Spread the love

ଭୁବନେଶ୍ୱର: ରାଜଧାନୀରେ ଆଜି ମୋଟ ୩୭୦ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ୨୦୪ଜଣ ସଂଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୯୭ଜଣ ପୂର୍ବରୁ କରୋନା ସଂକ୍ରମଣରେ ପୀଡ଼ିତଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ । ଏପରିକି ଚିନ୍ତାମଣିଶ୍ୱରରେ ଥିବା ଏକ ମୁଢ଼ି ଫ୍ୟାକ୍ଟ୍ରିର ୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏହି ମୁଢ଼ି ଫ୍ୟାକ୍ଟ୍ରିକୁ ନେଇ ଏବେ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି । ଚିନ୍ତାମଣିଶ୍ୱରରେ ମୋଟ ୮ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିଭଳି ପ୍ରଶାନ୍ତି ବିହାର, ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ, ଏକ ଘରୋଇ ହାସପାତାଳର ୨ କର୍ମଚାରୀ, ବରଗଡ଼, ବାପୁଜିନଗର, ଶିଶୁ ଭବନ ଛକ, ବରମୁଣ୍ଡା, ଭରତପୁର, ବୋମିଖାଲ, ବିଜେପି ନଗର , ବୁଦେ୍ଧଶ୍ୱରୀ କଲୋନୀ, ଚିନ୍ତାମଣିଶ୍ୱର, ଗଣେଷ ବିହାର , ଚନ୍ଦ୍ରଶେଖରପୁର , ୭ମ ବାଟାଲିୟନ, ଡମଣା, ଗୋଡ଼ା ସାହି, ଡେଲଟା ଛକ, ଏଚ.ବି. କଲୋନୀ, ଗଜପତିନଗର, ଆଇ.ଅର୍‌.ସି. ଭିଲେଜ, ଜାଗମରା, ଜୟଦେବ ବିହାର, କପିଳ ପ୍ରସାଦ, ଲକ୍ଷ୍ମୀସାଗର, ରୟାଲ କଳେଜ ପାଖ ମଞ୍ଚେଶ୍ୱର,ମାଷ୍ଟରକ୍ୟାଣ୍ଟିନ୍‌ , ନୟାପଲ୍ଲୀ ସହ ସହରର ସବୁ ଅଞ୍ଚଳରେ ଏବେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସହୀଦନଗରରୁ ୧୦ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଭୁବନେଶ୍ୱରରେ ଏବେ ସମସ୍ତ ଅଞ୍ଚଳରେ କରୋନା ସଂକ୍ରମିତଙ୍କୁ ଠାବ କରାଯାଉଥିବା ବେଳେ ଆଗକୁ ଅବସ୍ଥା ଆହୁରି ଖରାପ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here