍ରୀ ପ୍ରଶାସନର ଚିନ୍ତା ବଢାଇବ ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଉଛନ୍ତି । କାରଣ ଏବେ ସୁରତ ଫେରନ୍ତା ପ୍ରବାସୀ ଶ୍ରମିକ ରାଜ୍ୟ ସରକାରଙ୍କ ନିଦ ହଜାଇ ସାରିଲେଣି । ବିନା ମଦରେ ଏମାନଙ୍କ କାଣ୍ଡ ରାଜ୍ୟ ସରକାରଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେବାକୁ ବାଧ୍ୟ କରିଛି । ସହଜରେ ମଦ ମିଳିଲେ ଏମାନେ କ’ଣ କରିବେ ତାହା ଅନୁମେୟ । କାରଣ ରେଡ ଜୋନକୁ ଲାଗିକରି ଗ୍ରୀନ ଜୋନ ଅଛି । ତେଣୁ ଗ୍ରୀନ ଜୋନରେ ମଦ ମିଳିଲେ ରେଡ ଜୋନରେ ମଧ୍ୟ ନିଶ୍ଚିତ ମିଳିପାରିବ ବୋଲି ପୋଲିସ ଓ ଅବକାରୀ ଅଧିକାରୀ ମାନେ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁନାହାନ୍ତି । ସୋମବାର ଦିଲ୍ଲୀରେ ମଦ ପାଇଁ ଯେଉଁ ଅଭାବନୀୟ ପରିସ୍ଥିତି ହେଲା ସେଥିରୁ ରାଜ୍ୟ ସରକାର କିଛି ଶିକ୍ଷା କରିବା ଉଚିତ । ଯଦି ମଦ ବିକ୍ରୀ ହୁଏ ତେବେ ରାତିଦିନ ଏକ କରି କରୋନାକୁ ପରାସ୍ତ କରିବା ପାଇଁ ଲାଗିଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନିକ ଅଧିକାରୀ, ଅଙ୍ଗନବାଡ଼ି-ଆଶା କର୍ମୀଙ୍କ ମନୋବଳ ଭାଙ୍ଗିବ । ଦେଖାଯାଇଛି ଯେ ରାଜ୍ୟରେ ଅନେକ ସ୍ଥାନରେ କିଛି ଲୋକ ଏହି କରୋନା ଯୋଦ୍ଧାଙ୍କ ପ୍ରତି ପ୍ରତିକୂଳ ମନୋଭାବ ପୋଷଣ କରୁଛନ୍ତି । ମଦ ମିଳିଲେ ଏହି ମୁଷ୍ଟିମେୟ ଲୋକଙ୍କ ଉତ୍ପାତ ବୃଦ୍ଧି ପାଇବ । ତେଣୁ ସରକାର ଏବେ ମଦ ବିକ୍ରୀରୁ ବିରତ ରହିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here