Spread the love

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଏବେ ସାମରିକ ଉତ୍ତେଜନା ଚାଲିଥିଲା ବେଳେ ଦେଶର ସୁରକ୍ଷା ସଂସ୍ଥା ପକ୍ଷରୁ ପୂର୍ବ ଲଦାଖରେ ଚୀନର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । ସେଥିରେ କିପରି ଚୀନ ସ୍ୱଳ୍ପ ସମୟ ମଧ୍ୟରେ ଏତେ ସଂଖ୍ୟକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିପାରିଲା ସେ ସମ୍ପର୍କରେ ସୁଚନା ଦିଆଯାଇଛି । ଦୌଲତ ବେଗ ଓଲଡି ଓ ପାଙ୍ଗୋଙ୍ଗ ସୋ ସେକ୍ଟରରେ ଚୀନ ସେନା ମୁତୟନ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମଇ ପ୍ରଥମ ସପ୍ତାହରେ ଚୀନ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ୫ହଜାରରୁ ଅଧିକ ସୈନ୍ୟ ମୁତୟନ କରିଥିଲା । ପ୍ରାଥମିକ ଅବସ୍ଥାରେ ଚୀନ ତ୍ୱରିତ ସୈନ୍ୟ ମୁତୟନ କରି ଭାରତକୁ ଚକିତ କରିଥିଲା ମାତ୍ର ଭାରତ ମଧ୍ୟ ଶୀଘ୍ର ଅନୁରୁପ ସଂଖ୍ୟାରେ ସେନା ଠୁଳ କରିଥିଲା । ଉଚ୍ଚ ଯୁଦ୍ଧଭୂମୀରେ ଯୁଦ୍ଧ କୌଶଳରେ ନିପୁଣ ସଂରକ୍ଷିତ ଡିଭିଜନର ଜବାନଙ୍କୁ ଏବେ ଲଦାଖରେ ମୁତୟନ କରାଯାଇଛି । କାରୁରେ ଥିବା ୩ ଡିଭିଜନ ବ୍ୟତିତ ଳଦାଖରେ ଅତିରିକ୍ତ ସେନା ମୁତୟନ କରାଯାଇଛି । ମଇ ପ୍ରଥମ ସପ୍ତାହରୁ ଚୀନ ସେନା ପ୍ରକୃତ ନିୟନ୍ତ୍ରଣ ଅତିକ୍ରମଣ କରି ଭାରତୀୟ ଅଞ୍ଚଳରେ ଆଡ୍ଡା ଜମାଇଛନ୍ତି । ଇତିମଧ୍ୟରେ ଦୁଇ ସେନା ମଧ୍ୟରେ ଅନେକ ଥର ହାତାହାତି ହେବା ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଭାରତର ଆଭ୍ୟନ୍ତରୀଣ ଅଞ୍ଚଳକୁ ଅନୁପ୍ରବେଶ କରିବା ପାଇଁ ଚୀନ ସେନା ଯୋଜନା କରିଥିଲେ ମଧ୍ୟ ଭାରତୀୟ ସେନାର ସମୟୋଚିତ ପଦକ୍ଷେପ ଯୋଗୁ ତାହା ସମ୍ଭବ ହୋଇପାରିନଥିଲା । ସୀମାରେ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦୁଇ ଦେଶ ମଧ୍ୟରେ ସୃଷ୍ଟ ଉତ୍ତେଜନା ହ୍ରାସ କରିବା ପାଇଁ ଆସନ୍ତା ଶନିବାର ଦୁଇ ସେନାର ଲୁ୍ୟଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here