Spread the love

ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶ ବିଜୟୱାଡ଼ା ଠାରେ ବ୍ୟବସାୟିକ କଳହ ଯୋଗୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ଗାଡ଼ିରେ ନିଆଁ ଲଗେଇ ଦେଇ ଥିବା ଘଟଣା ସାମ୍ନାକୁ ଆସିଛି । ଗାଡ଼ିରେ ନିଆଁ ଲାଗିବା ଦ୍ଵାରା ତିନିଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ରିଅଲ ଇଷ୍ଟେଟ ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ , ଭେନୁଗୋପାଳ ରେଡ୍ଡୀ ଓ ଗଙ୍ଗାଧର ଦୁଇ ଜଣ ବ୍ୟବସାୟିକ ଅଂଶୀଦାର ଥିଲେ । ଦୁହେଁ ସେକେଣ୍ଡ ହ୍ୟାଣ୍ଡ କାର କିଣି ଲୋକଙ୍କୁ ବିକ୍ରି କରୁଥିଲେ। କିନ୍ତୁ ଗତ କିଛିଦିନ ହେବ ବ୍ୟବସାୟ ଭଲ ଚାଲୁ ନଥିଲା । ଏନେଇ ଦୁହେଁ ଅଲଗା ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ପୁନର୍ବାର ମିଶି କରି ବ୍ୟବସାୟ କରିବା ପାଇଁ ଅଭିଯୁକ୍ତ ଭେନୁଗୋପାଳ ରେଡ୍ଡୀ ଇଛା ପ୍ରକାଶ କରିଥିଲେ କିନ୍ତୁ ଗଙ୍ଗାଧର ଏହାର କୌଣସି ଉତ୍ତର ଦେଇନଥିଲେ । ପରେ ଗଙ୍ଗାଧର ତାଙ୍କ ପତ୍ନୀ ଓ ତାଙ୍କର ଜଣେ ବନ୍ଧୁ ଭେନୁଗୋପାଳ ରେଡ୍ଡୀଙ୍କୁ ଦେଖା କରିବାକୁ ଯାଇଥିଲେ । ଏହାପରେ ୪ଜଣ ମିଶି କାର ମଧ୍ୟରେ ଆଲୋଚନା କରିଥିଲେ ।କିନ୍ତୁ ଭେନୁଗୋପାଳ ସିଗାରେଟ୍ ଟାନିବା ବାହାନା କରି ଗାଡ଼ି ରୁ ଓହ୍ଲେଇ ଯାଇଥିଲେ। ହଠାତ୍ ସେ ତାଙ୍କ ପକେଟରେ ରଖିଥିବା ଗୋଟେ ଛୋଟ ମଦ ବୋତଲ ରୁ ପେଟ୍ରୋଲ କାଢି କାର ଉପରେ ଢାଳି ନିଆଁ ଲଗେଇ ଦେଇଥିଲେ । ଅନ୍ୟପଟେ ଦୁହେଁ ଦମ୍ପତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସାଙ୍ଗଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାଟିର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here