Spread the love

ବୋଷ୍ଟନ: ବିଶ୍ୱର ୪୦ ପ୍ରତିଶତ କରୋନା ସଂକ୍ରମିତଙ୍କ ଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉନାହିଁ । ଏପରିକି ଏମତି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ସଂକ୍ରମିତଙ୍କ ସହ ଗୋଟିଏ କୋଠାରୀରେ ରହୁଥିଲେ ମଧ୍ୟ ସଂକ୍ରମିତ ହେଉନାହାନ୍ତି । ଏହା ସେମାନଙ୍କ ଶରୀରରେ ଥିବା ପ୍ରତିଷେଧକ ଶକ୍ତି ନା ପିଲା ବେଳେ ନେଇଥିବା ବିଭିନ୍ନ ପ୍ରତିଷେଧକ ଟୀକାର ପ୍ରଭାବ ନା ଗୋଷ୍ଠୀ ପ୍ରତିଷେଧକ ଶକ୍ତି ବୋଲି ବିଶ୍ୱର ଗବେଷକ ମାନେ ପ୍ରଶ୍ନ କରିବା ସହ ଉତ୍ତର ଖୋଜିବା ଆରମ୍ଭ କରିଛନ୍ତି । ସାନଫ୍ରାନସିସ୍କୋର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ମୋନିକା ଗାନ୍ଧୀ କହିଛନ୍ତି ଯେ କେଉଁ କାରଣରୁ ଏତେ ସଂଖ୍ୟକ କରୋନା ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ ତାହା ଜାଣି ପାରିଲେ ପ୍ରତିଷେଧକ ଟୀକା ବାହାର କରିବା ଓ ଚିକିତ୍ସା କରିବା କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ମିଳିପାରିବ । ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ଗୋଟିଏ ଘରେ ଏକାଧିକ ଲୋକ ରହୁଥିବା ସ୍ଥାନକୁ ଉଦାହରଣ ଭାବେ ଗ୍ରହଣ କରାଯାଇଥିଲା । ଗବେଷଣାରୁ ଜଣାପଡ଼ିଥିଲା ଯେ ସଂକ୍ରମିତଙ୍କ ସହ ରହି ମଧ୍ୟ ଅନେକ ସଂକ୍ରମିତ ହୋଇନାହାନ୍ତି ଓ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ଏଥିପାଇଁ ମୁଖ୍ୟତଃ ଶରୀରର ପ୍ରତିଷେଧକ ଶକ୍ତି, ପିଲା ବେଳେ ନେଇଥିବା ବିଭିନ୍ନ ପ୍ରତିଷେଧିକ ଟୀକାର ପ୍ରଭାବ କିମ୍ବା ଗୋଷ୍ଠୀ ପ୍ରତିଷେଧକ ଶକ୍ତି ଦାୟୀ ହୋଇପାରେ । ବିଭିନ୍ନ ପ୍ରକାରର ପ୍ରତିଷେଧକ ଟୀକା ଦ୍ୱାରା ମନୁଷ୍ୟ ଶରୀରରେ ଯେଉଁ ପ୍ରତିଷେଧକ ଶକ୍ତି ସୃଷ୍ଟି ହେଉଛି ତାହା କରୋନାକୁ ପ୍ରତିହତ କରିବା ପାଇଁ ଯଥେଷ୍ଟ ନୁହେଁ । ସେଥିପାଇଁ ଗୋଷ୍ଠୀ ପ୍ରତିଷେଧକ ଶକ୍ତିକୁ ଗୁରୁତ୍ୱ ଦିଆଯାଉଛି । ଗୋଷ୍ଠୀ ପ୍ରତିଷେଧକ ଶକ୍ତି ହେଉଛି ଗୋଟିଏ ସ୍ଥାନରେ ସମସ୍ତେ ଅଳ୍ପବହୁତ କରୋନା ସଂକ୍ରମିତ ହେଲେ ଲୋକଙ୍କ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଓ ଏହି ମହାମାରୀ ଆପେ ଲୋପ ପାଇବ । ଯଦି ଗୋଷ୍ଠୀ ପ୍ରତିଷେଧକ ଶକ୍ତି ଲକ୍ଷଣ ରହିତ କରୋନା ସଂକ୍ରମଣ ପାଇଁ ଦାୟୀ ତେବେ ଏହା ବିଶ୍ୱ ପାଇଁ ଏକ ଭଲ ଖବର ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here