Spread the love

ଭୁବନେଶ୍ୱର: ସରକାର ରାଜ୍ୟ ପାଇଁ ସୋମବାର ଜାରି କରିଛନ୍ତି ଅନଲକ-୧ର ନିୟମାବଳୀ । କେନ୍ଦ୍ର ରାତ୍ରୀକାଳୀନ କର୍ଫ୍ୟୁକୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ କରିଥିଲା ବେଳେ ରାଜ୍ୟ ସରକାର ଏହାକୁ ସନ୍ଧ୍ୟା ୭ରୁ ସକାଳ ୭ଯାଏ ବଳବତ୍ତର ରଖିଛନ୍ତି । ସେହିପରି ୧୧ଟି କରୋନା ପ୍ରବଣ ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟଡାଉନ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ସୋମବାର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ କହିଲେ ଯେ କେନ୍ଦ୍ର ସରକାର ସାନ୍ଧ୍ୟ ଆଇନରେ କୋହଳ କରିଥିଲେ ମଧ୍ୟ ରାଜ୍ୟରେ ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେହିପରି ୧୧ଟି କରୋନା ପ୍ରବଣ ଜିଲ୍ଲା ଗଞ୍ଜାମ. କଟକ, କେନ୍ଦ୍ରପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ନୟାଗଡ଼, ବଲାଙ୍ଗୀର, ଖୋର୍ଦ୍ଧା ଓ ଯାଜପୁରରେ ଜୁନ ମାସ ସାରା ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡାଉନ କରାଯିବ । ସଟଡାଉନରେ କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ କିଛି ଖୋଲା ରହିବ ନାହିଁ । ଏବେ ସୁଦ୍ଧା ରାଜ୍ୟକୁ ଫେରିଲେଣି ୪ ଲକ୍ଷ୨୬, ୫୦୪ ଜଣ ପ୍ରବାସୀ। ତେଣୁ କରୋନାଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ରାଜ୍ୟ ସରକାର କେତେକ ନିୟମ ପ୍ରଣୟନ କରିଛନ୍ତି। ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ଖୋଲିବ ନାହିଁ। ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ ମଲ୍/କମ୍ପ୍ଲେକ୍ସ୍ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହ ଜୁନ୍ ୩୦ ଯାଏଁ କୌଣସି ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ। ହୋଟେଲ୍ ସବୁ ନିଜ ସାମର୍ଥ୍ୟର ୩୦% ନେଇ ଖୋଲି ପାରିବେ। ଗ୍ରାହକମାନେ ରେସ୍ତୋରାଁକୁ ଯାଇ ଭୋଜନ କରି ପାରିବେ ନାହିଁ। କେବଳ ହୋଟେଲ୍ରେ ରହୁଥିବା ଲୋକମାନଙ୍କ ପାଇଁ ରେସ୍ତୋରାଁ ଚାଲିବ। ରାଜ୍ୟର କୌଣସି ସ୍ଥାନରେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ କରାଯାଇ ପାରିବ ନାହିଁ ଜୁନ୍ ୩୦ ଯାଏଁ କୌଣସି ଉପାସନାସ୍ଥଳୀକୁ ଯିବା ପାଇଁ ବ୍ୟକ୍ତିବିଶେଷଙ୍କୁ ଅନୁମତି ଦିଆଯିବ ନାହିଁ। ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସମାରୋହ ମଧ୍ୟ ଆୟୋଜନ କରାଯାଇ ପାରିବ ନାହିଁ। ବିବାହ ପାଇଁ ୫୦ ଜଣ ଅତିଥିଙ୍କୁ ଅନୁମତି ଦିଆଯିବ ଓ ଅନ୍ତ୍ୟେଷ୍ଟିରେ ୨୦ଜଣ ଲୋକଙ୍କୁ ଅନୁମତି ମିଳିବ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୋଲିସ ମହାନିଦେ୍ର୍ଦଶକ ଅଭୟ କହିଲେ ଯେ ଏବେ ମାସ୍କ ଓ ସାମାଜିକ ଦୁରତାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଏହାର ବ୍ୟବହାର ନକଲେ ପ୍ରଥମ ଦୁଇଥର ପାଇଁ ୫୦୦ ଟଙ୍କା ଓ ପରବର୍ତ୍ତୀ ଭୁଲ ପାଇଁ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ରାତ୍ରୀକାଳୀନ କର୍ଫୁ୍ୟକୁ କଡ଼ାକଡ଼ି କରାଯିବ । ସାମାନ୍ୟ ଉଲ୍ଲଘଂନକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ । ବିନା କାରଣରେ ବାହାରେ ବୁଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମ ଭଙ୍ଗକାରୀଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here