Spread the love

ମୁମ୍ବାଇ: ସବୁ କରୁଛନ୍ତି ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ କରୁଛନ୍ତି । ପ୍ରବାସୀ ଶ୍ରମିକ ଘରକୁ ଫେରିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଲାଉଛନ୍ତି । ତେବେ ଘରକୁ ଯିବା ପାଇଁ ଶ୍ରମିକ ଷ୍ଟେସନକୁ ଆସିଲେ ସେମାନଙ୍କୁ ମିଳୁଛି ଲାଠି ଓ ନାତ । ମହାରାଷ୍ଟ୍ରର ପାଲଘର ଷ୍ଟେସନରେ ଗୁରୁବାର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ମହାରାଷ୍ଟ୍ରରେ ଅଟକି ରହିଛନ୍ତି ଉତ୍ତର ପ୍ରଦେଶ ଓ ବିହାରର ଲକ୍ଷ ଲକ୍ଷ ଶ୍ରମିକ । ପୂର୍ବରୁ ମୁମ୍ବାଇରେ ଏହି ପ୍ରବାସୀ ମାନେ ଘରକୁ ଫେରିବା ପାଇଁ ରେଳ ଷ୍ଟେସନକୁ ଆସିବା ପରେ ଶିକାର ହୋଇଥିଲେ ପୋଲିସ ଅତ୍ୟାଚାରର । ସେତେ ବେଳେ କୁହାଯାଇଥିଲା ଯେ କେହି ଜଣେ ବିହାର ଓ ଉତ୍ତର ପ୍ରଦେଶକୁ ଯିବା ପାଇଁ ଟ୍ରେନର ବ୍ୟବସ୍ଥା ହୋଇଛି ବୋଲି ଗୁଜବ କରିବାରୁ ହଜାର ହଜାର ଶ୍ରମିକ ଷ୍ଟେସନରେ ଏକାଠି ହୋଇଥିଲେ । ମାତ୍ର ଗୁରୁବାରର ସ୍ଥିତି ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଉତ୍ତର ପ୍ରଦେଶର ମୈନପୁରୀକୁ ଯିବା ପାଇଁ ୩ଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଉତ୍ତର ପ୍ରଦେଶର ପ୍ରବାସୀଙ୍କୁ ସୁଚନା ମଧ୍ୟ ଦିଆଯାଇଥିଲା । ମାତ୍ର ୩ଟି ଯାକ ଟ୍ରେନର ମହାରାଷ୍ଟ୍ରର ପାଲଘର ଷ୍ଟେସନରେ ପହଞ୍ଚିବା ସମୟ ଏକ ଥିଲା । ସୁଚନା ପାଇ ହଜାର ହଜାର ପ୍ରବାସୀ ଶ୍ରମିକ ପାଲଘରରେ ଏକାଠି ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ସେମାନଙ୍କ ଦୁର୍ଦ୍ଦଶା ।
ସାମାଜିକ ଦୁରତ୍ୱ ରକ୍ଷା କରିବା ଆଳରେ ପୋଲିସ ସେମାନଙ୍କ ଉପରେ ବଳପ୍ରୟୋଗ କରିବା ଆରମ୍ଭ କରିଥିଲା । ଏଣେ ଟ୍ରେନ ନଆସିବା ଓ ତେଣେ ପୋଲିସର କାର୍ଯ୍ୟାନୁଷ୍ଠାନ ଶ୍ରମିକଙ୍କୁ ଉତକ୍ଷିପ୍ତ କରିବାକୁ ଯଥେଷ୍ଟ ଥିଲା । ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ପାଲଘର ପାଲଟିଥିଲା ରଣକ୍ଷେତ୍ର । ଏପରିକି ଜଣେ ତହସିଲଦାର ଶ୍ରମିକଙ୍କୁ ଗୋଇଠା ମାରିବା ମଧ୍ୟ ଅଭିଯୋଗ ହୋଇଥିଲା । କେବଳ ମୁମ୍ବାଇ ନୁହେଁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି ଥିଲା ।
ବାଣିଜି୍ୟକ ରାଜଧାନୀ ମୁମ୍ବାଇ ଓ ଜାତୀୟ ରାଜଧାନୀ ଦିଲ୍ଲୀର ଏହି ବିକଳ ଅବସ୍ଥା ଦେଖିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଜଳଜଳ ହୋଇ ଦିଶୁଛି । ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବେଳେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେଇଥିଲେ ମାର୍ଚ୍ଚ ୨୫ରୁ ଜାତୀୟ ଲକଡାଉନ ବେଳେ ଅନୁରୁପ ପଦକ୍ଷେପ କାହିଁକି ନେଲେ ନାହିଁ ତାହା ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବେଳେ ସରକାର ପ୍ରଥମେ ସମସ୍ତ ବହିରାଗତ ଲୋକଙ୍କୁ ରାଜ୍ୟ ଛାଡ଼ି ଯିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ଓ ସେଥିରେ ସହଯୋଗ ମଧ୍ୟ କରିଥିଲେ । ଜାତୀୟ ଳକଡାଉନ ଆରମ୍ଭ କରିବା ପୂର୍ବରୁ ଅନୁରୁପ ପଦକ୍ଷେପ ନେଇଥିଲେ ଆଜି ଏପରି ସ୍ଥିତି ଉତ୍ପନ୍ନ ହୋଇନଥାନ୍ତା ବୋଲି ଅନେକ ମତ ଦେଉଛନ୍ତି । ସୁଚନାଯୋଗ୍ୟ ଯେ ସେତେବେଳେ ଅମରନାଥ ଯାତ୍ରା ଚାଲିଥିଲା ଓ କେନ୍ଦ୍ର ସରକାର ଯାତ୍ରା ଅଧାରୁ ବନ୍ଦ କରି ଯାତ୍ରୀ ସୁରକ୍ଷିତ ଘରକୁ ଫେରିବା ପରେ ୩୭୦ ଧାରା ଉଚ୍ଛେଦ କରିଥିଲେ । ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ସମାନ ନିଷ୍ପତ୍ତି ନିଆଯାଇପାରିଥାନ୍ତା । ମାର୍ଚ୍ଚ ୨୫ ପୂର୍ବରୁ ରବିବାର ଅର୍ଥାତ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଘୋଷଣା କରିଥିଲେ । ଜନତା କର୍ଫ୍ୟୁ ଘୋଷଣା ନକରି ସେହିଦିନଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରିବା ପାଇଁ ସମୟ ଦେଇ ସେମାନଙ୍କୁ ନିଜ ଅଞ୍ଚଳରେ ସଙ୍ଗରୋଧରେ ରଖି ଲକଡାଉନ ଘୋଷଣା କରିଥିଲେ ଲକଡାଉନରୁ ଅଧିକ ସୁଫଳ ମିଳିଥାନ୍ତା ଓ ଆଜିର ସ୍ଥିତି ସୃଷ୍ଟି ହୋଇନଥାନ୍ତା । କାରଣ ଏବେ ଦେଖାଯାଉଛି ଯେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ପରେ ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଇ ୧ ଲକ୍ଷ ମାର୍କ ଅତିକ୍ରମ କରିଛି । ଦେଶରେ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ପ୍ରମାଣିତ ହୋଇଛି । ଘରଠାରୁ ଦୁରରେ ଥିବା ଘରକୁ ପଠାଇବାର ଆଶା ଦେଖାଇ ସେମାନଙ୍କ ଉପରେ ଏପରି ଅତ୍ୟାଚାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here