Spread the love

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ହାହାକାର ସୃଷ୍ଟି କରିଥିବା କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ଲୋପ କରିହେବନାହିଁ ବୋଲି ଚିନର ବିଶେଷଞ୍ଜମାନେ ଆଶଙ୍କା କରୁଥିଲା ବେଳେ ଅନ୍ୟ ରାଷ୍ଟ୍ରର ବୈଜ୍ଞାନିକମାନେ ମଧ୍ୟ କରୋନା ଋତୁକାଳୀନ ସଂକ୍ରମଣ ଭାବେ ପ୍ରତିବର୍ଷ ଦେଖା ଦେଇପାରେ ବୋଲି କହିଛନ୍ତି । ୧୭ ବର୍ଷ ତଳେ ଦେଖା ଦେଇଥିବା ସାର୍ସ ଭୂତାଣୁ ପରି ଏହା ଉଭେଇ ଯିବନାହିଁ। କାରଣ ଅନେକଙ୍କ ଦେହରେ କରୋନା ସଂକ୍ରମଣ ଜ୍ୱର ଭଳି ସାଧାରଣ ଲକ୍ଷଣ ଦେଖାଯାଉନାହିଁ। ଏହି ସଂକ୍ରମଣକୁ ଲକ୍ଷଣ ରହିତ ସଂକ୍ରମଣ କୁହାଯାଉଛି। ଧରା ନ ପଡ଼ି ମଧ୍ୟ ଲୋକମାନେ ଭୂତାଣୁ ସଂକ୍ରମଣ କରାଇ ଦେଉଛନ୍ତି। ତେଣୁ କରୋନା ସଂକ୍ରମଣର ମୂଳୋତ୍ପାଟନ କରିବା ଏତେ ସହଜ ବ୍ୟାପାର ନୁହେଁ। ଚୀନ୍ର ଡାକ୍ତରୀ ଗବେଷଣା କେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପାଥୋଜେନ୍ ବାୟୋଲୋଜିର ନିର୍ଦେଶକ ଜିନ୍ କ୍ବି କହିଛନ୍ତି ଯେ ଏହି ମହାମାରୀ ଦୀର୍ଘ ଦିନ ଯାଏ ମଣିଷ ସହ ସହାବସ୍ଥାନ କରିବା ପରି ଜଣାପଡୁଛି। ମାନବ ଶରୀରରେ ବଞ୍ଚି ପାରୁଥିବାରୁ ଏହା ଋତୁକାଳୀନ ହୋଇପାରେ ବୋଲି ଚୀନ୍ର ଭାଇରାଲ୍ ଆଣ୍ଡ୍ ମେଡିକାଲ୍ ରିସର୍ଚର୍ମାନେ ବେଜିଙ୍ଗ୍ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି। ସଂକ୍ରମିତମାନଙ୍କୁ କ୍ବାରେଣ୍ଟିନ୍ରେ ରଖାଯିବା ପରେ ଭୂତାଣୁ ସଂକ୍ରମଣ ବନ୍ଦ ହୋଇଯାଉଛି ସତ କିନ୍ତୁ, ଲକ୍ଷଣ ନ ଥିବା ସଂକ୍ରମିତଙ୍କ ଠାରୁ ତାହା ପୁଣି ବ୍ୟାପୀ ଯାଉଛି। ଚୀନରେ ସଂକ୍ରମଣ ଦମନ ହୋଇସାରିଥିଲେ ସୁଦ୍ଧା ପୁଣି ନୂତନ ସଂକ୍ରମଣ ଦେଖାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ୍ ଇନ୍ଫେକ୍ସିଅସ୍ ଡିଜିଜ୍’ର ନିର୍ଦେଶକ ଆନ୍ଥୋନି ଫକ୍ସିଙ୍କ ସମେତ କେତେକ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ନୂତନ କରୋନା ଭାଇରସ୍ ଶୀତଋତୁରେ ସାମୟିକ ସଂକ୍ରମଣ ବଢ଼ାଇବାର କାରଣ ହୋଇପାରେ।

LEAVE A REPLY

Please enter your comment!
Please enter your name here