Spread the love

ଭୁବନେଶ୍ୱର : ମହାବାତ୍ୟାର ପାଖାପାଖି ୨୧ ବର୍ଷ ପରେ ଅତି ଭୀଷଣ ବାତ୍ୟା ଆସନ୍ତା କାଲି ତାର ଶକ୍ତି ପ୍ରଦର୍ଶନ କରିବ । ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ମହାବାତ୍ୟାର କରାଳ ରୂପ ଏଥର ପଶ୍ଚିମ ବଙ୍ଗ ଓ ବାଂଲାଦେଶର ଲୋକ ଦେଖିବେ ବୋଲି ଭାରତୀୟ ପାଣିପାଗ ବିଭାଗର ଡି.ଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଓଡ଼ିଶାର ଗଂଜାମ ଓ ଗଜପତି ଜିଲ୍ଲାରେ ଘଣ୍ଟାକୁ ୭୫ ବେଗରେ ପବନ ହେବାକୁଥିବା ବେଳେ ଜଗତସିଂହପୁର , କଟକ , ଯାଜପୁର , ମୟୂରଭଞ୍ଜ , ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୫୫ ରୁ ୬୫ ବେଗରେ ପବନ ବହିବ । ସମୁଦ୍ର ମଧ୍ୟରେ ସଂପ୍ରତି ୨୪୦ କି.ମି ବେଗରେ ପବନ ବହୁଥିବା ବେଳେ ଅଂପନ ନାମ ଦିଆଯାଇଥିବା ଏହି ଅତିଭୀଷଣ ବାତ୍ୟା ଏବେ ଘଣ୍ଟାକୁ ୧୫ କି.ମି ବେଗରେ ଅଗ୍ରଗତି କରୁଛି । କାଲି ଅପରାହ୍ନରେ ଉତ୍ତର ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୧୨୫ କି.ମି ବେଗରେ ପବନ ବହିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଏହି ବାତ୍ୟାର ବେଗ ୧୮୫ କି.ମି ରହିବ । ଫଳରେ ପଶ୍ଚିମବଙ୍ଗର ଚବିଶପ୍ରଗଣା ଓ ମେଦିନାପୁର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶା କରାଯାଉଛି ।
ସୂଚନା ଅନୁଯାୟୀ ସଂପ୍ରତି ଉତ୍ତର-ପୂର୍ବ ଦିଗକୁ ଗତି କରୁଥିବା ଏହି ଅତି ଭୀଷଣ ବାତ୍ୟା ଅଂପନ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ । ତେବେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ଲାଗି ଏନ.ଡ଼ି.ଆର.ଏଫ.ର ୪୧ ଟି ଦଳ ସଜାଗ ହୋଇ ରହିଥିବା ଏହାର ଡି.ଜି ସୂଚନା ଦେଇଛନ୍ତି । ସମସ୍ତ ସଦସ୍ୟଙ୍କୁ ପି.ପି.ଇ କିଟ ପ୍ରଦାନ କରାଯାଇଥିବା ବେଳେ ଯେକୌଣସି ପରିସ୍ଥିତିର ସାମ୍ନା କରିବା ଲାଗି ଆମେ ପ୍ରସ୍ତୁତ ବୋଲି ସେ ସୂଚନା ଦେଇଛନ୍ତି । ସେହିଭଳି ଉପକୂଳ ଅଂଚଳରେ ସାଧାରଣ ଲୋକଙ୍କୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ପୂର୍ବରୁ ଯେଭଳି ପଦକ୍ଷେପ ନିଆଯାଉଥିଲା ଅନୁରୂପ ଭାବେ କାର୍ଯ୍ୟ କରାଯାଉଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁଖ୍ୟ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତେବେ ସଂପ୍ରତି କରୋନା ସମୟରେ ବାତ୍ୟାର ତାଣ୍ଡବ ଲୋକଙ୍କ ମନରେ ଆଶଙ୍କା ବଢ଼ାଇ ଦେଇଥିବା ବେଳେ ଆଗକୁ ମହାମାରୀ କି ଭଳି ରୂପ ନେବ ସେନେଇ ସାଧାରଣରେ ନାନା ଆଶଙ୍କା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here