Spread the love

ନୂଆଦିଲ୍ଲୀ: ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଓ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ସଫଳତାର ନାୟକ ପୂର୍ବତନ ଗୃହ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଅଗଷ୍ଟ ୫ ତାରିଖରେ ହୋବାକୁ ଥିବା ରାମ ମନ୍ଦିର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରିତ କରାଯାଇନାହିଁ । କେବଳ ଆଡଭାନୀ ନୁହନ୍ତି ମନ୍ଦିର ଆନ୍ଦୋଳନର ଅନ୍ୟତମ ପୁରୋଧା ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ଏଥିପାଇଁ ନିମନ୍ତ୍ରିତ କରାଯାଇନଥିବା ଜଣାପଡ଼ିଛି । ତେବେ ଉମା ଭାରତୀ, କଲ୍ୟାଣ ସିଂହଙ୍କୁ ଏଥିପାଇଁ ନିମନ୍ତ୍ରଣ ମିଳିଥିବା ଜଣାପଡ଼ିଛି । ଏ ସମସ୍ତ ନେତା ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ବିଚାରର ସମ୍ମୁଖିନ ହେଉଛନ୍ତି । ୧୯୮୦ରେ ଭାରତୀୟ ଜନତା ପାର୍ଟି ଗଠନ ହେବା ପରେ ଆଡଭାନୀ ୧୯୮୪ରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ଜନମତ ସୃଷ୍ଟି କରିବାରେ ଲାଗିଥିଲେ । ୧୯୮୬ରେ ସେ ବିଜେପି ସଭାପତି ଭାବେ ଦାୟିତ୍ୱ ନେବା ପରେ ୧୯୯୦ରେ ରାମ ମନ୍ଦିର ନିର୍ମାଣ ପାଇଁ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥ ଯାତ୍ରା କରିଥିଲେ । ୧୯୯୦ ଅକ୍ଟୋବରରେ ବିହାରର ସମସ୍ତିପୁରଠାରେ ତାଙ୍କୁ ତକ୍ରାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ଗିରଫ କରାଯାଇଥିଲା ଓ ୧୯୯୨ ଡିସେମ୍ବର ୬ ତାରିଖରେ ବାବ୍ରୀ ମସଜିଦକୁ କରସେବକ ମାନେ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲେ । ୯୨ ବର୍ଷୀୟ ଆଡଭାନୀ ଗତ ସପ୍ତାହରେ ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଏକ ସିବିଆଇ ଅଦାଲତରେ ହାଜର ହୋଇ ଏକ ହଜାରରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏଥିପାଇଁ ସେ ସାଢେ଼ ୪ ଘଣ୍ଟାରୁ ଅଧିକ ସମୟ ଅଦାଲତରେ ଅତିବାହିତ କରିଥିଲେ । କେବଳ ଆଡଭାନୀଙ୍କ ପାଇଁ ବିଜେନି ସଂସଦରେ ନିଜ ଶକ୍ତି ବୃଦ୍ଧି ପାରିପାରିଥିଲା । ୧୯୫୨ରେ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜେପି ନିଜ ପୂର୍ବ ପରିଚୟ ଭାରତୀୟ ଜନସଂଘ ନାମରେ ପ୍ରତିଦ୍ୱନ୍ଦିତା କରିଥିଲା ଓ ୩ଟି ଆସନରେ ବିଜୟୀ ହୋଇଥିଲା । ୧୯୫୭ ଦ୍ୱିତୀୟ ନିର୍ବାଚନରେ ୪, ୧୯୬୨ ତୃତୀୟରେ ୧୪, ୧୯୬୭ ଚତୁର୍ଥରେ ୩୫ଟି ଆସନରେ ତକ୍ରାଳୀନ ଭାରତୀୟ ଜନସଂଘ ବିଜୟୀ ହୋଇଥିଲା । ୧୯୭୧ ୫ମ ନିର୍ବାଚନ ବେଳକୁ ଭାରତୀୟ ଜନସଂଘରୁ ଭାରତୀୟକୁ ବାଦ ଦିଆଯାଇ କେବଳ ଜନସଂଘ ରଖାଯାଇଥିଲା ଓ ଦଳ ୨୨ଟି ଆସନରେ ବିଜୟୀ ହୋଇଥିଲା । ୧୯୭୭ରେ ଜନସଂଘ ଗୋଟିଏ ହେଲେ ଆସନରେ ବିଜୟୀ ହୋଇନଥିଲା । ୧୯୮୦ରେ ଜନସଂଘକୁ ଭାରତୀୟ ଜନତା ପାର୍ଟିରେ ପରିବର୍ତ୍ତନ କରାଯାଇଥିଲା ଓ ଆଡଭାନୀଙ୍କ ସହ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଦଳ ପରିଚାଳିତ ହେଉଥିଲା । ୧୯୮୦ ସପ୍ତମ ନିର୍ବାଚନରେ ବିଜେପି ୧୩ଟି ଆସନରେ ବିଜୟୀ ହୋଇଥିଲା ବେଳେ ୧୯୮୯ ନିର୍ବାଚନରେ ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିଲା । ସୁଚନାଯୋଗ୍ୟ ଯେ ଉକ୍ତ ନିର୍ବାଚନରେ କେବଳ ଆଡଭାନୀ ଓ ବାଜପେୟୀ ବିଜେପି ଟିକଟରେ ବିଜୟୀ ହୋଇଥିଲେ । ୧୯୯୦ରେ ଆଡଭାନୀଙ୍କ ରଥଯାତ୍ରା ପରେ ୧୯୯୧ରେ ୧୦ମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ସେଥିରେ ବିଜେପି ଆଶ୍ଚର୍ଯ୍ୟଜନକ ଭାବେ ୧୨୧ ଆସନରେ ବିଜୟୀ ହୋଇଥିଲା । ଲୋକସଭାରେ ୨ରୁ ୧୨୧କୁ ସଦସ୍ୟ ସଂଖ୍ୟା ବୃଦ୍ଧି ପଛରେ କେବଳ ଆଡଭାନୀ ଓ ତାଙ୍କ ରଥଯାତ୍ରାର ଲୋକପ୍ରିୟତା ଥିଲା ବୋଲି ତାଙ୍କ ନିନ୍ଦୁକ ମାନେ ମଧ୍ୟ ସ୍ୱୀକାର କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ୧୯୯୧ ପରଠାରୁ ବିଜେପି ଆଉ ପଛକୁ ଫେରିନାହିଁ । ପ୍ରଥମେ ବାଜପେୟୀଙ୍କ ନେତୃତ୍ୱରେ ସରକାର ଗଠନ କରିବା ପରେ ଏବେ ୨୦୧୪ରୁ ଦଳ କେନ୍ଦ୍ରରେ କ୍ଷମତା ଦଖଲ କରିଥିଲା ବେଳେ ଅଧିକାଂଶ ରାଜ୍ୟ ଦଖଲ କରିବାକୁ ସକ୍ଷମ ହୋଇଛି । ଯେ କୌଣସି ସଫଳତା ପଛରେ ଦୃଢ଼ ମୂଳଦୁଆ ଓ ଜଣେ ବ୍ୟକ୍ତିଙ୍କ କରିସ୍ମା ଥାଏ । ବିଜେପି ପାଇଁ ଏହି ଦୁଇଟି ଆବଶ୍ୟକତା ମେଣ୍ଟାଇଛନ୍ତି ଆଡଭାନୀ । ମାତ୍ର ତାଙ୍କୁ ତାଙ୍କର ଚିର ଇପସିତ ରାମ ମନ୍ଦିରର ଶିଳାନ୍ୟାସ ଉତ୍ସବକୁ ଡକାନଯିବା ଦ୍ୱାରା ବିଜେପିର ପରିବର୍ତ୍ତିତ ରୁପ ପ୍ରକାଶ ପାଉଛି ବୋଲି ବିଭିନ୍ନ ମହଲ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here