Spread the love

ଅଯୋଧ୍ୟା: ବୁଧବାରଠାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ମୁଖପାତ୍ର ମହନ୍ତ କମଲ ନୟନ ଦାସ କହିଛନ୍ତି । ସୁପ୍ରିମକୋର୍ଟ ୨୦୧୯ ନଭେମ୍ବରରେ ଏକ ଐତିହାସିକ ରାୟ ଦେଇ ସବୁ ବିବାଦୀୟ ଜମିକୁ ରାମ ଜନ୍ମଭୂମୀ ଟ୍ରଷ୍ଟକୁ ପ୍ରଦାନ କରିଥିଲେ ଓ ବିବାଦୀୟ ବାବ୍ରୀ ମସଜିଦ ପାଇଁ ସ୍ୱତନ୍ତ୍ର ଭାବେ ୫ ଏକର ଜମି ଦେବାକୁ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଗତ ମାର୍ଚ୍ଚରେ ଅସ୍ଥାୟୀ ମନ୍ଦିରରୁ ରାମଲାଲାଙ୍କୁ ନୂଆ ସ୍ଥାନକୁ ନିଆଯାଇ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ରାସ୍ତା ପରିସ୍କାର କରାଯାଇଥିଲା । ବୁଧବାର ପ୍ରଥମେ ରାମ ଜନ୍ମଭୂମୀ ସ୍ଥଳରେ ଥିବା କୁବେର ଟିଲା ଶିବ ମନ୍ଦିରରେ ପ୍ରାର୍ଥନାରୁ ମନ୍ଦିର ନିର୍ମାଣ ଆରମ୍ଭ ପ୍ରକ୍ରିଆ ଆରମ୍ଭ ହେବ । ଏହା ପରେ ରୁଦ୍ରାଭିଷେକ ହେବ । ଲଙ୍କା ଆକ୍ରମଣ କରିବା ପୂର୍ବରୁ ରାମଚନ୍ଦ୍ର ରୁଦ୍ରାଭିଷେକ କରିଥିବାରୁ ଏଠାରେ ମଧ୍ୟ ରୁଦ୍ରାଭିଷେକରୁ ମନ୍ଦିର ନିର୍ମାଣ ଆରମ୍ଭ ହେବ । ସ୍ୱତନ୍ତ୍ର ପ୍ରାର୍ଥନା ପରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ପ୍ରତ୍ୟେକ ପୁଜା ମହନ୍ତ କମଲ ନୟନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ । ଦୀର୍ଘ ଦୁଇ ଘଣ୍ଟା ଧରି ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଚଳିତ ମାସ ୧୧ ତାରିଖରୁ ନିର୍ମାଣସ୍ଥଳରେ ଯାନ୍ତ୍ରିକ ଖନନ ଆରମ୍ଭ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଏବେ ଯେଉଁ ଠାରେ ମନ୍ଦିର ନିର୍ମାଣ ହେବ ସେଠାରେ ଷୋଢଶ ଶତାବ୍ଦୀରେ ବାବ୍ରୀ ମସଜିଦ ନିର୍ମାଣ କରାଯାଇଥିଲା । ୧୯୯୨ ଡିସେମ୍ବରରେ କରସେବକ ମାନେ ଉକ୍ତ ମସଜିଦକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲେ । ଏଥିପାଇଁ ଲକ୍ଷ୍ନୌର ଏକ ସ୍ୱତନ୍ତ୍ର ଅଦାଲତରେ ବାବ୍ରୀ ମସଜିଦ ଧ୍ୱଂସ ମାମଲାର ବିଚାର ଚାଲିଛି ।

LEAVE A REPLY

Please enter your comment!
Please enter your name here