Spread the love

ଭୁବନେଶ୍ୱର: ଭାରତ ସରକାର ଓଡ଼ିଶାରେ ଥିବା ଉଠା ଦୋକାନୀଙ୍କ ବନ୍ଧକବିହୀନ ଋଣ ବାବଦକୁ ୮.୨ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୦.୮୧ କୋଟି ଟଙ୍କା ଦେଇଛନ୍ତି । ଏନେଇ ଟ୍ୱିଟ୍‍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ବନ୍ଧକବିହୀନ ଋଣ ପାଇବା ପାଇଁ ରାଜ୍ୟର ସହରାଂଚଳର ୬୩ ହଜାର ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩ ହଜାର ୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି।ଭାରତ ସରକାର ସହରାଂଚଳର ଉଠା ଦୋକାନୀ ମାନଙ୍କର ଥଇଥାନ ନିମନ୍ତେ ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି। ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହରମାନଙ୍କରେ ଥିବା ଉଠା ଦୋକାନୀମାନେ ମଧ୍ୟ ଏହାର ଲାଭ ପାଇଛନ୍ତି। ଏହି ଯୋଜନାରେ ଦେଶର ସହର ମାନଙ୍କରେ ଥିବା ୫୦ ଲକ୍ଷ ଉଠା ଦୋକାନୀଙ୍କ ପାଇଁ ୧ ବର୍ଷ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ମାଧ୍ୟମରେ ଋଣର ନିୟମିତ ପରିଶୋଧ ଉପରେ ବାର୍ଷିକ ସୁଧରେ ୭ ପ୍ରତିଶତ ରିହାତି ଦିଆଯିବ। ନିୟମିତ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଡିଜିଟାଲ କାରବାର ମାଧ୍ୟମରେ ୧୨୦୦ ଟଙ୍କା ଜମା ଖାତାକୁ ଫେରିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି ବୋଲି ମନ୍ତ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here