Spread the love

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଛି ଗଜରାଜ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଚିନ୍ତା । ସେଥିପାଇଁ ଚନ୍ଦକା ସଂରକ୍ଷିତ ଜଙ୍ଗଲରେ ପ୍ରତିଷ୍ଠା ହେବ ବନ୍ୟପ୍ରାଣୀ ଡାକ୍ତରଖାନା । ଏଥିରେ ବିଭିନ୍ନ କାରଣରୁ ଆହତ ଓ ଅସୁସ୍ଥ ହେଉଥିବା ବନ୍ୟପ୍ରାଣୀ ବିଶେଷ କରି ହାତୀଙ୍କର ଚିକିତ୍ସା କରାଯିବ । ଏ ସମ୍ପର୍କରେ ଗତ ମଇ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ହାତୀଙ୍କ ସୁରକ୍ଷା ଓ ବଂଶବୃଦ୍ଧି ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ନେବା ପାଇଁ ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଙ୍ଗଲରେ ଅସୁସ୍ଥ ହୋଇ ଅସମୟରେ ପ୍ରାଣ ହରାଉଥିବା ବନ୍ୟଜନ୍ତୁଙ୍କ ସମ୍ପର୍କରେ ଆଲୋଚନା କରାଯାଇ ଚନ୍ଦକା ଅଭୟାରାଣ୍ୟରେ ଏକ ବନ୍ୟପ୍ରାଣୀ ଡାକ୍ତରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ରାଜ୍ୟରେ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସିମିଳିପାଳ-ହଦଗଡ଼ ଓ ବରୁଣାଇ-ନୂଆଗଡରେ ଦୁଇଟି ନୁଆ ହାତୀ କରିଡର ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ରାଜ୍ୟରେ ୧୪ଟି ହାତୀ କରିଡର ଅଛି । ରାଜ୍ୟରେ ୨୦୧୭ରେ ୧୯୭୬ ହାତୀ ଥିବା ଗଣନା କରାଯାଇଥିଲା । ଜାତୀୟ ରାଜପଥ ୫୫ ଉପରେ ହାତୀ ଚଳାଚଳ ରୋକିବା ପାଇଁ ଢେଙ୍କାନାଳ, ରେଢାଖୋଲ ଓ ଆଠମଲିକରେ ରାଜପଥରେ ଅଣ୍ଡରପାଶ ନିର୍ମାଣ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here