Spread the love

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ ନେତା ସଚିନ ପାଇଲଟଙ୍କୁ ମନାଇବାରେ ଶେଷରେ କଂଗେସ ସଫଳ ହୋଇଛି । ଆଜି ଦିଲ୍ଲୀରେ ପାଇଲଟ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ବୈଠକ ହେବା ପରେ ଏହା ସମ୍ଭବ ହୋଇଛି । ଏ ସମ୍ପର୍କରେ ଦଳ କିମ୍ବା ପାଇଲଟ କ୍ୟାମ୍ପ ପକ୍ଷରୁ କିଛି ସୁଚନା ଦିଆଯାଇନାହିଁ । ତେବେ ବୈଠକରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ନେତାଙ୍କ ସୁତ୍ରରୁ ଜଣାପଡ଼ିଛି ଯେ ପାଇଲଟ ନିଜର ଏକମାତ୍ର ଦାବିରୁ ଓହରିବା ପରେ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସରେ ଥିବା ସମସ୍ତ ସମସ୍ୟାର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ବୋଲି ଗାନ୍ଧୀ ପରିବାର ପକ୍ଷରୁ ପ୍ରତିଶ୍ରତି ଦିଆଯିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବୁଝାମଣା ସମ୍ଭବ ହେଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରାଯିବା ପାଇଲଟଙ୍କ ଏକମାତ୍ର ଦାବି ଥିଲା । ପାଇଲଟଙ୍କୁ ମନାଇବା ପାଇଁ କିଛିଦିନ ଧରି ଗାନ୍ଧୀ ପରିବାର ପକ୍ଷରୁ ଉଦ୍ୟମ କରାଯାଇଥିଲା ଓ ପାଇଲଟ ଗାନ୍ଧୀ ପରିବାର ସହ ଯୋଗାଯୋଗରେ ଥିଲେ । କିଛିଦିନ ପୂର୍ବେ ପ୍ରିୟଙ୍କା ପାଇଲଟଙ୍କୁ ଦିଲ୍ଲୀର ଏକ ସ୍ଥାନରେ ଭେଟିଥିଲେ । ସେ ସମୟରେ ପାଇଲଟ ନିଜ ଦାବିରୁ ଓହରିନଥିଲେ । ଏପରିକି ରାହୁଲ ଓ ସୋନିଆଙ୍କୁ ମଧ୍ୟ ଭେଟିବା ପାଇଁ ମନା କରିଦେଇଥିଲେ । ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ଓ ସେଥିରେ ଗେହଲଟ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଅଧିବେଶନ ପୂର୍ବରୁ ପାଇଲଯୟଟ ଦଳର ମୁଖ୍ୟ ସ୍ରୋତକୁ ଫେରି ଆସିଥିବାରୁ ଆସ୍ଥା ଭୋଟରେ ଗେହଲଟ ସରକାର ପାଇଁ କିଛି ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି । ଗେହଲଟଙ୍କ ବିଦାୟ ପାଇଁ ସଚିନ ଜିଦ ଧରିଥିଲା ବେଳେ ପାଇଲଟଙ୍କ ସହ କୌଣସି ବୁଝାମଣା ନକରିବାକୁ ଗେହଲଟ ଅଡ଼ି ବସିଥିଲେ । ଆଜିର ବୁଝାମଣା ଅନୁଯାୟୀ ପାଇଲଟ ଏବେ ଗେହଲଟଙ୍କ ବିଦାୟ ଦାବି କରିବେ ନାହିଁ ଓ ତାଙ୍କ ବିରୋଧରେ ହୋଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରାଯିବ । ୧୮ରୁ ଅଧିକ ସମର୍ଥକ ବିଧାୟକଙ୍କ ସହ ପାଇଲଟଙ୍କ ବିଦ୍ରୋହ ଦଳ ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରିଥିଲା । ମଧ୍ୟପ୍ରଦେଶରେ ଅନୁରୁପ ସ୍ଥିତି ଯୋଗୁ ସେଠାରେ କଂଗେସ ସରକାରର ପତ୍ତନ ହୋଇଥିଲା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here