Spread the love

ନୂଆଦିଲ୍ଲୀ: ଦେପସାଙ୍ଗ-ଦୌଲତ ବେଗ ଓଲ୍ଡିରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଓ ସାମରିକ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଭାରତ ପକ୍ଷରୁ ଚୀନକୁ ସିଧାସଳଖ କୁହାଯାଇଛି । ଶନିବାର ଉଭୟ ଦେଶର ସେନା ମଧ୍ୟରେ ୬ଷ୍ଠ ମେଜର ଜେନେରାଲସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଚୀନ ସୀମାରେ ଥିବା ଦେପସାଙ୍ଗ-ଦୌଲତ ବେଗ ଓଲ୍ଡି ଟିଏନ ୱେଇନ ଡିଏନ ପୋଷ୍ଟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ଭାରତୀୟ ୩ୟ ଇନଫାଣ୍ଟ୍ରି ଡିଭିଜନର କମାଣ୍ଡର ମେଜର ଜେନେରାଲ ଅଭିଜିତ ବାପଟ ଓ ଚୀନ କମାଣ୍ଡରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସକାଳ ୧୧ଟାରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ବୈଠକ ଚାଲିଥିଲା । ଦେପସାଙ୍ଗ ସମତଳ ଅଞ୍ଚଳରୁ ସେନା ପ୍ରତ୍ୟାହାର କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଛି । ସେଠାରେ ପ୍ରକୃତ ନିୟନ୍ତ୍ରଣ ରେଖା କେଉଁଠି ଅଛି ସେ ସମ୍ପର୍କରେ ଉଭୟ ଭାରତ ଓ ଚୀନ ପରସ୍ପର ବିରୋଧି ଦାବି କରୁଥିବାରୁ ପାଙ୍ଗୋଙ୍ଗ ଓ ଗୋଗ୍ରାଠାରୁ ମଧ୍ୟ ଦେପସାଙ୍ଗ ସ୍ଥିତି ଅଧିକ ଜଟିଳ ହୋଇଛି । ଦେପସାଙ୍ଗରେ ଅଧିକ ସଂଖ୍ୟାରେ ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ଜବାନ ମୁତୟନ ହୋଇଥବବାରୁ ଦୌଲତ ବେଗ ଓଲ୍ଡି ବିମାନ ଘାଟୀକୁ ସାମଗ୍ରୀ ଯୋଗାଣ ଓ ଉତ୍ତରରେ ଥିବା ଗୁରୁତ୍ୱପୂର୍ଣ୍ଣ କାରାକୋରମ ଗିରିପଥକୁ ଯିବା ପାଇଁ ଭାରତୀୟ ସେନାକୁ ସହଜ ହେବ ନାହିଁ । କାରାକୋରମ ଗିରିପଥର ଦକ୍ଷିଣକୁ ମାତ୍ର ୩୫ କିଲୋମିଟର ଦୁର ଓ ୧୬ ହଜାର ଫୁଟ ଉଚ୍ଚରେ ଥିବା ଦେପସାଙ୍ଗ ସମତଳ ଅଞ୍ଚଳରେ ପ୍ରଥମେ ୨୦୧୩ ଏପ୍ରିଲ-ମଇରେ ଭାରତ-ଚୀନ ସେନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେତେବେଳ ପିଏଲଏ ଜବାନ ମାନେ ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ୧୯ କିଲୋମିଟର ଭିତରକୁ ଅନୁପ୍ରବେଶ କରିଥିଲେ । ଏପରିକି ରକି ନଳାରେ ଥିବା ଭାରତୀୟ ପୋଷ୍ଟର ନିକଟବର୍ତ୍ତୀ ହୋଇଥିଲେ ପିଏଲଏ ଜବାନ । ୨୧ଦିନର ଘମାଘୋଟ କୁଟନୈତିକ ଆଲୋଚନା ପରେ ତାହାର ସମାଧାନ କରାଯାଇଥିଲା । ଏବେ ପିଏଲଏ ଦେପସାଙ୍ଗରେ ୧୨ ହଜାରରୁ ଅଧିକ ଜବାନଙ୍କ ସହ ଟ୍ୟାଙ୍କ, ଆର୍ଟିଲେରି, ୪ର୍ଥ ମୋଟୋରାଇଜଡ ଇନଫାଣ୍ଟ୍ରି ଓ ୬ଷ୍ଠ ମେକାନାଇଜଡ ଇନଫାଣ୍ଟ୍ରି ଡିଭିଜନକୁ ମୁତୟନ କରିଛି । ଭାରତ ମଧ୍ୟ ସେଠାରେ ଇନଫାଣ୍ଟ୍ରି ଓ ଆର୍ମଡ଼ ବ୍ରିଗେଡ଼ ମୁତୟନ କରିଛି ।

LEAVE A REPLY

Please enter your comment!
Please enter your name here