Spread the love

କଟକ : କଟକ ଓ ଭୂବନେଶ୍ୱର ଦୈତ୍ୟ ନଗରୀରେ କୋଭିଡ଼-୧୯ ସଂକ୍ରମିତଙ୍କ ସଂଖ୍ୟା ସରକାରୀ ଆକଳନ ଠାରୁ ଢେ଼ର ଅଧିକ । କଟକର ଘରେ ଘରେ ଏବେ କୋଭିଡ଼କୁ ନେଇ ନାନା ଅଶାଙ୍କା । ଭୁବନେଶ୍ୱରରେ ମଧ୍ୟ ଅବସ୍ଥା ଅନୁରୂପ । କଟକ ସହରରେ କୋଭିଡ଼ ପରିଚାଳନା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । କଟକର ୩ଟି ଶ୍ମଶାନରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସଂନ୍ଧ୍ୟା ସୁଦ୍ଧା ୧୭ଜଣ ଲୋକ ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଏସମସ୍ତ ରୋଗୀଙ୍କର ଅନ୍ୟାନ୍ୟ ରୋଗ ରହିଥିଲେ ମଧ୍ୟ ସେମାନେ କୋଭିଡ଼-୧୯ ସେଣ୍ଟର ଗୁଡ଼ିକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କଟକ ଜିଲ୍ଳାରେ ସରକାର ବିଭିନ୍ନ କୋଭିଡ଼ ସେଣ୍ଟର ଓ ସରକାରୀ ଡାକ୍ତରଖାନାଗୁଡ଼ିକୁ ନେଇ କରିଥିବା ଏକ ହ୍ୱାଟସ ଅପ୍‌ ଗ୍ରୁପ୍‌ର ତଥ୍ୟ ଅନୁଯାୟୀ ଅପରାହ୍ନ ୫ଟା ସୁଦ୍ଧା ୧୭ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତ ରୋଗୀ କୋଭିଡ଼ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ଏହି ହ୍ୱାଟସ ଅପ୍‌ ଗ୍ରୁପ୍‌ରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ବ୍ୟକ୍ତିଙ୍କ ମୃତ୍ୟୁ ସଂପର୍କରେ ପ୍ରତିଦିନ ଖବର ପ୍ରଦାନ କରାଯାଉଛି । କେବେଳ କଟକରେ ଯଦି ଦିନକୁ ଏତେ ରୋଗୀଙ୍କର ମୃତ୍ୟୁ ଘଟୁଛି ତେବେ ଏଥିରୁ ଅନୁମାନ କରାଯାଇପାରେ ଯେ ରାଜ୍ୟ ସାରା କେତେ ରୋଗୀ ଦିନକୁ ମୃତ୍ୟୁ ବରଣ କରୁଛନ୍ତି । ଅପରପକ୍ଷରେ ଆଜି ସଂନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ କଟକ-ଭୁବନେଶ୍ୱର ଦୈତ୍ୟ ନଗରୀର କୌଣସି କୋଭିଡ଼ ସେଣ୍ଟରରେ ଆଇ.ସି.ୟୁରେ ଗୋଟିଏ ହେଲେ ବି ଶଯ୍ୟା ଖାଲି ନାହିଁ । ବହୁ ପ୍ରତିଷ୍ଠିତ ବ୍ୟକ୍ତି କୋଭିଡ଼ରେ ପୀଡ଼ିତ ହୋଇ ଏବେ ବେସରକାରୀ ହାସପାତାଳରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ କୋଭିଡ଼ ଏପରି ମାଡ଼ିଯିବାର କଳ୍ପନା କରାଯାଉଥିଲା । ସରକାରଙ୍କ ପକ୍ଷରୁ ଗତକାଲି ଦୈତ୍ୟ ନଗରୀରେ ୭ ଦିନ ମଧ୍ୟରେ ଆଇ.ସି.ୟୁ ଓ ସାଧାରଣ ଶଯ୍ୟା ବଢ଼ାଯିବା ବୋଲି ସୂଚନା ଦେବା ଘଟଣା ଆଇ.ସି.ୟୁର ଅଭାବକୁ ସ୍ପଷ୍ଟ କରୁଛି । ତେବେ କଟକ ମାଲଗୋଦାମ ଅଞ୍ଚଳରେ କୋଭିଡ଼ ସଂଖ୍ୟା ଶତାଧିକ ହେବାପରେ ମଧ୍ୟ ମହାନଗରନିଗମ ପକ୍ଷରୁ ସେପରି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋଭିଡ଼ ଦାୟିତ୍ୱରେ ଥିବା ସରକାରୀ ଲୋକେ ଆଉ ଫୋନ ମଧ୍ୟ ଉଠାଉ ନାହାନ୍ତି । କୋଭିଡ଼-୧୯ ପାଇଁ ଥିବା ସ୍ୱତନ୍ତ୍ର ହେପଲାଇନ ନମ୍ବର ବି କେହି ଉଠାଉ ନାହାନ୍ତି । ଯଦି ବା କେହି କେତେବେଳେ ଉଠଉଛନ୍ତି ତେବେ ତାଙ୍କଠାରୁ ସାହାଯ୍ୟ ଆଶା କରିବା ବୃଥା ବୋଲି ବହୁ କୋଭିଡ଼ ରୋଗୀ ଅଭିଯୋଗ କରିଛନ୍ତି । କୋଭିଡ଼ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ନାକେଦମ ହୋଇ ଗଲେଣି । ରୋଗୀଙ୍କୁ ନିଜ ଭାଗ୍ୟ ଉପରେ କେବଳ ଛାଡ଼ି ଦିଆଯାଉଛି । କିଡ଼ନି ଓ କ୍ୟାନସର ଆଦି ଗୁରୁତର ରୋଗରେ ପୀଡ଼ିତ ଥିବା ରୋଗୀମାନଙ୍କୁ ମଧ୍ୟ ଚିକିତ୍ସା ସୁବିଧା ମିଳିପାରୁ ନାହିଁ । ସରକାର ଏନେଇ ସ୍ପଷ୍ଟ ନୀତି କରିଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ଏଥିପାଇଁ ମୁଖ୍ୟତ ଦୁଇଟି କାରଣ ରହିଛି । କୋଭିଡ଼ ସେଣ୍ଟରରେ ସାଧାରଣତଃ ମେଡ଼ିସିନ ବିଭାଗ ଡାକ୍ତରମାନେ ରହୁଛନ୍ତି । ତେବେ କ୍ୟାନସର ଓ କିଡ଼ନ ଭଳି ସ୍ୱତନ୍ତ୍ର ବିଭାଗର ଡାକ୍ତରମାନଙ୍କର ମଧ୍ୟ କୋଭିଡ଼ ସେଣ୍ଟରରେ ଆବଶ୍ୟକତା ରହିଛି । ସେମାନଙ୍କୁ କୋଭିଡ଼ ସେଣ୍ଟରରେ ରଖାଗଲେ ଏହି ରୋଗୀମାନଙ୍କ ଜୀବନ ବଞ୍ଚିପାରନ୍ତା ବୋଲି ବହୁ ଲୋକ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here