Spread the love

ଲଦାଖ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ଓ ଦେପସାଙ୍ଗରୁ ଚୀନ ସେନା ପ୍ରତ୍ୟାହାର ହୋଇନଥିବା ଓ ଲିପୁଲେଖ ସମେତ ଅନ୍ୟ କିଛି ସ୍ଥାନରେ ସେନା ମୁତୟନ କରୁଥିବାରୁ ଭାରତୀୟ ସେନା ଲଦାଖରେ ଦୀର୍ଘ ଲଢେ଼ଇ ପାଇଁ ପ୍ରସ୍ତୁତ ହେଉଛି । ଲଦାଖରେ କେତେ ଭାରତୀୟ ସେନା ମୁତୟନ ହୋଇଛନ୍ତି ତାହା ପ୍ରକାଶ କରାଯାଉନଥିଲା ବେଳେ ଲଦାଖରେ ଏହା ଭାରତୀୟ ସେନାର ସର୍ବବୃହତ ଯୁଦ୍ଧ ଅଭିଯାନ ବୋଲି କୁହାଯାଉଛି । ୧୬ ହଜାର ଫୁଟ ଉଚ୍ଚତା, ବିଯୁକ୍ତ ତାପମାତ୍ରା ଓ କଠିନ ପାର୍ବତ୍ୟାଞ୍ଚଳରେ ଲଢେଇ କରିବା ଦୁରର କଥା କେବଳ ବଞ୍ଚି ରହିବା କୌଣସି ଯୁଦ୍ଧ ଠାରୁ କମ ନୁହେଁ ବୋଲି ସାମରିକ ବିଶାରଦ ମାନେ ପ୍ରକାଶ କରିଛନ୍ତି । ସେଥିପାଇଁ ଆଗାମୀ ଶୀତ ଋତୁକୁ ଲକ୍ଷ୍ୟ ରଖାଯାଇ ସେନା ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି କରାଯାଉଛି । ଲଦାଖରେ ମୁତୟନ ହୋଇଥିବା ଭାରତୀୟ ସେନା ପାଇଁ ଖାଦ୍ୟ ସାମଗ୍ରୀ, କିରୋସିନ, ଇନ୍ଧନ, ଲୁବ୍ରିକାଣ୍ଟ, ଶୀତ ପୋଷାକ, ଜୋତା, ଔଷଧ ଇତ୍ୟାଦି ମହଜୁଦ କରାଯାଉଛି । ଏଥିପାଇଁ ଦିନରାତି କାମ ଚାଲିଛି । ପ୍ରତିଦିନ ଶହ ଶହ ସେନା ଟ୍ରକ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଲଦାଖରେ ପହଞ୍ଚାଉଛନ୍ତି । ଲଦାଖରେ ମୁତୟନ ହୋଇଥିବା ପ୍ରତ୍ୟେକ ଭାରତୀୟ ଜବାନଙ୍କୁ ବିଯୁକ୍ତ ତାପମାତ୍ରା ସମ୍ଭାଳି ପାରିବା ଭଳି ଶୀତ ପୋଷାକ ଦିଆଯିବ । ଏଥିସହ ଲଦାଖ ସେନା ଶିବିର ଗୁଡ଼ିକରେ ଯଥେଷ୍ଟ ପରିମାଣର ଅମ୍ଳଜାନ ମହଜୁଦ ମଧ୍ୟ କରାଯାଉଛି । କାରଣ ୧୬ ହଜାର ଫୁଟରେ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥାନ୍ତି ଓ ବହୁ ଜବାନ ଏଥିପାଇଁ ଅସୁସ୍ଥ ହୋଇଥାନ୍ତି । ପ୍ରତ୍ୟେକ ଜବାନଙ୍କ ପାଇଁ ଅତିରିକ୍ତ ସାମଗ୍ରୀ ମଧ୍ୟ ମହଜୁଦ କରାଯାଉଛି ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here