Spread the love

କଟକ : କଟକ ଜିଲ୍ଲାରେ ମୋଟ ୨୯୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଟକ ମହାନଗରରୁ ୧୮୪ ରହିଥିବା ବେଳେ ବାକି ସମସ୍ତେ ଜିଲ୍ଲାର ବିଭିନ୍ନ ବ୍ଲକର ବୋଲି କଟକ ଜିଲ୍ଲାପାଳ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଟକ ସହରରେ ଏବେ ହଜାର ହଜାର କରୋନା ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି କୋଭିଡ଼-୧୯ର ପରୀକ୍ଷା କରାଇଥିବା ବେଳେ ଆଉ କେତେକ କେଉଁଠି ପରୀକ୍ଷା ହେବ ସେନେଇ ମଧ୍ୟ କୌଣସି ଉତ୍ତର ସରକାରୀ କଲ ସେଣ୍ଟରରୁ ପାଇ ପାରୁ ନାହାନ୍ତି । ଏପରିକି ଟୋଲ ପ୍ରିଂ ଥିବା ଆମ୍ବୁଲାନ୍ସକୁ ଯେ କେହିବି ଫୋନ କରୁଛି କେହି କଲ ରିସିଭ କରୁନଥିବା ଏକାଧିକ ଲୋକ ଅଭିଯୋଗ କରିଛନ୍ତି । ଏପରି ଏକ ଘଟଣା ଆଜି ତ୍ରିଶୁଳିଆରେ ମଧ୍ୟ ଘଟିଛି । ଜଣେ ମହିଳା ଏକାଧିକବାର ନିଜ ପୀଡ଼ିତ ସ୍ୱାମୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ କେହି ଫୋନ ଉଠାଇ ନଥିଲେ । କିଛି ବେସରକାରୀ କୋଭିଡ଼ ସେଣ୍ଟରରେ ଶଯ୍ୟା ଖାଲି ରହିଥିଲେ ମଧ୍ୟ କେବଳ ଭିଭିଆଇପିମାନଙ୍କୁ ସେଠାରେ ରଖାଯାଇ ଚିକିତ୍ସା କରାଯିବାକୁ ଖୋଦ ସି.ଏମ୍‌.ସି.ର ଅଫିସରମାନେ କହୁଥିବା ଦେଖାଯାଇଛି । ସାଧାରଣ ଗୁରୁତର ଥିବା କୋଭିଡ଼-୧୯ ରୋଗୀଙ୍କୁ ସରକାରୀ କୋଭିଡ଼-୧୯ ଆଉସୋଲେସନ ସେଣ୍ଟରରେ ରଖିବା ପାଇଁ ସି.ଏମ୍‌.ସି. ଅଫିସରମାନେ ଅଲିଖିତ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ତେବେ ଘରୋଇ ହାସପାତାଳଗୁଡ଼ିକରେ ହୋଇଥିବା ସରକାରୀ କୋଭିଡ଼-୧୯ ସେଣ୍ଟରରେ ଭର୍ତ୍ତି ହେବା ପାଇଁ କେବଳ ଭିଭିଆଇପିମାନଙ୍କ ନାମ ସୁପାରିଶ କରାଯାଉଥିବା ବହୁ କୋଭିଡ଼ ରୋଗୀ ଅଭିଯୋଗ କରିଛନ୍ତି । ଏହାପଛରେ ବହୁ ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟ ରହିଛି । ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ସରକାର ଚଳାଇଥିବା କୋଭିଡ଼ ସେଣ୍ଟରଗୁଡ଼ିକ ପରିସ୍କାର ପରିଛନ୍ନ ରହିବା ସହ ଡାକ୍ତରମାନଙ୍କ ଚିକିତ୍ସା ସୁବିଧା ପର୍ଯ୍ୟାପ୍ତ ପରିମାଣରେ ମିଳିପାରୁଛି । ଏହାସହ ରୋଗୀମାନଙ୍କୁ ବେଡ଼ର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ସରକାରୀ ଡାକ୍ତରଖାନାରେ ହୋଇଥିବା ଆଇସୋଲେସନ ୱାଡଗୁଡ଼ିକରେ ଏଭଳି ସୁବିଧା ସୁଯୋଗ ରହୁନଥିବା ବେଳେ କେହି ଯନ୍ନ ନେବାକୁ ମଧ୍ୟ ନାହାନ୍ତି । ଜଣେ ହେଲେ ରାଜନେତା କି ସରକାରୀ ଅଫିସର ଆଜି ପର୍ଯ୍ୟନ୍ତ ଏଭଳି ସରକାରୀ ଡାକ୍ତରଖାନାରେ ରହି ଚିକିତ୍ସା ହେବା ଘଟଣା ଲୋକ ଲୋଚନକୁ ଆସିନାହିଁ । ତେଣୁ ସେଠାରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ନିଜ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି । ଏଭଳି ସ୍ଥିତିରେ ବେସରକାରୀ ଡାକ୍ତରଖାନାରେ ହୋଇଥିବା କୋଭିଡ଼ ସେଣ୍ଟରରେ ବେଡ ରହିଥିଲେ ମଧ୍ୟ ତାହାକୁ ଦର୍ଶାଯାଉ ନାହିଁ ଓ ଅଫିସରମାନେ ଯାହାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରଦାନ କରାଯାଉଛି ବୋଲି ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here