Spread the love

ନୂଆଦିଲ୍ଲୀ: ଚୀନ କବଜାରୁ ଦୁଇ ଅଧିକାରୀଙ୍କ ସହ ୧୦ ଭାରତୀୟ ସେନା ଜବାନ ଗୁରୁବାର ସନ୍ଧ୍ୟାରେ ସ୍ୱଦେଶ ଫେରିଛନ୍ତି । ସେମାନଙ୍କୁ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖାର ଯେଉଁ ସ୍ଥାନରେ ସଂଘର୍ଷ ଘଟିଥିଲା ସେହିଠାରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଗତ ୧୫ ତାରିଖ ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଜଣେ କଲୋନେଲଙ୍କ ସହ ୨୦ ଜଣ ଭାରତୀୟ ଜବାନ ସହିଦ ହୋଇଥିଲା ବେଳେ ୪୩ ଜଣ ପିଏଲଏ ଜବାନ ପ୍ରାଣ ହରାଇଥିଲେ । ବ୍ୟବସ୍ଥା ଅନୁଯାୟୀ ଚୀନ କବଜାରୁ ମୁକ୍ତ ହୋଇଥିବା ଜବାନ ଓ ଅଧିକାରୀଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା ଓ ପରେ ସେମାନଙ୍କର ‘ମିଲିଟାରୀ ଡି-ବ୍ରିଫିଙ୍ଗ’ କରାଯାଇଥିଲା । ଭାରତର କିଛି ଜବାନଙ୍କୁ ପିଏଲଏ ଧରିନେଇଥିବା ଖବର ପ୍ରକାଶ ପାଇବା ପରେ ଭାରତ ପକ୍ଷରୁ ସେମାନଙ୍କ ମୁକ୍ତି ପାଇଁ ସାମରିକ ଓ କୁଟନୈତିକ ଉଦ୍ୟମ ଆରମ୍ଭ କରାଯାଇଥିଲା । ଏଥିପାଇଁ ମଙ୍ଗଳବାର ଠାରୁ ଗୁରୁବାର ମଧ୍ୟରେ ୩ ଥର ମେଜର ଜେନେରାଲସ୍ତରୀୟ ଆଲୋଚନା ହୋଇଥିଲା । ୧୯୬୨ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତୀୟ ଜବାନ ଚୀନ ଦ୍ୱାରା ବନ୍ଦୀ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here