Spread the love

ନୂଆଦିଲ୍ଲୀ: ମଇ ପ୍ରଥମ ସପ୍ତାହରୁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଶନିବାର ଲ୍ୟୁଟନାଣ୍ଟ ଜେନେରାଲସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ଲ୍ୟୁଟନାଣ୍ଟ ଜେନେରାଲସ୍ତରୀୟ ବୈଠକ ହେବା ପ୍ରଥମ ବୋଲି କୁହାଯିବା ସହ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କେତେ ଜଟିଳ ତାହା ଜଣାପଡ଼ୁଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ପୂର୍ବତନ ଜେନେରାଲ ମାନଙ୍କ ମତରେ ୧୯୬୨ ପରେ ଏହା ସର୍ବାଧିକ ଉତ୍ତେଜନା ସୃଷ୍ଟିକାରୀ ସୀମା ବିବାଦ ।
ଶନିବାର ଭାରତର ୧୪ କର୍ପସ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ । ସେ ଚାସୁଲ-ମୋଲ୍ଡୋ ସୀମା ବୈଠକ ପଏଣ୍ଟରେ ଚୀନ ପ୍ରତିନିଧି ଦଳ ସହ ଆଲୋଚନା ପାଇଁ ଚୀନ ସୀମା ମଧ୍ୟକୁ ପ୍ରବେଶ କରିବେ । ତାଙ୍କ ସହ ବିବାଦୀୟ ଅଞ୍ଚଳରେ ନିୟୋଜିତ ହୋଇଥିବା ମେଜର ଜେନେରାଲ ଓ ବ୍ରିଗେଡିୟର ସ୍ତରର ଅଧିକାରୀ ଓ ଜଣେ ଅନୁବାଦକ ସାମିଲ ହେବେ । ବୈଠକରେ ଗଲୱାନ ଉପତ୍ୟକା, ପାଙ୍ଗୋଙ୍ଗ ହ୍ରଦ ଓ ଗୋଗ୍ରା ଉଷ୍ଣ ପ୍ରସବଣ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ସମ୍ପର୍କରେ ମୁଖତଃ ଆଲୋଚନା ହେବ । ଏଥିସହ ମଇ ୫ ପୂର୍ବ ସ୍ଥିତିକୁ ଦୁଇ ଦେଶର ସେନା ଫେରିବା ଓ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିଥିବା ଚୀନ ସେନାର ଫେରିବା ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।
ଭାରତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୪ ସୁତ୍ରୀ ଯୋଜନା ଅନୁସାରେ ପ୍ରଥମେ ଗଲୱାନ ଉପତ୍ୟକା, ପାଙ୍ଗୋଙ୍ଗ ହ୍ରଦ ଓ ଗୋଗ୍ରା ଉଷ୍ଣ ପ୍ରସବଣ ଅଞ୍ଚଳରେ ଉଭୟ ସେନା ପୂର୍ବ ସ୍ଥିତିକୁ ଫେରିବା ଏବଂ ସୀମାଠାରୁ ପଛୁଆ ଅଞ୍ଚଳରେ ମୁତୟନ ହୋଇଥିବା ଅତିରିକ୍ତ ବାଟାଲିୟନ, ଆର୍ଟିଲେରୀ ଓ ସାଞ୍ଜୁଆ ଯାନର ପର୍ଯ୍ୟାୟକ୍ରମେ ଅପସାରଣ ଅନ୍ତର୍ଭୁକ୍ତ । ଭାରତ ନିମନ୍ତେ ସବୁଠାରୁ ଚିନ୍ତାର ବିଷୟ ହେଉଛି ପାଙ୍ଗୋଙ୍ଗ ହ୍ରଦର ଉତ୍ତର ପାଶ୍ୱର୍ରେ ଥିବା ପାର୍ବତ୍ୟାଞ୍ଚଳର ‘ଫିଙ୍ଗର ୧ରୁ ଫିଙ୍ଗର ୮’ ଅଞ୍ଚଳ । ଏହା ପାଙ୍ଗୋଙ୍ଗର ଉତ୍ତରରେ ପଶ୍ଚିମରୁ ପୂର୍ବକୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଭାରତ ଫିଙ୍ଗର୧ରୁ ୪ ପର୍ଯ୍ୟନ୍ତ ଅଞ୍ଚଳକୁ ପ୍ରତ୍ୟକ୍ଷ ଭାବେ ନିଜ ନିୟନ୍ତ୍ରଣରେ ରଖିଛି । ତେବେ ଭାରତୀୟ ସେନା ନିୟମିତ ଭାବେ ଫିଙ୍ଗର-୮ ପର୍ଯ୍ୟନ୍ତ ପାଟ୍ରୋଲିଙ୍ଗ କରିଥାନ୍ତି । ଏବେ ମଇ ୫ପରଠାରୁ ଚୀନ ସେନା ଭାରତୀୟ ପାଟ୍ରୋଲିଙ୍ଗ ପାର୍ଟିକୁ ଫିଙ୍ଗର-୪ରୁ ଆଗକୁ ବଢିବାକୁ ଦେଉନାହାନ୍ତି । ତେଣୁ ଭାରତ ଚାହୁଁଛି ଚୀନ ଫିଙ୍ଗର-୪ରୁ ହଟିବା ।
ଏଥିସହ ଚୀନ ଏବେ ଭାରତ ପକ୍ଷରୁ ଚାଲିଥିବା ସୀମା ଭିତ୍ତିଭୂମୀ ଉନ୍ନତିକରଣ କାର୍ଯ୍ୟକୁ ବିରୋଧ କରୁଛି । ୨୫୫ କିମି ଲମ୍ବ ଡାର୍ବକ-ଶୋକ-ଦୌଲତ ବେଗ ଓଲ୍ଡି ରାସ୍ତାରେ ଭାରତ ଏବେ ଏକ ପୋଲ ନିର୍ମାଣ କରୁଥିଲା ବେଳେ ଏହାକୁ ସଂଯୋଗ କରୁଥିବା ଏକାଧିକ ସଂଯୋଗକାରୀ ରାସ୍ତା ନିର୍ମାଣ ମଧ୍ୟ ଚାଲିଛି । ଏହାଦ୍ୱାରା ଆଗୁଆ ଅଞ୍ଚଳକୁ ସୈନ୍ୟ ପ୍ରେରଣ ସହଜ ହୋଇପାରିବ । ଚୀନ ଏହାକୁ ତୀବ୍ର ବିରୋଧ କରୁଛି । ତେବେ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଭାରତ ନିଜ ଅଞ୍ଚଳରେ କରୁଥିବା କାର୍ଯ୍ୟକୁ କୌଣସି ପ୍ରକାରେ ବନ୍ଦ କରାଯିବ ନାହିଁ ।
ଅପରପକ୍ଷରେ ପୂର୍ବ ଲଦାଖରେ ଚୀନର କାର୍ଯ୍ୟ ଭାରତର ନିଦ ହଜାଇ ଦେଇଛି । ଚୀନ ଆଭ୍ୟନ୍ତରୀଣ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସୈନ୍ୟଙ୍କ ମଧ୍ୟରୁ ୫ ହଜାରରୁ ଅଧିକ ସୈନ୍ୟ ଆଲୋଚ୍ୟ ଅଞ୍ଚଳକୁ ପଠାଇଛି । ପ୍ରକୃତ ନିୟନ୍ତ୍ରଣ ରେଖାର ଏକାଧିକ ସ୍ଥାନରେ ଚୀନ ସେନା ଭାରତୀୟ ଅଞ୍ଚଳକୁ ପ୍ରବେଶ କରି ଆଡ୍ଡା ଜମାଇ ବସିଛନ୍ତି । ସେହିପରି କେବେବି ଦୁଇ ଦେଶ ମଧ୍ୟରେ ବିବାଦ ଭାବେ ଉଭା ହୋଇନଥିବା ଗଲୱାନ ଉପତ୍ୟକାରେ ଚୀନର ଅନୁପ୍ରବେଶ ତୁଙ୍ଗ ସାମରିକ ନେତୃତ୍ୱର ଅନୁମତି ବିନା ହୋଇନଥିବ ବୋଲି ଭାରତ ବିଶ୍ୱାସ କରୁଛି । ଏବେ ଭାରତ ପୂର୍ବ ଲଦାଖରେ ଲେହରେ ଥିବା ୩ଟି ଇନଫାଣ୍ଟ୍ରି ଡିଭିଜନ ମୁତୟନ କରିଛି । ପ୍ରତ୍ୟେକ ଡିଭିଜନରେ ୧୦ରୁ ୧୨ ହଜାର ସୈନ୍ୟ ଥାନ୍ତି । ଏଥିସହ ଏକାଧିକ ଅନ୍ୟ ବାଟାଲିୟନ ମଧ୍ୟ ମୁତୟନ କରାଯାଇଛି ।
ସୀମା ବିବାଦର ସମାଧାନ ପାଇଁ ଭାରତ ଆନ୍ତରିକତା ପ୍ରଦର୍ଶନ କରୁଥିଲା ବେଳେ ଚୀନ କେତେ ଅନୁକୁଳ ମନୋଭାବ ପୋଷଣ କରିବ ତାହା ଚିନ୍ତାର କାରଣ ହୋଇଛି । କାରଣ ଏବେ ଦୁଇ ଦେଶ ମଧ୍ୟରେ ଯେଉଁ ସୀମା ବିବାଦ ସୃଷ୍ଟି ହୋଇଛି ତାହା ୧୯୬୨ ପରଠାରୁ ସର୍ବକାଳୀନ ଉତ୍ତେଜନା ସୃଷ୍ଟିକାରୀ ବୋଲି ମତ ଦେଇ ସାମରିକ ବିଶେଷଜ୍ଞ ମାନେ କହିଛନ୍ତି ଯେ ଚୀନ କମୁ୍ୟନିଷ୍ଟ ପାର୍ଟିର ତୁଙ୍ଗ ନେତୃତ୍ୱର ସବୁଜ ସଙ୍କେତ ବିନା ଏପରି ଅନୁପ୍ରବେଶ ଅସମ୍ଭବ । ତେଣୁ ବାସ୍ତବରେ ଚୀନ କ’ଣ ଚାହୁଁଛି ତାହା ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଶନିବାର ଅନୁଷ୍ଠିତ ହେବାକୁ ଥିବା ବୈଠକରୁ କୌଣସି ସୁଫଳ ମିଳିବା ଆଶା କ୍ଷୀଣ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଏ ପରିସ୍ଥିତିରେ ଭାରତ ଅନ୍ତର୍ଜାତୀୟ କୁଟନୀତି ଆରମ୍ଭ କରିବା ଉଚିତ ହେବ ବୋଲି ଅନେକ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here