Spread the love

ନୂଆଦିଲ୍ଲୀ: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରୁ ସୈନ୍ୟ ଅପସାରଣ ପାଇଁ ଆଜି ଭାରତ-ଚୀନ ମଧ୍ୟ ୬ଷ୍ଠ ଲ୍ୟୁଟନାଣ୍ଟ ଜେନେରାଲସ୍ତରୀୟ ବୈଠକ ଚାଲିଛି । ଦୌଲତ ବେଗ ଓଲ୍ଡିଠାରେ ଚୀନ ପୋଷ୍ଟରେ ଏହି ଆଲୋଚନା ଚାଲିଛି । ଦୌଲତ ବେଗ ଓଲ୍ଡି ସହ ଦେପସାଙ୍ଗରୁ ସେନା ପ୍ରତ୍ୟାହାର ପାଇଁ ଆଲୋଚନା ଚାଲିଛି । ଗତ ରବିବାର ୫ମ ଲ୍ୟୁଟନାଣ୍ଟ ଜେନେରାଲସ୍ତରୀୟ ବୈଠକ ହୋଇଥିଲା । ୧୪ କର୍ପସର କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଓ ଜିଂଜିଆଙ୍ଗ ସାମରିକ ଜିଲ୍ଲା କମାଣ୍ଡର ମେଜର ଜେନେରାଲ ଲିଉ ଲିନଙ୍କ ମଧ୍ୟରେ ଏହି ଆଲୋଚନା ହେଉଛି । ପାଙ୍ଗୋଙ୍ଗ ହ୍ରଦ ଓ ଦେପସାଙ୍ଗ ସମତଳ ଅଞ୍ଚଳରୁ ଚୀନ ସମ୍ପୂର୍ଣ୍ଣ ଭାବେ ନିଜ ସେନା ପ୍ରତ୍ୟାହାର କରିବାକୁ ଭାରତ ଦାବି କରିଛି । ସେହିପରି ଫିଙ୍ଗର ପଏଣ୍ଟ ୪ରୁ ୮ ମଧ୍ୟରେ ଚୀନ ସେନା ୮ କିଲୋମିଟର ଅଞ୍ଚଳ ଅକ୍ତିଆର କରିଛି । ତାହାକୁ ମଧ୍ୟ ପୁରା ଖାଲି କରିବାକୁ ଭାରତ ପକ୍ଷରୁ ଚୀନକୁ ଜଣାଇ ଦିଆଯାଇଛି । ସେହିପରି ଭାରତ ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଆଉ ପଛକୁ ହଟିବ ନାହିଁ ବୋଲି ଚୀନକୁ ସିଧାସଳଖ କହିଛି । ଚୀନ ସେନାକୁ ଫିଙ୍ଗର ପଏଣ୍ଟ-୮ ନିକଟକୁ ଯିବାକୁ ଦେବା ନିମନ୍ତେ ଫିଙ୍ଗର ପଏଣ୍ଟ-୩ରେ ଥିବା ଧନ ସିଂହ ଥାପ୍ପା ପୋଷ୍ଟକୁ ହଟାଇବାକୁ ଚୀନ ଭାରତକୁ କହିଥିଲା । ଫିଙ୍ଗର ପଏଣ୍ଟ-୮ ନିକଟରେ ପ୍ରକୃତ ନିୟନ୍ତ୍ରଣ ରେଖା ରହିଛି ବୋଲି ଭାରତ ପକ୍ଷରୁ ଦାବି କରାଯାଉଛି । ଭାରତୀୟ ଅଞ୍ଚଳରେ ଉକ୍ତ ପୋଷ୍ଟ ଥିବାରୁ ତାହାକୁ ହଟାଇବାକୁ ଭାରତ ମନା କରିଛି । ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ସେନା ଭାରତୀୟ ସେନା ପାଟ୍ରୋଲିଙ୍ଗ କରୁଥିବା ଅଞ୍ଚଳକୁ ଦଖଲ କରି ରହିଛନ୍ତି । ସେହିପରି ଚୀନ ସେନା ଦେପସାଙ୍ଗ ସମତଳ ଅଞ୍ଚଳ, ଗୋଗ୍ରା, ଓ ପାଙ୍ଗୋଙ୍ଗ ହ୍ରଦ ପାଶ୍ୱର୍ସ୍ଥ ଫିଙ୍ଗର ପଏଣ୍ଟରେ ନିଜ ସ୍ଥାନରେ ଅଟଳ ରହିଛନ୍ତି । ଫିଙ୍ଗର ପଏଣ୍ଟ-୪ରୁ ୮ ମଧ୍ୟରୁ ଚୀନ ସେନା ହଟିବାକୁ ଭାରତ ପକ୍ଷରୁ ଦାବି କରାଯାଇଛି । ସେହିପରି ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରୁ ଶୀଘ୍ର ଓ ସମ୍ପୁର୍ଣ୍ଣ ସେନା ପ୍ରତ୍ୟାହାର ହେଲେ ଭାରତ ଓ ଚୀନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିବ ବୋଲି ଭାରତ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଶୀଘ୍ର ଓ ସମ୍ପୁର୍ଣ୍ଣ ସେନା ପ୍ରତ୍ୟାହାର ଭାରତ-ଚୀନ ମଧ୍ୟରେ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ପ୍ରାକ ଆବଶ୍ୟକତା ବୋଲି ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here