Spread the love

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୮ରୁ ଯୁକ୍ତ ତିନି ନାମଲେଖା ଆବେଦନ ଆରମ୍ଭ ହେବ। ଯୁକ୍ତ ତିନି କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ କୋର୍ସ ଓ ସଂସ୍କୃତର ଶାସ୍ତ୍ରୀ ପଢ଼ିବା ପାଇଁ ଆବେଦନ କରିହେବ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍‌ www.dheodisha.gov.in/ www.samsodisha.gov.inରେ ଥିବା କମନ୍‌ ଆପ୍ଲିକେଶନ ଫର୍ମରେ ଅନଲାଇନ୍‌ ଆବେଦନ କରିବେ। ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିହେବ। ନାମଲେଖାରେ କୌଣସି ଅସୁବିଧା ହେଲେ ଛାତ୍ରଛାତ୍ରୀମାନେ ସଂଯୋଗ ହେଲ୍ପଲାଇନ୍‌ ଟୋଲ୍‌ ଫ୍ରି ନମ୍ବର ୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦ରେ ଯୋଗାଯୋଗ କରିପାରିବେ। ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବା ପୂର୍ବରୁ କମନ୍‌ ପ୍ରସପେକ୍ଟସ୍‌ ପଢ଼ି ଫର୍ମ ପୂରଣ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଚଳିତ ମାସ ୨୮ ତାରିଖ ଦିନ ୧୧ଟା ବେଳେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେଥିରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ଅନଲାଇନ୍‌ରେ ଆଡମିସନ୍‌ ଫି’ ଦାଖଲ କରିପାରିବେ। ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖରେ ସରିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ ଚୂଡ଼ାନ୍ତ ତଥ୍ୟ ଅନ୍‌ଲାଇନ୍‌ରେ ଅକ୍ଟୋବର ୩ ତାରିଖ ଅପରାହ୍‌ଣ ୫ଟାରେ ବାହାରିବ। ୨୯ ତାରିଖରୁ ୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ସ୍ଲାଇଡ୍‌-ଅପ୍‌ ଫର୍ମ ପୁରଣ କରି ଅପଡେଟ୍‌ ପାଇଁ ଅନଲାଇନରେ ଆବେଦନ କରିପାରିବେ।
ଅକ୍ଟୋବର ୮ ତାରିଖ ଦିନ ୧୧ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ସେଥିରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଅକ୍ଟୋବର ୮ରୁ ୧୦ ତାରିଖ ମଧ୍ୟରେ ଅନଲାଇନ୍‌ରେ ଆଡମିସନ୍‌ ଫି’ ଦାଖଲ କରିପାରିବେ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅକ୍ଟୋବର ୯ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଚୂଡ଼ାନ୍ତ ତଥ୍ୟ ଅନ୍‌ଲାଇନରେ ଅକ୍ଟୋବର ୧୩ ତାରିଖ ଅପରାହ୍‌ଣ ୫ଟାରେ ଅପଲୋଡ୍‌ ହେବ। ଦୁଇଟି ପର୍ଯ୍ୟାୟ ନାମଲେଖା ସରିବା ପରେ କଲେଜଗୁଡ଼ିକରେ ଖାଲିପଡ଼ିଥିବା ସିଟ୍‌ଗୁଡ଼ିକ ପୂରଣ କରିବା ପାଇଁ ସ୍ପଟ୍‌ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ । ଏ ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି ହେବ ବୋଲି ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ୍‌ର ଭାରପ୍ରାପ୍ତ ଅଧିକାରୀ ମିହିର କୁମାର ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here