Spread the love

ନୂଆଦିଲ୍ଲୀ
ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରୁଥିବା ମିସାଇଲ ମୁତୟନ କରିଛି ଚୀନ । ସାଟେଲାଇଟ ଫଟୋରୁ ଏହାର ପର୍ଦ୍ଦାଫାସ ହୋଇଛି । ଏହାର ୨୪ ଘଣ୍ଟା ପୂର୍ବରୁ ସୂଚନା ମିଳିଥିଲା ଯେ ଚୀନ ଲଦାଖରୁ ୬୦୦ କମି ଦୂରରେ ପରମାଣୁ ବୋମାବର୍ଷୀ ମିସାଇଲ ମୁତୟନ କରିଛି । ଏହାର ନାମ ଡିଏଫ-୨୬/୨୧ । ଏହାକୁ ଚୀନର ଶିନଜିଆଙ୍ଗ ପ୍ରାନ୍ତର କୋର୍ଲା ଆର୍ମୀ ବେସରେ ମୁତୟନ କରାଯାଇଛି । ସାଟେଲାଇଟ ଫଟୋରୁ ସ୍ପଷ୍ଟ ହୋଇଛି ଯେ ଚୀନ ଭାରତୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ନିଜର ପରମାଣୁ ଶକ୍ତିକୁ ବୃଦ୍ଧି କରିଛି । ଉକ୍ତ ମିସାଇଲ ୪ରୁ ୫ ହଜାର କିମି ପର୍ଯ୍ୟନ୍ତ ଆକ୍ରମଣ କରିପାରିବ । ଏହାର ରେଞ୍ଜ ଭିତରେ ଅଧିକାଂଶ ଭାରତୀୟ ସହର ଆସୁଛି । ଏହି ଫଟୋ ଗୁଡିକୁ ଓପନ ଇଣ୍ଟେଲିଜେନ୍ସ ସୋର୍ସ ଡି-ଆଟିସଆଟଦିରେଟଡେଟରେସ୍ଫା ନାମକ ବ୍ୟବହାରକାରୀ ଟ୍ୱିଟରେ ଅପଲୋଡ କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୯ ଏପ୍ରିଲରେ କୋର୍ଲାରେ ପ୍ରଥମ ମିସାଇଲ ଏବଂ ୨୦୧୯ ଅଗଷ୍ଟରେ ଦ୍ୱିତୀୟ ମିସାଇଲ ମୁତୟନ କରାଯାଇଥିଲା । ଚୀନ ମିଡିଆର ରିପୋର୍ଟ ଅନୁଯାୟୀ ଉକ୍ତ ମିସାଇଲକୁ ୨୦୧୮ରେ ପ୍ରଥମ ଥର ପାଇଁ ଚୀନ ସେନାର ୬୪୬ତମ ବ୍ରିଗେଡରେ ମୁତୟନ କରିବାକୁ ଘୋଷଣା କରାଯାଇଥିଲା । ୨୦୧୯ ଜାନୁଆରୀରେ ଚୀନ ମିଡିଆ ଘୋଷଣା କରିଥିଲା ଯେ ଭାରତକୁ ଲାଗି ଥିବା ଚୀନର ପଶ୍ଚିମତ୍ତୋର ପଠାରୀ ଅଞ୍ଚଳରେ ଉକ୍ତ ମିସାଇଲରେ ଯୁଦ୍ଧାଭ୍ୟାସ କରାଯାଇଥିଲା । ଏହି ମିସାଇଲ ଉଭୟ ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ନେବାରେ ସକ୍ଷମ । ଏଥିରୁ କେଉଁ ମିସାଇଲ କି ଅସ୍ତ୍ରଶସ୍ତ୍ର ନେଇଯାଉଛି ବୋଲି ଜଣାପଡିବ ନାହିଁ । ଏହି ମିସାଇଲକୁ ଗୁଆମ କିଲର ମଧ୍ୟ କୁହାଯାଏ । ଗୁଆମ ହେଉଛି ଜାପାନ ନିକଟରେ ଥିବା ଆମେରିକାର ନୌସେନା ବେସ । ଚୀନ ୨୦୧୫ରେ ଏହି ମିସାଇଲର ପ୍ରଦର୍ଶନ କରିଥିଲା । ଏହାକୁ ଟକ୍କର ଦେବା ପାଇଁ ଭାରତ ପାଖରେ ଅଗ୍ନି-୪ ଏବଂ ଅଗ୍ନି-୫ ମିସାଇଲ ରହିଛି । ଏହା ପୂର୍ବରୁ ଉକ୍ତ ଟ୍ୱିଟର ବ୍ୟବହାରକାରୀ କହିିଥିଲେ ଯେ ଚୀନର କାଶଗର ବାୟୁସେନା ବେସରେ କେଉଁ ପ୍ରକାରର ଯୁଦ୍ଧ ବିମାନ ମୁତୟନ ହୋଇଛି । ଏମାନଙ୍କ ମଧ୍ୟରେ ୬ ଜିଆନ ଏଚ-୬ ବମ୍ବର ରହିଛି । ଏଥିରେ ୨ଟି ଅସ୍ତ୍ରଶସ୍ତ୍ର ଲାଗିଛି । ଏହା ସହିତ ୧୨ ଜିଆନ ଜେଏଚ-୭ ଫାଇଟର ରହିଛି । ଏଥିରେ ମଧ୍ୟ ୨ଟି ଅସ୍ତ୍ରଶସ୍ତ୍ର ଲାଗିଛି । ଏହା ସହିତ ସେନୟାଙ୍ଗ ଜେ୧୧/୧୬ ଯୁଦ୍ଧ ବିମାନ ରହିଛି । ଏହାର ରେଞ୍ଜ ୩୫୫୦ କିମି ରହିଛି । ଏହାକୁ ଚୀନର ସୁଖୋଇ-୨୭ ମଧ୍ୟ କୁହାଯାଏ । କାରଣ ଏହାକୁ ରୁଷର ସୁଖୋଇ ଶୈଳୀରେ ଚୀନ ବିକାଶ କରିଛି ।

LEAVE A REPLY

Please enter your comment!
Please enter your name here