Spread the love

ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ନବୀନ ପଟ୍ଟନାୟକ ରାଜ୍ୟ ରାଜନୀତିରେ ଅବସ୍ଥାପିତ ହୋଇଥିଲେ । ୧୯୯୯ ମହାବାତ୍ୟା ପରେ ୨୦୦୦ରୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କ ପୂର୍ବରୁ ଓଡ଼ିଶାର କୌଣସି ନେତା ଦୀର୍ଘ ୨୦ ବର୍ଷ ଧରି କ୍ଷମତା ଦଖଲ କରିପାରିନାହାନ୍ତି । ଏପରିକି ତାଙ୍କ ପିତା (ବିଜୁ ପଟ୍ଟନାୟକ, ଯାହାଙ୍କ ନାମରେ ଦଳ ଗଠନ ହୋଇଛି ଓ ତାଙ୍କ ଛାଇରେ ନବୀନଙ୍କ ସମେତ ସବୁ ବିଜୁ ଜନତା ଦଳ ନେତା ଆଶ୍ରା ନେଇଛନ୍ତି) ମଧ୍ୟ ଏତେଦିନ ଲଗାତାର କ୍ଷମତାରେ ରହିପାରିନଥିଲେ । ରାଜ୍ୟ ରାଜନୀତିରେ ଅବସ୍ଥାପିତ ହେବା ଦିନ ଠାରୁ ନବୀନ ନିରଙ୍କୁଶ ନେତୃତ୍ୱ ଉପଭୋଗ କରୁଛନ୍ତି । ରାଜ୍ୟର କୌଣସି ନେତା ତାଙ୍କ ସମକ୍ଷକ ହୋଇପାରିନାହାନ୍ତି । ନବୀନଙ୍କ କଥା ବେଦର ଗାର ହୋଇଛି ।
ନବୀନ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ଗୋଟିଏ କ୍ଷେତ୍ରରେ ଆଶାତୀତ ସଫଳତା ପାଇଛନ୍ତି ତାହା ହେଲା ବିପର୍ଯ୍ୟୟ ପରିଚାଳନା । ୧୯୯୯ ମହାବାତ୍ୟା ସମୟରେ ରାଜ୍ୟର ସ୍ଥିତି ଯାହାଥିଲା ସେଥିରେ ଯେ କେହି ଅଭିଜ୍ଞ ରାଜନୀତିଜ୍ଞ ମଧ୍ୟ ନିଜକୁ ଅସହଜ ମନେ କରିବା ସ୍ୱାଭାବିକ ଥିଲା । ମାତ୍ର ମହାବାତ୍ୟା ପରଠାରୁ ରାଜ୍ୟରେ ପ୍ରତିବର୍ଷ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇଛି ଓ ସବୁର ମୁକାବିଲା କରିବାରେ ନବୀନ ଓ ତାଙ୍କ ଟିମ ସଫଳ ହୋଇଛନ୍ତି । ଏଥିପାଇଁ ଜାତିସଂଘ ଠାରୁ ଆରମ୍ଭ କରି ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ନବୀନ ପ୍ରଶଂସା ସାଉଁଟିଛନ୍ତି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସେ ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୨୦୧୯ର ଫନୀ ବାତ୍ୟା ପରେ ଯଥାସମୟରେ ଓ ସୁରୁଖୁରୁରେ ରଥଯାତ୍ରା ଅନୁଷ୍ଠିତ କରାଇ ସେ ସମସ୍ତଙ୍କୁ ଚମତକୃତ କରିଥିଲେ ।
ମାତ୍ର କରୋନା ସଂକ୍ରମଣ ଓ ଚଳିତ ବର୍ଷର ରଥଯାତ୍ରା ନବୀନଙ୍କ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଆରମ୍ଭ କରିଛି । ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମ ଏବେ ଦେଶର ନୁଆ କରୋନା ହଟସ୍ପଟ ହୋଇଛି । ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ମାର୍ଚ୍ଚ ୨୫ରେ ଚିହ୍ନଟ ହେବା ପରେ ଅନେକ କିଛି ପଦକ୍ଷେପ ନିଆଯାଇଛି । ପ୍ରତି ପଞ୍ଚାୟତକୁ ୫ଲକ୍ଷ ଲେଖା ଟଙ୍କା ଦିଆଯିବା ସହ ସରପଞ୍ଚଙ୍କୁ ଦିଆଯାଇଛି ଜିଲ୍ଲାପାଳ କ୍ଷମତା । ମାର୍ଚ୍ଚ ୨୫ରୁ ମଇ ଆରମ୍ଭ ପର୍ଯ୍ୟନ୍ତ ସବୁକିଛି ନିୟନ୍ତ୍ରଣରେ ଥିଲା ପରି ମନେ ହେଉଥିଲା । ମାତ୍ର ସୁରତରୁ ଓଡ଼ିଆ ଫେରିବା ପରେ ସବୁକିଛି ବଦଳି ଯାଇଥିଲା । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିଲା ବେଳେ କରୋନା ମୁକାବିଲାରେ ବାରି ହୋଇଥିଲା ଦୁର୍ନୀତିର ଗନ୍ଧ । ସଙ୍ଗରୋଧ କେନ୍ଦ୍ର ସ୍ଥାପନ ଠାରୁ ଆରମ୍ଭ କରି ଖଟିଆ କିଣା, ଖାଦ୍ୟପେୟ ଖର୍ଚ୍ଚ, ପାନୀୟ ଜଳ ବିଶୋଧକ ଯନ୍ତ୍ର କ୍ରୟ ପର୍ଯ୍ୟନ୍ତ ସବୁଠି ଦେଖା ଦେଇଛି ଅବ୍ୟବସ୍ଥା । ପ୍ରତି ମୁହୁର୍ତ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚାର କରାଯାଉଛି ଯେ ସବୁକିଛି ନିୟନ୍ତ୍ରଣରେ ଅଛି, ବ୍ୟସ୍ତ ହେବାର କିଛି ନାହିଁ । ମାତ୍ର ସୁରତରୁ ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପରେ ଯାହା ସବୁ ଘଟିଲାଣି ସେଥିରୁ ସବୁକିଛି ଠିକ ଥିଲା ପରି ଆଦୌ ମନେ ହେଉନାହିଁ । କରୋନା ଆତଙ୍କ ସାଙ୍ଗକୁ ଏବେ ପୁଣି ଟଙ୍କିକିଆ ଚାଉଳ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇଛି । କରୋନା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଗୁଆ ଚଉଳ, ଗହମ, କିରାସିନି ଯୋଗାଇ ଦେଇଥିଲା ବେଳେ ପ୍ରବାସୀଙ୍କ କୋଟା ବାଟମାରଣ ହୋଇଛି ବୋଲି ସାରା ରାଜ୍ୟରୁ ଅଭିଯୋଗ ଆସିଲାଣି । ନବୀନ ଯେ ଶାସନକୁ ଆସିଲା ପରେ ଦୁର୍ନିୀତି ଓଡ଼ିଶାରେ ନଥିଲା ବୋଲି କହିହେବନାହିଁ । ଯଦି ଦୁର୍ନୀତି ନଥିଲା ତେବେ ନିର୍ବାଚନ ବେଳେ କେବଳ ୨ ହଜାରିଆ ନୋଟ ବଣ୍ଟା ହେଲା କିପରି? ମାତ୍ର ମହାମାରୀ ସମୟର ଦୁର୍ନୀତି ପ୍ରତି ଲୋକଙ୍କର ସ୍ୱତନ୍ତ୍ର ଦୃଷ୍ଟି ଥାଏ । ସେହି କାରଣରୁ ୧୯୯୯ ମହାବାତ୍ୟା ପରଠାରୁ କଂଗ୍ରେସ ରାଜ୍ୟରେ ନିଜ ନାମରେ ଦୁବଟିଏ ସୁଦ୍ଧା କଅଁଳାଇ ପାରିନାହିଁ । ଏଥିସହ ମାଗଣା ବାଣ୍ଟିବାକୁ ମଧ୍ୟ ରାଜ୍ୟର ବହୁ ସଚେତନ ଲୋକ ବିରୋଧ କରୁଛନ୍ତି । ସବୁକିଛି ମାଗଣା ଦିଆଯିବ ଦ୍ୱାରା ଶିକ୍ଷା, ସ୍ୱାସ୍ଥୃ୍ୟ ପରି ମୌଳିକ କ୍ଷେତ୍ର ପ୍ରତି ସାମାନ୍ୟ ଦୃଷ୍ଟି ଦେବା ସମ୍ଭବ ନୁହେଁ । ସେହି କାରଣରୁ ନବୀନ ଓ ବିଜେଡ଼ିର ଦାବି ଅନୁସାରେ ଅନେକ କ୍ଷେତ୍ରରେ ଅନ୍ୟ ରାଜ୍ୟଠାରୁ ଆଗୁଆ ଥିବା ଓଡ଼ିଶାରେ ପ୍ରତି ହଜାରେ ଲୋକଙ୍କ ପାଇଁ ଗୋଟିଏ ଶଯ୍ୟା ନାହିଁ । ଆମ ରାଜ୍ୟରେ ପ୍ରତି ହଜାରେ ଲୋକଙ୍କ ପାଇଁ ଅଧା ଶଯ୍ୟା ଅଛି ପୁରା ନୁହେଁ । ସେହିପରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ପାସ କରାଇ ଦିଆଯିବ ଦ୍ୱାରା ନବମ ଶ୍ରେଣୀରେ ଶହେରୁ ଶହେ ଫେଲ ହେବା ପରି ସ୍ଥିତି ସୃଷ୍ଟି ହୋଇଛି ।
ଲୋକେ ଜଣକୁ ଯେତିକି ବିଶ୍ୱାସ କରନ୍ତି ସେତିକି ଆଶା ମଧ୍ୟ କରନ୍ତି । ଲୋକେ ଏବେ ମାଗଣା ଖାଇବାରେ ଏତେ ଅଭ୍ୟସ୍ତ ହୋଇଛନ୍ତି ଯେ ପାଇବାର ଆଶା ମଧ୍ୟ ବଢିଚାଲିଛି । ସୁରତରୁ ଫେରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ଯେପରି ବଢିଚାଲିଛି ଓ ଆମର ଜୀବନ ଶୈଳୀ ଯାହା ସେଥିରୁ ଓଡ଼ିଶା ଦେଶର ଏକ ନମ୍ବର କରୋନା ସଂକ୍ରମିତ ରାଜ୍ୟ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ବେପରୁଆ ଭାବେ ଚାଲିଛି କରୋନା ମୁକାବିଲା । ପଶ୍ଚିମବଙ୍ଗ, ସୁରତ ଫେରନ୍ତା ରାଜରାସ୍ତାରେ ବୁଲୁଥିଲା ବେଳେ ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା । ଏହା ସାଙ୍ଗକୁ ଆଉ ଏକ ରିପୋର୍ଟ ସମସ୍ତଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି । ଉକ୍ତ ରିପୋର୍ଟ ଅନୁସାରେ କରୋନାର ଉତ୍ପତିସ୍ଥଳ ଚୀନର ଉହାନ ସହରରେ କରୋନା ଭୂତାଣୁର ଯେଉଁ ପ୍ରଜାତି ମୃତୁ୍ୟର ତାଣ୍ଡବ ସୃଷ୍ଟି କରିଥିଲା ସେହି ପ୍ରଜାତିର କରୋନା ଭୂତାଣୁର ନମୁନା ଗୁଜୁରାଟରେ ମିଳିଛି । ସୁରତ ହେଉଛି ଗୁଜୁରାଟର ଅଂଶ । ଯଦି ଏହା ସତ୍ୟ ହୁଏ ତେବେ ଆଗକୁ କି ପରିସ୍ଥିତି ଆମକୁ ଅପେକ୍ଷା କରିଛି ତାହା ସ୍ପଷ୍ଟ ଅନୁମେୟ ।
ଏ ପରିସ୍ଥିତିରେ ଯଦି ସୁରତ ଫେରନ୍ତାଙ୍କ କାରଣରୁ ରାଜ୍ୟରେ କରୋନା ସାଂଘାତିକ ରୁପ ଧାରଣ କରେ ତେବେ ତଦଜନିତ ସ୍ଥିତି ପାଇଁ ନବୀନ ସିଧା ଲୋକଙ୍କ ନିକଟରେ ଉତ୍ତରଦାୟୀ ରହିବେ । ଯାହାକି ନବୀନଙ୍କ ପାଇଁ ସୃଷ୍ଟି କରିବ ଅଶ୍ୱସ୍ତିକର ସ୍ଥିତି ।
ରାଜନୈତିକ ଇନିଂସ ଆରମ୍ଭ କରିବା ପରେ ନବୀନ ଏ ଯାବତ କେବଳ ଲୋକଙ୍କ ଭଲ ପାଇବା ଦେଖିଛନ୍ତି ପ୍ରତ୍ୟାଖ୍ୟାନ ନୁହେଁ । ଲୋକେ ଯେତେବେଳେ କେଉଁ ନେତାଙ୍କ ପ୍ରତି ବିମୁଖ ହୁଅନ୍ତି ତେବେ ତାଙ୍କର ମୂଳୋତ୍ପାଟନ ହୋଇଥାଏ । ଆମ ଦେଶରେ ଏପରି ଉଦାହରଣ କିଛି କମ ନୁହେଁ । ୧୯୯୭ରୁ ରାଜ୍ୟରେ ନିରଙ୍କୁଶ କ୍ଷମତା ପାଇଥିବା ନବୀନଙ୍କ ପାଇଁ କରୋନା ମହାମାରୀ ପ୍ରଥମ ଥର ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା ବିଶ୍ୱ ସମସ୍ୟା ହୋଇଥିଲେ ହେଁ ନବୀନଙ୍କ ପାଇଁ ବାସ୍ତବରେ ରାଜନୈତିକ ଅଗ୍ନିପରୀକ୍ଷା ହେବ ବୋଲି ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here